ଓଭରହେଡ ଟାଙ୍କିରେ ତ୍ରୁଟି: ୧୫ ଦିନ ହେଲା ଜଳ ଯୋଗାଣ ବନ୍ଦ

Advertisment

ପାଣି ପାଇଁ ଡହଳବିକଳ ବଡ଼ଯୋରବାସୀ

ପାଣି ପାଇଁ ଡହଳବିକଳ ବଡ଼ଯୋରବାସୀ

ଓଭରହେଡ ଟାଙ୍କିରେ ତ୍ରୁଟି: ୧୫ ଦିନ ହେଲା ଜଳ ଯୋଗାଣ ବନ୍ଦ

ତରଭା: ତରଭା ବ୍ଲକ୍‌ କମସରା ପଞ୍ଚାୟତ ବଡ଼ଯୋର ଗାଁରେ ୧୫ ଦିନରୁ ଅଧିକ ହେଲା ଜଳ ସଙ୍କଟ ଦେଖାଦେଇଛି। ଗ୍ରାମରେ ଥିବା ଓଭରହେଡ ଟାଙ୍କିରେ ଯାନ୍ତ୍ରିକ ତ୍ରୁଟି ଥିବାରୁ ଏହା କାମ କରୁନାହିଁ। ତେଣୁ ଟେପ ଯୋଗେ ପାଣି ଯୋଗାଣ ହୋଇପାରୁ ନାହିଁ। ଜଳ ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ ରହିଥିବା ଯୋଗୁଁ ଗ୍ରାମବାସୀ ପାଣି ମୁନ୍ଦିଏ ପାଇଁ ଡହଳବିକଳ ହେଉଛନ୍ତି। ପାନୀୟ ଜଳଠାରୁ ଆରମ୍ଭ କରି ଗାଧେଇବା, କପଡ଼ା ସଫା କରିବା, ରନ୍ଧନ, ଶୌଚ ସହ ଅନ୍ୟାନ୍ୟ ସମସ୍ତ କାମ ପାଇଁ ଗାଆଁରେ ଥିବା ତିନି ଚାରୋଟି ନଳକୂପ ଉପରେ ନିର୍ଭର କରୁଛନ୍ତି। ୩ ୱାର୍ଡ ବିଶିଷ୍ଟ ଏହି ଗ୍ରାମର ଜନସଂଖ୍ୟା ୧୨୦୦ରୁ ଅଧିକ। ପାନୀୟ ଜଳ ପାଇଁ ନଳକୂପ ଆଗରେ ମହିଳାମାନଙ୍କର ଲମ୍ବା ଲାଇନ ଦେଖିବାକୁ ମିଳୁଛି। ଏ ସଂକ୍ରାନ୍ତରେ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କିଛି ସୁଫଳ ମିଳୁନାହିଁ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି।

ପ୍ରକାଶଥାଉ କି କିଛି ଦିନ ହେଲା ତରଭା ଅଞ୍ଚଳରେ ପାରଦ ୪୦ ଡିଗ୍ରିରୁ ଉପରେ ରହୁଛି। ପ୍ରବଳ ଗ୍ରୀଷ୍ମତାପ ଯୋଗୁଁ ଦିନ ୧୦ଟା ପରେ ଘରୁ ବାହାରିବା ସମ୍ଭବ ହେଉନାହିଁ। ଏମିତି ପରିସ୍ଥିତିରେ ପାନୀୟ ଜଳ ଦି ଟୋପା ପାଇଁ ବଡ଼ଯୋର ଗ୍ରାମବାସୀ ସଂଘର୍ଷ କରୁଛନ୍ତି। ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ଟେପ୍ ମାଧ୍ୟମରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ହୋଇଥିଲେ ମଧ୍ୟ ପ୍ରବଳ ଗ୍ରୀଷ୍ମତାପ ସମୟରେ ଏହା ସପ୍ତାହ ସପ୍ତାହ ଧରି ଅଚଳ ହୋଇ ପଡ଼ିରହିବା ସମ୍ପୃକ୍ତ ବିଭାଗର ଅପାରଗତାକୁ ଦର୍ଶାଉଛି। ଯଥାଶୀଘ୍ର ପଦକ୍ଷେପ ନେଇ ଏହାକୁ କାର୍ଯ୍ୟକ୍ଷମ କଲେ ସ୍ଥାନୀୟ ଜନତା ଏହି ଗ୍ରୀଷ୍ମତାପ ସମୟରେ ପାଣି ଦି ଟୋପା ପାଇପାରନ୍ତେ ବୋଲି ଗ୍ରାମବାସୀ ମତପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe