Odisha Sun Times
କଟକ : ଜଗତସିଂହପୁର ଜିଲ୍ଲା ଏରସମା ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଫାଶୀ ଦଣ୍ଡାଦେଶ ସଂପର୍କିତ ମାମଲାରେ ଆଜି ହାଇକୋର୍ଟରେ ଯୁକ୍ତି ଉପସ୍ଥାପନ କରାଯାଇଛି। ନିମ୍ନ ଅଦାଲତରେ ଦୋଷୀ ସାବ୍ୟସ୍ତ ହୋଇ ଫାଶୀ ଦଣ୍ଡ ପାଇଥିବା କାଳିଆ ମାନ୍ନା ଓରଫ ଲବ ପକ୍ଷରୁ ଯୁକ୍ତି ଉପସ୍ଥାପନ କରାଯାଇଥିଲା। ଜଷ୍ଟିସ ଏସ.କେ.ମିଶ୍ର ଓ ଡକ୍ଟର ଜଷ୍ଟିସ ଏ.କେ.ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଚୂଡାନ୍ତ ଶୁଣାଣି ଆସନ୍ତା ୨୦ ତାରିଖରେ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତ କାଳିଆ ମାନ୍ନା ଓରଫ ଲବକୁ ୨୦୧୯, ସେପ୍ଟେମ୍ବର ୧୦ରେ ଜଗତସିଂହପୁର ଅତିରିକ୍ତ ଜିଲ୍ଲା ଦୌରା ଜଜ ତଥା ସ୍ବତନ୍ତ୍ର ପୋକ୍ସୋ ଅଦାଲତ ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ। ଏହି ଦଣ୍ଡାଦେଶକୁ ଚାଲେଞ୍ଜ କରି କାଳିଆ ଦାୟର କରିଥିବା ଅପିଲ ସହିତ ମୃତ୍ୟୁଦଣ୍ଡାଦେଶ ଅନୁମୋଦନ ସଂପର୍କିତ ମାମଲାର ଶୁଣାଣି ହାଇକୋର୍ଟରେ ଚାଲିଛି। ନିମ୍ନ ଅଦାଲତ ରେକର୍ଡ ହାଇକୋର୍ଟରେ ଦାଖଲ ହୋଇଛି। କାଳିଆ ପକ୍ଷରୁ ଆଇନଜୀବୀ କରୁଣାକର ଗୟା ମାମଲା ପରିଚାଳନା କରୁଛନ୍ତି।
ପ୍ରକାଶଥାଉକି, ୨୦୧୮ ମସିହା ମାର୍ଚ୍ଚ ୨୧ରେ ଏହି ଘଟଣା ଘଟିଥିଲା। ଏରସମା ଥାନା ଅନ୍ତର୍ଗତ ଗଡହରିଶପୁରର ୯ବର୍ଷର ନାବାଳିକା ସ୍କୁଲରୁ ଫେରି ସାଙ୍ଗମାନଙ୍କ ସହିତ ଗାଁ ଦାଣ୍ଡରେ ଖେଳୁଥିଲା। ଏହି ସମୟରେ କାଳିଆ ନାବାଳିକାକୁ ବଜାର ବୁଲାଇ ନେବ ବୋଲି କହି ସେଠାରୁ କାଜୁ ଜଙ୍ଗଲକୁ ନେଇ ଦୁଷ୍କର୍ମ କରିଥିଲା। ଦୁଷ୍କର୍ମ କରିବା ପରେ କାଳିଆ ନାବାଳିକାକୁ ହତ୍ୟା କରି ଗାଁରୁ ଫେରାର ହୋଇଯାଇଥିଲା।
Follow Us