ଏରସମା ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଫାଶୀ ଦଣ୍ଡାଦେଶ ପ୍ରସଂଗ: ୨୦ରେ ପରବର୍ତ୍ତୀ ଶୁଣାଣି

୧୭ରେ ପ୍ରତି ଜିଲ୍ଲାରେ ପେନ୍‌ସନ୍‌ ଅଦାଲତ

(Photo Credits: Pixabay Image)

କଟକ : ଜଗତସିଂହପୁର ଜିଲ୍ଲା ଏରସମା ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ ଅନୁମୋଦନ ସଂପର୍କିତ ଆବେଦନ ଓ ଏ ସଂପର୍କିତ ଅପିଲର ହାଇକୋର୍ଟରେ ଶୁଣାଣି ହୋଇଛି। ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୨୦କୁ ଧାର୍ଯ୍ୟ କରାଯାଇଛି। ଜଷ୍ଟିସ ଏସ୍.କେ.ମିଶ୍ର ଓ ଡକ୍ଟର ଜଷ୍ଟିସ ଏ.କେ.ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ଚାଲିଛି। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଏହି ବହୁ ଚର୍ଚ୍ଚିତ ମାମଲାରେ ଅଭିଯୁକ୍ତ ଲବ ଓରଫ କାଳିଆ ମାନ୍ନାକୁ ଜଗତସିଂହପୁର ଅତିରିକ୍ତ ଦୌରା ଜଜ୍ ତଥା ସ୍ବତନ୍ତ୍ର ପୋକ୍ସୋ ଅଦାଲତ ୨୦୧୯, ସେପ୍ଟେମ୍ବର ୧୦ରେ ଫାଶୀ ଦଣ୍ଡାଦେଶ ପ୍ରଦାନ କରିଥିଲେ।

ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୧୮ ମସିହା ମାର୍ଚ୍ଚ ୨୧ରେ ଏହି ଘଟଣା ଘଟିଥିଲା। ଏରସମା ଥାନା ଅନ୍ତର୍ଗତ ଗଡହରିଶପୁରର ୯ବର୍ଷର ନାବାଳିକା ସ୍କୁଲରୁ ଫେରି ସାଙ୍ଗମାନଙ୍କ ସହିତ ଗାଁ ଦାଣ୍ଡରେ ଖେଳୁଥିଲା। ଏହି ସମୟରେ କାଳିଆ ନାବାଳିକାକୁ ବଜାର ବୁଲାଇ ନେବ ବୋଲି କହି ସେଠାରୁ ଡାକି ଆଣିଥିଲା। ପୀଡିତାକୁ କାଜୁ ଜଙ୍ଗଲକୁ ନେଇ କାଳିଆ ଦୁଷ୍କର୍ମ କରିଥିଲା। ପୀଡିତା ନାବାଳିକା କାଳିଆର ଷଡଯନ୍ତ୍ର ବିଷୟରେ କିଛି ବି ଅନୁମାନ ଲାଗଇ ପାରି ନ ଥିଲା। ଦୁଷ୍କର୍ମ କରିବା ପରେ କାଳିଆ ନାବାଳିକାକୁ ହତ୍ୟା କରି ଗାଁରୁ ଫେରାର ହୋଇଯାଇଥିଲା। ଝିଅ ଘରକୁ ଫେରିବା ବିଳମ୍ବ ହେବାରୁ ପରିବାର ସଦସ୍ୟ ଓ ଗ୍ରାମବାସୀ ଅନେକ ଖୋଜାଖୋଜି କରିଥିଲେ ହେଁ ପୀଡିତାର ସନ୍ଧାନ ପାଇ ନ ଥିଲେ। ଏହାପରେ ସେମାନେ ପୁଲିସରେ ଖବର ଦେଇଥିଲେ। ପୁଲିସ ଖବର ପାଇ ତଦନ୍ତ ଆରମ୍ଭ କରିଥିଲା। ଏହାପରେ ଝିଅର ମୃତଦେହକୁ ଏରସମା ପୁଲିସ କାଜୁ ଜଙ୍ଗଲରୁ ଉଦ୍ଧାର କରି ଏକ ମାମଲା ରୁଜୁ କରି ତଦନ୍ତ କରିଥିଲା। ବାହାରକୁ ପଳାଇ ଯାଉଥିବା ବେଳେ କାଳିଆକୁ ପୁଲିସ ବାଦାମବାଡି ବସ୍ ଷ୍ଟାଣ୍ଡରୁ ଗିରଫ କରିଥିଲା। ମାମଲାର ଶୁଣାଣି ସମୟରେ ଅଦାଲତରେ ୨୫ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। କାଳିଆ ମାନ୍ନା ପକ୍ଷରୁ ଆଇନଜୀବୀ କରୁଣାକର ଗୟା ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe