ଭିଜିଲାନ୍ସ ଜାଲରେ ଏଷ୍ଟିମେଟର, ଅଙ୍ଗନବାଡ଼ି ସୁପରଭାଇଜର

Advertisment
ଭିଜିଲାନ୍ସ ଜାଲରେ ଏଷ୍ଟିମେଟର, ଅଙ୍ଗନବାଡ଼ି ସୁପରଭାଇଜର

ରାୟଗଡ଼ା/ନବରଙ୍ଗପୁର/କୋଷାଗୁମୁଡ଼ା: ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଦୁଇ ସରକାରୀ କର୍ମଚାରୀ। ଠିକାଦାରଙ୍କଠାରୁ ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ରାୟଗଡ଼ା ଜନସ୍ବାସ୍ଥ୍ୟ ବିଭାଗ ଏଷ୍ଟିମେଟର୍‌ ରମାକାନ୍ତ ମଲ୍ଲିକ ଓ ଅଙ୍ଗନବାଡ଼ି କର୍ମୀଙ୍କ ନିକଟରୁ ୫ ହଜାର ନେବା ବେଳେ ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ସେକ୍ଟର ଆଇସିଡିଏସ୍‌ ସୁପରଭାଇଜର୍‌ ରାଜେଶ୍ବରୀ ରାଜକୁମାରୀ ନାଗଙ୍କୁ ଭିଜିଲାନସ୍ ଗିରଫ କରିଛି। ଉଭୟଙ୍କ ଘର ଓ ସରକାରୀ କାର୍ଯ୍ୟାଳୟରେ ଚଢ଼ଉ କରିଛି।

ରାୟଗଡ଼ା ଜିଲ୍ଲା ଜନସ୍ବାସ୍ଥ୍ୟ ବିଭାଗର ଏଷ୍ଟିମେଟର୍‌ ଅଛନ୍ତି ଶ୍ରୀ ମଲ୍ଲିକ। ଠିକାଦାର ସୁମନ୍ତ ପରିଡ଼ା ପାଣି ପମ୍ପ୍‌ଗୁଡିକ ଖରାପ ହୋଇଥିବାରୁ ମରାମତି କରିଥିଲେ। ମରାମତିର ଏଷ୍ଟିମେଟ୍‌ ସହ ଏଗ୍ରିମେଣ୍ଟ୍‌ କରିବା ପାଇଁ ବାରମ୍ବାର ଶ୍ରୀ ମଲ୍ଲିକଙ୍କ ପାଖକୁ ଯାଉଥିଲେ। ଶ୍ରୀ ମଲ୍ଲିକ ସୁମନ୍ତଙ୍କୁ ୭ହଜାର ଟଙ୍କା ମାଗିଥିଲେ। ଟଙ୍କା ନ‌ଦେଲେ କାମ ହୋଇପାରିବନି ବୋଲି କହିଥିଲେ। ସୁମନ୍ତ ଭିଜିଲାନ୍ସ ବିଭାଗ ନିକଟରେ ଅଭିଯୋଗ କରିଥିଲେ। ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁସାରେ ଆଜି ଶ୍ରୀ ମଲ୍ଲିକ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଟିମ୍‌ ତାଙ୍କୁ ଗିରଫ କରିଛି। କୋଟଲାଗୁଡ଼ାସ୍ଥିତ ଭଡ଼ାଘର ସହ ଏକାକାଳୀନ ୩ଟି ସ୍ଥାନରେ ଚଢ଼ଉ କରାଯାଇଛି। ଅତିରିକ୍ତ ଏସ୍‌ପି ଅରୁଣ କୁମାର ମହାନ୍ତି ଏହାର ନେତୃତ୍ବ ନେଇଥିଲେ। ରାୟଗଡ଼ା ଭିଜିଲାନ୍ସ ନିରୀକ୍ଷକ ତରୁଲତା ବେହେରା, ଏଏସ୍‌ଆଇ କେ.ରଘୁନାଥ ଦୋରା, କନେଷ୍ଟବଳ ଭିଏସ୍‌ଏସ୍‌ ଶର୍ମା, ଆନନ୍ଦ ବେହେରା ପ୍ରମୁଖ ଏଥିରେ ସାମିଲ ହୋଇଥିଲେ। କୋରାପୁଟ ଭିଜିଲାନ୍ସ ବିଭାଗ ଏନେଇ ଏକ ମାମଲା (୩୦/୨୩) ରୁଜୁ କରି ଅଧିକ ତଦନ୍ତ ଚଳାଇଛି। ଶ୍ରୀ ମଲ୍ଲିକଙ୍କ ଘରୁ ଏବଂ ଅଫିସରୁ କେତେ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଜବତ ହୋଇଛି ଜଣାପଡ଼ିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

ସେହିପରି ୨୦୨୨ ଅକ୍ଟୋବରରୁ ୨୦୨୩ ଜୁଲାଇ ସୁଦ୍ଧା ଅଙ୍ଗନବାଡ଼ି କେନ୍ଦ୍ରକୁ ପୋଷଣ ସାମଗ୍ରୀ ଏବଂ ଖେଳନା ବାବଦରେ ଆସିଥିବା ଟଙ୍କା ମଞ୍ଜୁର କରିବାକୁ ୫ ହଜାର ୪ଶହ ଟଙ୍କା ଲାଞ୍ଚ ମାଗିଥିଲେ କୋଡ଼ିଙ୍ଗା ମହିଳା ସୁପରଭାଇଜର ରାଜେଶ୍ବରୀ। ଏ ନେଇ ଭିଜିଲାନ୍ସ ପାଖରେ ଅଭିଯୋଗ ହୋଇଥିଲା। ଲାଞ୍ଚ ଟଙ୍କା ନେବାକୁ ରାଜେଶ୍ବରୀ କର୍ମୀଙ୍କୁ କୋଡ଼ିଙ୍ଗା‌ସ୍ଥିତ ଅଙ୍ଗନବାଡ଼ି କେନ୍ଦ୍ରକୁ ଡାକିଥିଲେ। ଟଙ୍କା ନେବାବେଳେ ପୂର୍ବ ଯୋଜନା ଅନୁଯାୟୀ ନବରଙ୍ଗପୁର ଭିଜିଲାନ୍ସ ବିଭାଗର କର୍ମଚାରୀ ତାଙ୍କୁ କାବୁ କରିବା ସହ ରାସାୟନିକ ବୋଳା ଟଙ୍କା ଜବତ କରିଥିଲେ। ସୁପରଭାଇଜରଙ୍କ କୋଡ଼ିଙ୍ଗା ସେକ୍ଟର କାର୍ଯ୍ୟାଳୟ ସମେତ ସେନାପତି ସାହିସ୍ଥିତ ନିଜ ବାସଭବନରେ ଏକକାଳୀନ ଚଢ଼ଉ କରାଯାଇଛି। ଏ ନେଇ କୋରାପୁଟ ଭିଜିଲାନ୍ସ ପକ୍ଷରୁ ଏକ ମାମଲା(୩୧/୨୩) ରୁଜୁ ‌ହୋଇଛି। ଚଢ଼ଉରେ ନବରଙ୍ଗପୁର ଭିଜିଲାନ୍ସ ଡିଏସ୍‌ପି ଜୟଶ୍ରୀ ପ୍ରଧାନ, ଜୟପୁର ଭିଜିଲାନ୍ସ ଡିଏସ୍‌ପି ଅଭୟ ପ୍ରଧାନ, ଇନ୍ସପେକ୍ଟର ସରିତା ତ୍ରିପାଠୀ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe