କଣ୍ଟାମାଳ : କଣ୍ଟାମାଳ ରେଞ୍ଜ ଅନ୍ତର୍ଗତ ସାନ ଝାରମୁଣ୍ଡା, ପୁଟପୁଟି ଜଙ୍ଗଲ, ପଲସାଗୋରା ନିକଟ ବନୀକରଣ ପ୍ରକଳ୍ପ ଓ ତୁବୁଡା ଜଙ୍ଗଲରେ ନିଆଁ ଲାଗିଛି। ଏକ ସମୟରେ ଅନେକ ଜଙ୍ଗଲରେ ନିଆଁ ଲାଗିଥିବାରୁ ବିଭାଗ ପକ୍ଷରୁ ଆୟତ୍ତ କରିବା ସମ୍ଭବ ହେଉନାହିଁ। ଫଳରେ ଗୁରୁବାର ବରପଦର ଫରେଷ୍ଟ ସେକ୍ସନ ଅନ୍ତର୍ଗତ ତୁବୁଡା ଜଙ୍ଗଲରେ ନିଆଁ ଲାଗିଥିବା ଦେଖି ଆଉ ବନ ବିଭାଗକୁ ଅପେକ୍ଷା ନକରି ପରିବେଶବିଦ୍ ଦୟା କ୍ଷେତି, ବିଜୟ ପ୍ରଧାନ ଓ ବିନୋଦ ସାହୁ ପ୍ରମୁଖ ମିଶି ନିଆଁକୁ ଆୟତ୍ତ କରିବାକୁ ଲାଗି ପଡ଼ିଥିଲେ। ଏହି ଅଗ୍ନିକାଣ୍ଡରେ ଅନେକ ମୂଲ୍ୟବାନ ଗଛ ନଷ୍ଟ ହୋଇଗଲା। ଦୀର୍ଘ ୪ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ବହୁତ କଷ୍ଟରେ ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଥିଲେ।
ସେମାନଙ୍କ ଏହି ମହତ୍ କାମ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିବ ବୋଲି ସଚେତନ ମହଲରେ ମତ ପ୍ରକାଶ ପାଇଛି। ଏ ସମ୍ପର୍କରେ ବରପଦର ସେକ୍ସନ ଫରେଷ୍ଟର ପ୍ରକାଶ ସେଠୀଙ୍କୁ ପଚାରିବାରୁ ଏକା ସାଙ୍ଗରେ ୪ଟି ଜଙ୍ଗଲରେ ନିଆଁ ଲାଗିବାରୁ ଲିଭାଇବା ସମ୍ଭବ ହେଲାନାହିଁ। ଏହି ୩ ଜଣ ପରିବେଶବିତ୍ଙ୍କ ଉଦ୍ୟମ ପ୍ରଶଂସନୀୟ। ଆଗାମୀ ଦିନରେ ସେମାନଙ୍କୁ ବିଭାଗ ପକ୍ଷରୁ ସମ୍ବର୍ଦ୍ଧିତ କରାଯିବ ବୋଲି କହିଛନ୍ତି।
Follow Us