ଇଥାନଲ୍ ପ୍ଲାଣ୍ଟର ଶିଳାନ୍ୟାସ : ବରଗଡ଼ରେ ଆହୁରି ୫ ସମ୍ଭାବନା

Advertisment
ଇଥାନଲ୍ ପ୍ଲାଣ୍ଟର ଶିଳାନ୍ୟାସ : ବରଗଡ଼ରେ ଆହୁରି ୫ ସମ୍ଭାବନା

ବରଗଡ଼ : ବୁଧବାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ବରଗଡ଼ ଜିଲ୍ଲା ବାଉଲସିଂହା ଠାରେ ପ୍ରସ୍ତାବିତ ଇଥାନଲ ପ୍ଲାଣ୍ଟର ଶିଳାନ୍ୟାସ କରିଛନ୍ତି। ସ୍ଥାନୀୟ ଜର୍ଜ ହାଇସ୍କୁଲ ପଡ଼ିଆଠାରେ ଅନୁଷ୍ଠିତ ଉତ୍ସବରେ ରାଜ୍ୟପାଳ ଶ୍ରୀ ଲାଲ ଏହି ପ୍ରକଳ୍ପ ଚାଷୀଙ୍କ ପାଇଁ ସମର୍ପିତ ବୋଲି କହିଥିଲେ। ଏହାଦ୍ବାରା ବରଗଡ଼ ଜିଲ୍ଲାର ଅର୍ଥନୈତିକ ପରିବର୍ତ୍ତନ ଘଟିବ। ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେଲେ ଆଧୁନିକ ଭାରତ ସହ ଏକ ଐତିହାସିକ ପୃଷ୍ଠା ଯୋଡ଼ି ହେବ ବୋଲି ସେ କହିଥିଲେ।

କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇଥାନଲ କାରଖାନା ମୋଦୀ ସରକାରଙ୍କ ଏକ ବଡ଼ ଉପଲବ୍ଧି ବୋଲି କହିବା ସହ ଏହି ପ୍ଲାଣ୍ଟ ପଶ୍ଚିମ ଓଡ଼ିଶାବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ନୂଆଁଖାଇ ଭେଟି ବୋଲି କହିଥିଲେ। ବରଗଡ଼ ଜିଲ୍ଲାରେ ବାର୍ଷିକ ୧୫ରୁ ୧୬ ଲକ୍ଷ ମେଟ୍ରିକ୍ ଟନ୍ ନଡ଼ା ବାହାରୁଛି। ଏଥିରୁ ୧୦ରୁ ୧୨ ମେଟ୍ରିକ୍ ଟନ୍ ନଡ଼ା ଚାଷୀ ଜାଳି ଦେଉଛନ୍ତି। ତେଣୁ ଏହି ନଡ଼ା ବିକ୍ରି କରି ଚାଷୀ ଭଲ ରୋଜଗାର କରିବେ। ପ୍ରଥମ ପ୍ରୟୋଗ ସଫଳ ହେଲେ ବରଗଡ଼ ଜିଲ୍ଲାରେ ଆହୁରି ୫ଟି ଇଥାନଲ୍ କାରଖାନା ପ୍ରତିଷ୍ଠାର ସମ୍ଭାବନା ରହିଛି। ଏଠାକାର ଲୋକେ କର୍ମସଂସ୍ଥାନ ପାଇଁ ଅଭାବରୁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। କିନ୍ତୁ ଏଠାରେ ଥିବା ଭିତ୍ତିଭୂମି ବିକାଶ ହେଲେ ବରଗଡ଼ ସାରା ରାଜ୍ୟର ଯୁବକଯୁବତୀଙ୍କୁ ନିଯୁକ୍ତି ଦେଇ ପାରିବ ବୋଲି ଶ୍ରୀ ପ୍ରଧାନ କହିଥିଲେ।

ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଏହି ପ୍ରକଳ୍ପ ପାଇଁ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କୁ ଶ୍ରେୟ ଦେଇଥିଲେ। ଇଥାନଲ୍ ପ୍ଲାଣ୍ଟ ପାଇଁ ରାଜ୍ୟ ଜମି ଓ ଜଳ ଦେଇଛି। ଓଡ଼ିଶାରେ ଯେକୌଣସି ସ୍ଥାନରେ କେନ୍ଦ୍ର ସରକାର ବିକାଶ ପାଇଁ ଚିନ୍ତା କରିବ, ରାଜ୍ୟ ସରକାର ସଂପୂର୍ଣ୍ଣ ସହଯୋଗ କରିବେ। କାରଣ ଓଡ଼ିଶାର ବିକାଶରେ ହିଁ ଦେଶର ବିକାଶ ଅନ୍ତର୍ନିହିତ। ବିକାଶ ପାଇଁ ରାଜନୈତିକ ଚଷମା ଖୋଲି ମିଳିତ ଭାବେ କାମ କରିବାକୁ ହେବ ବୋଲି ଶ୍ରୀ ଆଚାର୍ଯ୍ୟ କହିଥିଲେ। ଅନ୍ୟପକ୍ଷରେ ବିପିସିଏଲ୍ ନିର୍ମାଣ କରୁଥିବା ଏହି ହଜାରେ କୋଟି ଟଙ୍କାର ପ୍ରକଳ୍ପ ପାଇଁ ସେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଜଣାଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ମନ୍ତ୍ରୀ ସ୍ନେହାଂଗିନୀ ଛୁରିଆ, ସାଂସଦ ପ୍ରଭାସ ସିଂ, ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ପଦ୍ମପୁର ବିଧାୟକ ପ୍ରଦୀପ ପୁରୋହିତ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ମୁକ୍ତା ସାହୁ, ଉପାଧ୍ୟକ୍ଷ ମଦନ ଦୀପ, ବିପିସିଏଲ୍ ସିଏମଡି ଡି. ରାଜକୁମାର, ଇଆଇଏଲ୍ ସିଏମଡି ଜେସି ନାକ୍ରା, ବିପିସିଏଲ୍ ନିର୍ଦ୍ଦେଶକ (ବିଶୋଧନାଗାର) ଆର୍ ରାମଚନ୍ଦ୍ରନ, ଏସ୍ଏଲସି ପ୍ରୀତିଶ ଭାରତ ପ୍ରମୁଖ ମଂଚାସୀନ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe