Engineer's car is drinking government oil!: Vigilance demands investigation Photograph: (sambad.in)
ନୀଳଗିରି: ଜଣେ ଯନ୍ତ୍ରୀ ତଞ୍ଚକତା କରିଛନ୍ତି। ବିଲ୍ ଦ୍ବାରା ଅଫିସ୍ ଗାଡ଼ିରେ ତେଲ ପଡ଼ୁଥିବା ଦର୍ଶାଇ ନିଜ ଗାଡ଼ିରେ ପକାଇଛନ୍ତି। ଏପରି ଅଭିଯୋଗ ଆସିଛି ବାଲେଶ୍ବର ଜିଲ୍ଲା ନୀଳଗିରି ଅଞ୍ଚଳରୁ। ସୂଚନା ଅନୁସାରେ; ନୀଳଗିରି ବ୍ଲକ୍ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଭାବେ ଶରତ ଚନ୍ଦ୍ର ଉପାଧ୍ୟାୟ କାର୍ଯ୍ୟ କରୁଛନ୍ତି। ସେ ନୀଳଗିରି ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ଯନ୍ତ୍ରୀ ଏବଂ ରେମୁଣା ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଭାବେ ଅତିରିକ୍ତ ଦାୟିତ୍ବ ମଧ୍ୟ ତୁଲାଉଛନ୍ତି। ନୀଳଗିରି ଆଇଟିଡିଏ କାର୍ଯ୍ୟାଳୟର ଅଧିକାରୀମାନଙ୍କ ଯାତାୟାତ ପାଇଁ ଦୁଇଟି ବୋଲେରା ରହିଛି।
ଯେଉଁ ଗାଡ଼ିଗୁଡ଼ିକରେ ନୀଳଗିରିର ବାବା ପଞ୍ଚଲିଙ୍ଗେଶ୍ବର ଫିଲିଂ ଷ୍ଟେସନ୍ରୁ ଡିଜେଲ୍ ପଡ଼ିଥାଏ। ତେବେ ଅଭିଯୋଗ ହୋଇଛି, କାର୍ଯ୍ୟାଳୟର ଓଡି-୦୧-ଏଟି-୯୧୩୫ ନମ୍ବର ବିଶିଷ୍ଟ ବୋଲେରୋରେ ଡିଜେଲ୍ ପକାଇବା ପାଇଁ ମିଳୁଥିବା ବିଭାଗୀୟ ଅଧିକାରୀଙ୍କ ଦସ୍ତଖତ ସମ୍ବଳିତ ଗୋଲାପି ରଙ୍ଗର ଅର୍ଡର୍ ସ୍ଲିପ୍ ଦ୍ବାରା ଯନ୍ତ୍ରୀ ତଞ୍ଚକତା ପୂର୍ବକ ବୋଲେରୋରେ ତେଲ ନପକାଇ ଓଡି-୦୧-ପି-୯୮୦୦ ନମ୍ବରର ନିଜ କାର୍ରେ ତେଲ ପକାନ୍ତି। ନିର୍ଦ୍ଧାରିତ ୪୦ ଲିଟର ତେଲରୁ ୩୦ ଲିଟର କାର୍ରେ ଭରୁଥିବା ବେଳେ ବାକି ୧୦ ଲିଟର ଏକ ଜାର୍କିନ୍ରେ ନେଇ ଯାଆନ୍ତି। ଯନ୍ତ୍ରୀ ମାସକୁ ୩ରୁ ୪ ଥର ଏମିତି କରୁଥିବା କୁହାଯାଉଛି। ଯାହାର ସିସି ଟିଭି ଫୁଟେଜ୍ ମଧ୍ୟ ମିଳିଛି।
ଏହାର ଭିଜିଲାନ୍ସ ତଦନ୍ତ ଦାବି କରାଯାଇଛି। ଏହା ସହିତ ଯନ୍ତ୍ରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।ଏନେଇ ଆଇଟିଡିଏ ବିଭାଗୀୟ ମୁଖ୍ୟ କାରୁ ସୋରେନଙ୍କୁ ପଚରାଯାଇଥିଲା। ସେ କହିଛନ୍ତି, ମୋ ଦସ୍ତଖତରେ ବିଲ୍ଗୁଡ଼ିକ ପାସ୍ ହୋଇଥାଏ। ଯଦି ଗାଡ଼ିରେ ପଟ୍ରୋଲ୍ ଭରିବା ନେଇ ତଞ୍ଚକତା ହେଉଥିବ, ତେବେ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ନିଆଯିବ।
ଅଧିକ ପଢ଼ନ୍ତୁ:ନାବାଳିକାଙ୍କୁ ଉଦ୍ଧାର ପାଇଁ ଟଙ୍କା ମାଗିବା ମାମଲା: କୋର୍ଟରେ ହାଜର ହେବେ ଭଦ୍ରକ ଏସ୍ପି, ଧାମନଗର ଆଇଆଇସି, ଆଇଓ
ସେହିପରି ପେଟ୍ରୋଲ୍ ପମ୍ପ୍ ମ୍ୟାନେଜର ସମ୍ବିତ କୁମାର ଦାସଙ୍କ ମତାମତ ନିଆଯାଇଥିଲା। ସେ କହିଛନ୍ତି, ଆମ ପାଖକୁ କାର୍ଯ୍ୟାଳୟରୁ ଗୋଲାପି ରଙ୍ଗର ଯେଉଁ ଅର୍ଡର୍ ସ୍ଲିପ୍ ଆସେ, ଆମେ ସେହି ଅନୁସାରେ ଡିଜେଲ୍ ଦେଉ। ହେଲେ ଅନେକ ସମୟରେ ଯନ୍ତ୍ରୀ ଅର୍ଡର୍ ସ୍ଲିପ୍ ଦ୍ବାରା ନିଜ ଗାଡ଼ିରେ ଓ ଜାର୍କିନ୍ରେ ତେଲ ଭରିବା ପାଇଁ ଆମ କର୍ମଚାରୀଙ୍କୁ ବାଧ୍ୟ କରନ୍ତି।
ଅନ୍ୟପଟେ ଯନ୍ତ୍ରୀ ଯନ୍ତ୍ରୀଙ୍କ ପ୍ରତିକ୍ରିୟା ନିଆଯାଇଥିଲା। ସେ କହିଛନ୍ତି, ମୁଁ ନିଜ ଟଙ୍କାରେ ମୋ ଗାଡ଼ିରେ ତେଲ ପକାଏ। କିଛି କୁଚକ୍ରୀ ମୋତେ ଫସାଇବା ପାଇଁ ଉଦ୍ୟମ କରୁଛନ୍ତି। ହେଲେ ଏ ଘଟଣାକୁ ୪ ଦିନ ବିତିଥିଲେ ବି ଏଯାବତ ବିଭାଗ ପକ୍ଷରୁ ରୌଣସି ତତ୍ପରତା ଦେଖାଯାଇନାହିଁ। ଫଳରେ ଅଞ୍ଚଳବାସୀ ଜିଲ୍ଲାପାଳ ଏ ଦିଗରେ ଦୃଷ୍ଟି ଦେବା ପାଇଁ ଦାବି କରିଛନ୍ତି।
ଅଧିକ ପଢ଼ନ୍ତୁ:ହୀରା ପରେ ଏବେ ସୁନା: ଜବଲପୁର ମାଟି ତଳେ ସୁନା ଭଣ୍ଡାର ସନ୍ଧାନ
Baleswar
Follow Us