ଭଦ୍ରକ/ଚାନ୍ଦବାଲି: ଚାନ୍ଦବାଲିରେ ପାର୍କ କରିବା ପାଇଁ ଆମେ ଯେତେବେଳେ ଭାବିଲୁ, ସେତେବେଳେ ଆମର ପ୍ରଥମ ଚିନ୍ତା ଥିଲା ଗଛ କାଟିବୁନି। ଡିପିଆର୍ ପ୍ରସ୍ତୁତ କରିବା ପାଇଁ ଯେଉଁ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଥିଲା, ତାକୁ ବି ସେୟା କୁହାଯାଇଥିଲା। ଏବେ ଚାନ୍ଦବାଲି ସ୍ମାର୍ଟ ପାର୍କରେ ଟଏ ଟ୍ରେନ୍ ଗଡ଼ୁଛି, ଲାଇଟ୍ ଆଣ୍ଡ ସାଉଣ୍ଡ ଚାଲିଛି, ଆଜି ଆମେ ଯେଉଁ ପାର୍କରେ ବସି ଆଲୋଚନା କରୁଛୁ ଏଠାରେ ସବୁପ୍ରକାର ଉନ୍ନତି ପରେ ମଧ୍ୟ ପରିବେଶକୁ କ୍ଷତି ପହଞ୍ଚାଯାଇନାହିଁ ବୋଲି ଚାନ୍ଦବାଲି ବିଧାନସଭା ନିର୍ବାଚନମଣ୍ଡଳୀର ସ୍ମାର୍ଟ ପାର୍କଠାରେ ଆୟୋଜିତ ‘ପରିବେଶ ପଞ୍ଚାୟତ’ କାର୍ଯ୍ୟକ୍ରମରେ ବିଧାୟକ ଡ. ବ୍ୟୋମକେଶ ରାୟ କହିଛନ୍ତି। ଜନସଂଖ୍ୟା ବୃଦ୍ଧି କାରଣରୁ କଳକାରଖାନା ସଂଖ୍ୟା ବୃଦ୍ଧି ପାଇବା ସ୍ୱାଭାବିକ। ତା ଭିତରେ ବି ଆମକୁ ପରିବେଶ ସନ୍ତୁଳନ କଥା ଚିନ୍ତା କରିବା ଦରକାର। ଜଳବାୟୁ ପରିବର୍ତ୍ତନ ଏବେ ସମଗ୍ର ବିଶ୍ୱ ପାଇଁ ବଡ଼ ଆହ୍ୱାନ ହୋଇଛି।
ପରିବେଶ ପ୍ରଦୂଷଣଠାରୁ ଆରମ୍ଭ କରି ସବୁଜିମା ହଜିଯାଉଥିବାରୁ ବୃକ୍ଷରୋପଣକୁ ଜୀବନର ମୂଳମନ୍ତ୍ର ଭାବେ ବାଛିନେବାକୁ ହେବ ବୋଲି ଶ୍ରୀ ରାୟ କହିଥିଲେ। ‘ସମ୍ବାଦ ସାହିତ୍ୟଘର’ ସମ୍ପାଦକ ଅମୂଲ୍ୟ କୁମାର ରାଉତଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପରିବେଶବିତ୍ ସୁଧୀର କୁମାର ମହାନ୍ତି, ଆଇନଜୀବୀ ଉପେନ୍ଦ୍ର କୁମାର ରାଉଳ, ଚାନ୍ଦବାଲି ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ତରଣୀସେନ୍ ପଣ୍ଡା ଓ ‘ସମ୍ବାଦ ସାହିତ୍ୟ ଘର’ ଚାନ୍ଦବାଲି ଶାଖା ସଭାପତି ଜୟକୃଷ୍ଣ ନାୟକ ପ୍ରମୁଖ ଆଲୋଚକ ଭାବେ ଯୋଗ ଦେଇ ବୃକ୍ଷରୋପଣ ଉପରେ ଗୁରୁତ୍ବ ଦେଇଥିଲେ।
Follow Us