ରାଜ୍ୟ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ଭୁବନେଶ୍ୱରରେ ପ୍ରତିଷ୍ଠା ହେବ କ୍ୟାନସର ହସ୍ପିଟାଲ

Advertisment
ରାଜ୍ୟ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ଭୁବନେଶ୍ୱରରେ ପ୍ରତିଷ୍ଠା ହେବ କ୍ୟାନସର ହସ୍ପିଟାଲ

ଭୁବନେଶ୍ୱର: ଆଜି ରାଜ୍ୟ କ୍ୟାବିନେଟରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଭୁବନେଶ୍ୱରରେ କ୍ୟାନସର ହସ୍ପିଟାଲ ପ୍ରତିଷ୍ଠା ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ବାଗଚୀ-ଶ୍ରୀ ଶଙ୍କର କର୍କଟ ହସ୍ପିଟାଲ ଏବଂ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ପ୍ରସ୍ତାବକୁ ମଂଜୁରୀ ଦିଆଯାଇଛି । ଏଥିପାଇଁ  ରାଜ୍ୟ ଦକ୍ଷତାବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗଚୀ ଓ ମୋ ସ୍କୁଲ୍ କାର୍ଯ୍ୟକ୍ରମ ଅଧ୍ୟକ୍ଷା ସସ୍ମିତା ବାଗଚୀ ୩୪୦ କୋଟି ଟଙ୍କା ଅନୁଦାନ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ସେହିପରି କ୍ୟାନସର ହସ୍ପିଟାଲ ପାଇଁ ରାଜ୍ୟ ସରକାର ଭୁବନେଶ୍ବରରେ ୨୦ ଏକର ଜମି ପ୍ରଦାନ କରିବେ।

୨୦୨୪ ସୁଦ୍ଧା ୨୫୦ ଶଯ୍ୟା ବିଶିଷ୍ଟ କର୍କଟରୋଗ ଚିକିତ୍ସାଳୟ ଆରମ୍ଭ ହେବ। ପରେ ଶଯ୍ୟା ସଂଖ୍ୟା ୫ଶହକୁ ବୃଦ୍ଧି କରାଯିବ। ସଂପୂର୍ଣ୍ଣ ମାଗଣା ଚିକିତ୍ସା ପାଇଁ ୨୫ ପ୍ରତିଶତ ଶଯ୍ୟା ଅଲଗା ରଖାଯିବ।

ସେହିପରି ଭୁବନେଶ୍ୱରରେ କରୁଣାଶ୍ରାୟ ପାଲିଏଟିଭ କେୟାର ସେଣ୍ଟର ପ୍ରତିଷ୍ଠା ପ୍ରସ୍ତାବକୁ ମଧ୍ୟ ମଂଜୁରୀ ମିଳିଛି । ଏହାଛଡ଼ା ଜିଲ୍ଲା ଜଜ କ୍ୟାଡର ନିଯୁକ୍ତି ପ୍ରକ୍ରିୟାକୁ ସରଳ କରିବା ସହ ନିଯୁକ୍ତି ବର୍ଷରେ ଅଧିକାରୀଙ୍କ ବରିଷ୍ଠତା ପଦ୍ଧତି ସ୍ଥିର କରିବା ପାଇଁ ଓଏସଜେଏସ ଏବଂ ଓଜେଏସ ନିୟମାବଳୀ ସଂଶୋଧନକୁ ମଂଜୁରୀ ମିଳିଛି।

ଏହାଛଡ଼ା ଅନୁସୂଚିତ ଜାତି ଓ ଜନଜାତି  ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରୁଥିବା ଅନ୍ୱେଷା ଯୋଜନାର ଅବଧିକୁ  ବୃଦ୍ଧି କରାଯାଇଛି। ଏହି ଯୋଜନା ଅଧିନରେ ଏସସି/ଏସଟି ଛାତ୍ରଛାତ୍ରୀଙ୍କୁ ହଷ୍ଟେଲରେ ରଖି ଇଂଲିସ୍ ମିଡିୟମ୍ ସ୍କୁଲରେ ପାଠପଢ଼ା ଯାଇଥାଏ। ଆଗାମୀ ୫ ବର୍ଷ ଯାଏଁ ଏହି ଯୋଜନାକୁ ଚାଲୁ ରଖିବାକୁ ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି। ଏଥିପାଇଁ ୫ ବର୍ଷରେ ୫୬୯.୯୦ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି।

ଅପରପକ୍ଷରେ ଓଡ଼ିଶା ମଙ୍ଗଳ ସେବା( ନିଯୁକ୍ତି ଓ ଚାକିରି ସର୍ତ୍ତାବଳୀ)ର ସଂଶୋଧନ ବି କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏହି କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଛି।  ବୈଠକ ଶେଷ ପରେ ଏ ସଂପର୍କରେ ମୁଖ୍ୟ ଶାସନସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe