ଆସିଲେନି ଅଲିଭ୍‌ ରିଡ୍‌ଲେ, ହେଲାନି ଗଣ ଅଣ୍ଡାଦାନ

Advertisment
ଆସିଲେନି ଅଲିଭ୍‌ ରିଡ୍‌ଲେ, ହେଲାନି ଗଣ ଅଣ୍ଡାଦାନ

ବ୍ରହ୍ମପୁର: ଅଲିଭ୍‌ରିଡ୍‌ଲେ କଇଁଛଙ୍କ ଅନ୍ତୁଡ଼ିଶାଳ ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ମୁହାଣ ପୋଡ଼ମପେଟା ବେଳାଭୂମି ଏବେ ବିପଦ ମୁହଁକୁ ଠେଲି ହୋଇଯାଇଛି। ବେଳାଭୂମି ଅବକ୍ଷୟ ହୋଇ ଚାଲିଛି। ମୁହାଣର ଦିଗ ମଧ୍ୟ ବଦଳୁଛି। ଅଲିଭ୍‌ରିଡ୍‌ଲେ କଇଁଛଙ୍କ ଗଣଅଣ୍ଡାଦାନ ପୂର୍ବରୁ ନୂତନ ବାଲୁକାଶଯ୍ୟା ସୃଷ୍ଟି ହେଉଛି। ପ୍ରତିକୂଳ ଜଳବାୟୁ ପ୍ରଭାବ ଯୋଗୁଁ ଏ ବର୍ଷ ଅଲିଭ୍‌‌ରିଡଲେ ଆସିଲେ ନାହିଁ କି ଗଣଅଣ୍ଡାଦାନ ହେଲା ନାହିଁ। ଯାହାକି ଏହି ବିରଳ ପ୍ରାଣୀଙ୍କ ବଂଶବୃଦ୍ଧି ପ୍ରତି ବିପଦ ଆଣିଛି। ପରିବେଶର ସନ୍ତୁଳନ ବିଗିଡ଼ିବା ଯୋଗୁଁ ଏଭଳି ହୋଇଥିବା ପରିବେଶବିତ୍‌ମାନେ ମତ ଦେଉଛନ୍ତି ଗଞ୍ଜାମ ଉପକୂଳ ପ୍ରାୟାଗୀ ଠାରୁ ସୋନପୁର ପର୍ଯ୍ୟନ୍ତ ପ୍ରାୟ ୫୮ କିମି ବେଳାଭୂମି ରହିଥିବା ବେଳେ ଅଲିଭ୍‌ରିଡ୍‌ଲେ କଇଁଛ ଋଷିକୁଲ୍ୟା ମୁହାଣକୁ ଗଣଅଣ୍ଡାଦାନ ପାଇଁ ସୁରକ୍ଷିତ ସ୍ଥାନ ଭାବେ ବାଛିଥାନ୍ତି। ନଭେମ୍ବରରୁ ଜାନୁଆରି ପର୍ଯ୍ୟନ୍ତ ୩ ମାସ କଇଁଛଙ୍କ ମିଳିନ ଋତୁ ବୋଲି ଧରାଯାଏ। ଏହାପରେ ଫେବ୍ରୁଆରି ଶେଷ ସପ୍ତାହ ନ‌ହେଲେ ମାର୍ଚ୍ଚରେ ଗଣଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଥାଏ।

ବିଗତ କିଛି ବର୍ଷ ତଳେ ଏପ୍ରିଲ୍‌ରେ ମଧ୍ୟ ଅଣ୍ଡାଦାନ ହୋଇଥିଲା। କିନ୍ତୁ ଚଳିତ ବର୍ଷ ଋଷିକୁଲ୍ୟା ମୁହାଣରେ ଗଣଅଣ୍ଡାଦାନ ହୋଇ ନାହିଁ। ପ୍ରାୟ ୧୫ଶହ କଇଁଛ ସ୍ପୋରୋଡିକ୍‌ ନେଷ୍ଟିଂ (ବିକ୍ଷିପ୍ତ ଅଣ୍ଡାଦାନ) କରିଥିବା ଦେଖିବାକୁ ମିଳିଥିଲା। ଏ ସମ୍ପର୍କରେ ଋଷିକୁଲ୍ୟା ସମୁଦ୍ର କଇଁଛ ସୁରକ୍ଷା ସମିତି ସମ୍ପାଦକ ରବୀନ୍ଦ୍ର କୁମାର ସାହୁ କହନ୍ତି, ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ଅଦିନିଆ ବର୍ଷା ହୋଇଥିଲା। ବେଳାଭୂମିରେ ଜଳୀୟ ଅଂଶ ରହି ଯାଇଥିଲା। ବଡ଼ ଜୁଆର ଆସି ସମୁଦ୍ର କୂଳ ଲଂଘିବାରୁ ଗଞ୍ଜାମ ବ୍ଲକ୍‌ର ପୁରୁଣା ପୋଡ଼ମପେଟା, ନୂଆପୋଡ଼ମପେଟା ଓ ବଟେଶ୍ବରରେ ବେଳାଭୂମି ପ୍ରଭାବିତ ହୋଇଥିଲା। ଏହା କଇଁଛଙ୍କ ନିମନ୍ତେ ପ୍ରତିକୂଳ ବାତାବରଣ ସୃଷ୍ଟି କରିଥିଲା। ବେଳାଭୂମିରୁ ସମୁଦ୍ର ଭିତରକୁ ପ୍ରାୟ ୩/୪କିମି ପରେ ଲକ୍ଷାଧିକ ସଂଖ୍ୟାରେ ଅଲିଭ୍‌ରିଡ୍‌ଲେ ଥିଲେ। କିନ୍ତୁ କୂଳକୁ ଆସି ଅଣ୍ଡାଦାନ କରି ନଥିଲେ ବୋଲି ଶ୍ରୀ ସାହୁ କହିଛନ୍ତି।

ସୂଚନାଯୋଗ୍ୟ ଯେ ୨୦୨୨-୨୩ରେ ଗଞ୍ଜାମ ବ୍ଲକ୍‌ର ପୋଡ଼ମପେଟାରୁ ବଟେଶ୍ବର ପର୍ଯ୍ୟନ୍ତ ବାଲୁକାଶଯ୍ୟାରେ ୬ଲକ୍ଷ ୩୭ହଜାର କଇଁଛ ଗଣଅଣ୍ଡାଦାନ କରିଥିଲେ। ସେହିପରି ୨୦୨୧-୨୨ରେ ପ୍ରାୟ ସାଢ଼େ ୫ଲକ୍ଷରୁ ଅଧିକ କଇଁଛ ଗଣଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହୋଇଥିବା ବେଳେ ୨୦୨୦-୨୧ ମାତ୍ର ୪ହଜାର ୩୮୮ କଇଁଛ ଅଣ୍ଡାଦାନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe