Advertisment

ଓଡ଼ିଆ ପାଠ୍ୟପୁସ୍ତକରେ ତ୍ରୁଟି, ଅସନ୍ତୋଷ ପ୍ରକାଶ କଲେ ଭାଷାବିତ୍‌

Advertisment

ପଦକ୍ଷେପ ନେବାକୁ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ

ପଦକ୍ଷେପ ନେବାକୁ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ

ବିଶ୍ବ କବିତା ଦିବସ

Times of India

ଭୁବନେଶ୍ବର : ରାଜ୍ୟ ପାଠ୍ୟପୁସ୍ତକ ପ୍ରଣୟନ ସଂସ୍ଥା ଦ୍ବାରା ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରକାଶିତ ଓଡ଼ିଆ ପୁସ୍ତକରେ ବ୍ୟାପକ ତ୍ରୁଟି ଥିବା ପରିଲକ୍ଷିତ ହୋଇଛି। ‘ଓଡ଼ିଆ ଏକ ଶାସ୍ତ୍ରୀୟ ଭାଷା’, ‘ଓଡ଼ିଆ ବ୍ୟାକରଣ’ ଏବଂ ବିଭିନ୍ନ ବିଶ୍ବବିଦ୍ୟାଳୟର ଦୂରନିରନ୍ତର ଶିକ୍ଷା ପାଇଁ ପ୍ରକାଶିତ ଓଡ଼ିଆ ଭାଷା ଓ ସାହିତ୍ୟର ଇତିହାସ ପୁସ୍ତକରେ ଶାସ୍ତ୍ରୀୟ ଭାଷା ସମ୍ପର୍କରେ ଭୁଲ୍‌ ତଥ୍ୟ ରହିଛି। ଏହାକୁ ନେଇ ବିବାଦ ଦେଖାଦେଇଛି। ଓଡ଼ିଆ ଏକ ପୁରାତନ ଭାଷା ଭାବେ ଶାସ୍ତ୍ରୀୟ ମାନ୍ୟତା ପାଇଥିଲେ ମଧ୍ୟ ଏଭଳି ତ୍ରୁଟି ଆଦୌ ଗ୍ରହଣୀୟ ନୁହେଁ। ଏହାଦ୍ବାରା ଓଡ଼ିଶା ଦୁର୍ନାମ ମୁଣ୍ଡାଉଛି ବୋଲି ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା ପକ୍ଷରୁ ଅଭିଯୋଗ କରାଯାଇଛି। ଏନେଇ ସଂସ୍ଥାର ସଦସ୍ୟ ସଚିବ ସୁବ୍ରତ କୁମାର ପୃଷ୍ଟି ଗତ ମାସ ୧୯ ତାରିଖରେ ଉଚ୍ଚଶିକ୍ଷା ସଚିବ ବିଷ୍ଣୁପଦ ସେଠୀଙ୍କୁ ପତ୍ର ଲେଖି ଅସନ୍ତୋଷ ପ୍ରକାଶ କରିଛନ୍ତି।

ସେ ପତ୍ରରେ ଦର୍ଶାଇଛନ୍ତି ଯେ ସରକାରୀ ପୁସ୍ତକରେ ଏଭଳି ତ୍ରୁଟି ଦ୍ବାରା ଓଡ଼ିଆ ଭାଷା, ସାହିତ୍ୟ ପ୍ରତି ଉପହାସ। ଓଡ଼ିଆ ଭାଷା ଏକ ପ୍ରାଚୀନ ଓ ଐତିହ୍ୟପୂର୍ଣ୍ଣ ଭାଷା ଭାବେ ୨୦୧୪ ମାର୍ଚ୍ଚ ୧୧ରେ ଶାସ୍ତ୍ରୀୟ ମାନ୍ୟତା ପାଇଥିଲା। ଉକ୍ତ ଦିନକୁ ସ୍ମରଣୀୟ କରିବା ଲାଗି ପ୍ରତିବର୍ଷ ମାର୍ଚ୍ଚ ୧୧କୁ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ଭାବେ ପାଳନ କରାଯାଉଛି। ମାତ୍ର ଶାସ୍ତ୍ରୀୟତା ପ୍ରାପ୍ତିର ୮ ବର୍ଷ ପରେ ଦେଖିବାକୁ ମିଳୁଛି ଯେ ଓଡ଼ିଆ ଭାଷା ଓ ସାହିତ୍ୟ ବିଷୟ‌ରେ ଯେଉଁ ସବୁ ନୂତନ ପୁସ୍ତକ ପ୍ରକାଶିତ ହେଉଛି, ସେଥିରେ ଶାସ୍ତ୍ରୀୟତାର ମୌଳିକ ଗବେଷଣା ତଥ୍ୟ ବଦଳରେ ମନଇଚ୍ଛା ତଥ୍ୟ ଦିଆଯାଇ ଛାତ୍ରଛାତ୍ରୀ ଓ ଓଡ଼ିଆ ଭାଷା-ସାହିତ୍ୟ-ପିପାସୁଙ୍କ ମନରେ ଦ୍ବନ୍ଦ୍ବ ସୃଷ୍ଟି କରାଯାଉଛି। ଭବିଷ୍ୟତରେ ଏହି ବିଷୟକୁ ନେଇ ରାଜ୍ୟ ସରକାର ଆଇନଗତ ସମସ୍ୟାରେ ଛନ୍ଦି ହେବାର ସମ୍ଭାବନା ବି ରହିଛି।

ତେଣୁ ଏହି ବିଷୟକୁ ଗମ୍ଭୀରତାର ସହ ଅନୁଭବ କରି ଉଚ୍ଚଶିକ୍ଷା ପାଇଁ ରାଜ୍ୟର ସମସ୍ତ ସରକାରୀ ସଂସ୍ଥାଙ୍କୁ ଏଭଳି ବିଭ୍ରାନ୍ତିକର ପୁସ୍ତକ ମୁଦ୍ରଣ ନ କରିବା‌କୁ ତଥା ମୁଦ୍ରିତ ପୁସ୍ତକର ସମୀକ୍ଷା କରି ଏହାକୁ ବିକ୍ରୟ/ବଣ୍ଟନ କରାନଯାଉ। ଏଥିସହ ଉଭୟ ସରକାରୀ ଓ ବେସରକାରୀ ପ୍ରକାଶନ ସଂସ୍ଥା‌ ଓଡ଼ିଆ ଭାଷାର ଇତିହାସ, ଓଡ଼ିଆ ସାହିତ୍ୟର ଇତିହାସ ଓ ଓଡ଼ିଶାର ଇତିହାସ ସମ୍ପର୍କିତ ପୁସ୍ତକ ରଚନା ପାଇଁ ଓଡ଼ିଶା ସାହିତ୍ୟ ଏକାଡେମି ଦ୍ବାରା ପ୍ରକାଶିତ ‘କ୍ଲାସିକାଲ ଓଡ଼ିଆ ଇନ୍‌ ହିଷ୍ଟୋରିକାଲ ପ୍ରସ୍ପେକ୍ଟିଭ୍‌’ ପୁସ୍ତକକୁ ଅନୁକରଣ ପାଇଁ ନିର୍ଦ୍ଦେଶ ଜାରି କରିବାକୁ ସେ ଅନୁରୋଧ କରିଥିଲେ। ଏହି ଚିଠି ପାଇବା ପରେ ଉଚ୍ଚଶିକ୍ଷା ବିଭାଗ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ଗୁଣାତ୍ମକ ଓଡ଼ିଆ ଭାଷାର ପୁସ୍ତକ ପ୍ରକାଶ କରିବାକୁ ବିଭାଗ ପକ୍ଷରୁ ଆଜି ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ଉପାଧ୍ୟକ୍ଷଙ୍କୁ କୁହାଯିବା ସହ ଯେତେଶୀଘ୍ର ସମ୍ଭବ ଏକ ବୈଠକ ଡାକି ଏ ବିଷୟରେ ଅଧିକ ଆଲୋଚନା କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe