ବ୍ୟାସନଗର: ବ୍ୟାସନଗର ସହର ସେନ୍କୋ ଗୋଲ୍ଡରୁ ଡକାୟତି ଘଟଣାକୁ ୫ ଦିନ ପୂରିଲାଣି କିନ୍ତୁ ପୁଲିସ ଏଯାଏ କାହାରିକୁ ଗିରଫ କରିପାରି ନାହିଁ। ପୁଲିସ ରାଜ୍ୟ ବାହାରେ ଲୁଟେରାଙ୍କୁ ଖୋଜୁଥିବା ବେଳେ ଦୁର୍ବୃତ୍ତ କୋରେଇ ଅଞ୍ଚଳରେ ବୁଲିଥିବା ନେଇ ବିଭିନ୍ନ ସିସିଟିଭି ଫୁଟେଜ୍ ଅନୁଧ୍ୟାନରୁ ସନ୍ଦେହ କରଯାଉଛି।
କୋରେଇ ଥାନା ଅଞ୍ଚଳରେ ସନ୍ଦିଗ୍ଧ ବାଇକ୍
ରାଜ୍ୟ ବାହାରେ ଖୋଜୁଛି ପୁଲିସ
ଘଟଣା ଦିନ ଯାଜପୁରରୋଡ ଥାନା ଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ, ଏସ୍ଡିପିଓ ସଞ୍ଜୟ ପଟ୍ଟନାୟକ, ଏସ୍ପି ଭିନୀତ ଅଗ୍ରୱାଲ ଅନୁଧ୍ୟାନ କରିଥିଲେ। ଦୁଇଦିନ ପରେ ୧୭ ତାରିଖ ଆଇଜି ନରସିଂହ ଭୋଳ ତଦନ୍ତ କରି ଯଥାଶୀଘ୍ର ଲୁଟେରାଙ୍କୁ ଧରାଯିବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଥିଲେ। ଅଳଙ୍କାର ଦୋକାନ ସିସି କ୍ୟାମେରା ହାର୍ଡଡିସ୍କ ଅନୁଧ୍ୟାନ କରି ତିନିଜଣ ସନ୍ଦିଗ୍ଧଙ୍କ ଫଟୋ ଜାରି କରି ଧରାଇଦେଲେ ପୁରସ୍କାର ଦିଆଯିବ ବୋଲି ପୁଲିସ ଘୋଷଣା କରିଥିଲା। ଏସ୍ପିଙ୍କ ସ୍ଵତନ୍ତ୍ର ଟିମ ରାଜ୍ୟ ବାହାରେ ଡକାୟତମାନଙ୍କୁ ଧରିବା ପାଇଁ ଚଢ଼ଉ ଜାରି ରଖିଛି। ହେଲେ ଦୁର୍ବୃତ୍ତମାନେ କୋରେଇ ଥାନା ଅଞ୍ଚଳରେ ବୁଲୁଥିବା କୁହାଯାଉଛି। ବିଭିନ୍ନ ଦୋକାନୀଙ୍କ ସିସି କ୍ୟାମେରାରୁ ମିଳିଥିବା ଫଟୋ ସହ ସମନ୍ଵୟ ରହିଛି ଥିବା ସ୍ଥାନୀୟ ଅଞ୍ଚଳର ଲୋକମାନେ କହୁଛନ୍ତି।
ସୂଚନା ଅନୁଯାୟୀ ଗତ ୧୪ ତାରିଖ କୋରେଇ ଥାନା ଅନ୍ତର୍ଗତ ତେଲେଙ୍ଗା ବସ୍ତିରେ ଅନ୍ତରାଜ୍ୟ ଲୁଟେରାଙ୍କ ଏକ ବୈଠକ ହୋଇଥିଲା। ଯେଉଁ ଥିରେ ଝାଡ଼ଖଣ୍ଡ, ବିହାର, ବ୍ରହ୍ମପୁର, ଆସ୍କା ଅଞ୍ଚଳର କିଛି ଦୁର୍ବୃତ୍ତ ସାମିଲ ଥିଲେ। ଏ ସମ୍ପର୍କରେ କୋରେଇ ଥାନା ଅଧିକାରିଣୀ ସଂଘମିତ୍ରା ନାୟକଙ୍କୁ ପଚାରିବାରୁ ବୈଠକ ସମ୍ପର୍କରେ ଅବଗତ ନଥିବା ସୂଚନା ଦେଇଥିବା ବେଳେ ପାଟ୍ରୋଲିଂ କରାଯାଉଛି ବୋଲି ସଫେଇ ଦେଇଥିଲେ। ରାଜ୍ୟ ବାହାର ପୁଲିସ ଏହି ବସ୍ତିରେ ଚଢ଼ଉ କରି ବିଭିନ୍ନ ଲୁଟ୍ରେ ସମ୍ପୃକ୍ତ ଥିବା ଅଭିଯୁକ୍ତକୁ ବର୍ଷରେ ଏକାଧିକ ବାର ଉଠାଇ ନେଉଛି।ଏପରିକି କିଛିଦିନ ତଳେ ବ୍ୟାସନଗର ଡାକବଙ୍ଗଳା ଛକ ନିକଟରେ ଥିବା ଏକ ସୁନା ଦୋକାନରେ ତେଲେଙ୍ଗା ବସ୍ତିର ଜଣେ ଲୁଟେରା ଚୋରା ସୁନା ବିକିଥିବା ଜଣାପଡ଼ିବା ପରେ କୋଲିକାତା ମେଦିନାପୁର ପୁଲିସ ସୁନା ଦୋକାନୀକୁ ଗିରଫ କରିବା ସହ ଲୁଟେରାକୁ ଗିରଫ କରି ନେଇଥିଲେ। ହେଲେ ସ୍ଥାନୀୟ ପୁଲିସ କିନ୍ତୁ ଏହି ଲୁଟ୍ ଘଟଣାରେ ସେମିତି କିଛି କାର୍ଯ୍ୟାନୁଷ୍ଠାନ ନେଉନି। ପୁଲିସ ସିସିଟିଭି ଫୁଟେଜରୁ ପାଇଥିବା ତଥ୍ୟ ଅନୁସାରେ ପଲସର୍ ଗାଡିଟି ୧୪ଟା୨୮ ମିନିଟରେ ରଗଡି ଛକରେ ପହଞ୍ଚିଥିବା​ ବେଳେ ୧୪ ଟା ୩୩ ମିନିଟରେ କନ୍ତୋର ଅଭିମୁଖେ ଯାଇଥିଲା। ଯାଜପୁର ରୋଡ ଥାନା ଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନଙ୍କୁ ପଚାରିବାରୁ ସିସିଟିଭି ଫୁଟେଜକୁ ଆଧାର କରି ସ୍ଥାନୀୟ ଅଞ୍ଚଳରେ ତଦନ୍ତ ଚାଲିଛି ବୋଲି ସୂଚନା ଦେଇଛନ୍ତି।
Follow Us