ସେବାୟତ ବେଶରେ ଶ୍ରୀମନ୍ଦିରରେ ପଶିଲେ!

Advertisment

ଘଟଣାକୁ ଚପାଇ ଦିଆଗଲା, ପଦାରେ ପଡ଼ିଲା ହୁଗୁଳା ସୁରକ୍ଷା ବ୍ୟବସ୍ଥା

ଘଟଣାକୁ ଚପାଇ ଦିଆଗଲା, ପଦାରେ ପଡ଼ିଲା ହୁଗୁଳା ସୁରକ୍ଷା ବ୍ୟବସ୍ଥା

ସେବକଙ୍କ ପାଇଁ ବିପଦ ସାଜିଛି ଶ୍ରୀମନ୍ଦିର ରୋଷ ଅଗଣା

Sambad English

ପୁରୀ: ବିଭିନ୍ନ ଘଟଣାବଳୀକୁ ନେଇ ଶ୍ରୀମନ୍ଦିର ସବୁବେଳେ ଚର୍ଚ୍ଚାରେ। କେତେବେଳେ ଶ୍ରୀମନ୍ଦିର ଉପରକୁ ପାଗଳ ଚଢ଼ିଯିବା ନେଇ ତ ଅନ୍ୟ କେତେବେଳେ ଶ୍ରୀମନ୍ଦିର ପତିତପାବନ ବାନା ଚିରିଯିବା ନେଇ ଚର୍ଚ୍ଚା ହୋଇଥାଏ। ତେବେ ଲକ୍‌ଡାଉନ ସମୟରେ ଶ୍ରୀମନ୍ଦିର ମଧ୍ୟକୁ ବାହାର ଜିଲ୍ଲାର ଜଣେ ପୁଲିସ ଇନ୍‌ସ୍ପେକ୍ଟର ପଶିଯିବା ପରେ ଶ୍ରୀମନ୍ଦିରରେ ପ୍ରବେଶକୁ ନେଇ ଅଧିକ କଟକଣା ଜାରି ହୋଇଥିଲା। କେବଳ ସେବାୟତମାନଙ୍କ ବ୍ୟତୀତ ଅନ୍ୟ କାହାରିକୁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ ନିଷିଦ୍ଧ କରାଗଲା। ମାତ୍ର ଏତେ କଟକଣା ସତ୍ତ୍ବେ ଆଜି ହିନ୍ଦୁ ଭିନ୍ନ ଅନ୍ୟ ଧର୍ମର କିଛି ଲୋକ ଶ୍ରୀମନ୍ଦିର ଭିତରେ ପ୍ରବେଶ କରିଥିବା ଘଟଣା ସମସ୍ତଙ୍କୁ ଚକିତ କରିଛି ।

ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି, ଆଜି କଟକରୁ ଚାରି ଜଣ ବ୍ୟକ୍ତି ସେବାୟତ ବେଶରେ ଶ୍ରୀମନ୍ଦିର ଭିତରେ ପ୍ରବେଶ କରିଥିଲେ। ତାଙ୍କୁ କେତେକ ସେବାୟତ ମା' ବିମଳାଙ୍କ ମନ୍ଦିର ସମ୍ମୁଖରେ ଚିହ୍ନଟ କରିଥିଲେ। ଏହାପରେ ଏମାନଙ୍କୁ ଶ୍ରୀମନ୍ଦିର ଭିତରୁ ବାହାର କରିଦିଆଯାଇଥିଲା। ଏହି ସମୟରେ ଡିଉଟିରେ ଥିବା ପୁଲିସ ଓ ଜେଟିପିମାନେ ଏହି ଘଟଣାକୁ ଚପାଇ ଦେଇଥିବା ଅଭିଯୋଗ ହୋଇଛି। ତେବେ ଏହା ଜଣାପଡ଼ିବା ପରେ ସେବାୟତଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ଦେଖାଯାଇଛି। ସେବାୟତ କୁଳର ମହିଳାମାନଙ୍କୁ ଶ୍ରୀମନ୍ଦିରରେ ପ୍ରବେଶ ନିଷେଧ ରହିଥିବାବେଳେ ଏହି ଚାରି ଜଣଙ୍କୁ କିପରି ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବାକୁ ଦିଆଗଲା ବୋଲି ପ୍ରଶ୍ନ ଉଠାଇଛନ୍ତି।

ପଶ୍ଚିମ ଦ୍ବାରରେ ଥିବା ସୁରକ୍ଷାକର୍ମୀ ଓ ଜେଟିପିମାନେ କିପରି ଏହି ଚାରି ଜଣଙ୍କୁ ଚିହ୍ନଟ କରିପାରିଲେ ନାହିଁ ବୋଲି ଏମାନେ ପ୍ରଶ୍ନ ଉଠାଇଛନ୍ତି। ଗୋଟିଏ ପଟେ ଶ୍ରୀମନ୍ଦିରକୁ ସର୍ବସାଧାରଣଙ୍କ ଦର୍ଶନ ପାଇଁ ଖୋଲିବାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆଲୋଚନା ଚାଲୁଥିବା ବେଳେ ଏହି ଚାରି ଜଣ କିପରି ଶ୍ରୀମନ୍ଦିରରେ ପ୍ରବେଶ କରିପାରିଲେ ବୋଲି ଚର୍ଚ୍ଚା ହେଉଛି। ଏହାଦ୍ବାରା ଶ୍ରୀମନ୍ଦିରର ହୁଗୁଳା ସୁରକ୍ଷା ବ୍ୟବସ୍ଥା ପଦାରେ ପଡ଼ିଛି । ଏହି ଚାରି ଜଣଙ୍କୁ ସେବାୟତ ବେଶରେ ଶ୍ରୀମନ୍ଦିରରେ ପ୍ରବେଶ କରିବାକୁ କିଏ ପ୍ରୋତ୍ସାହନ ଦେଇଥିଲା ବୋଲି ମଧ୍ୟ ପ୍ରଶ୍ନ ଉଠିଛି। ଏ ସମ୍ପର୍କରେ ସିଂହଦ୍ବାର ଥାନା ପୁଲିସକୁ ପଚାରିବାରେ ସେମାନଙ୍କ ନିକଟରେ କୌଣସି ଖବର ନାହିଁ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe