ଅସନ୍ତୋଷ ଲୁଚାଇଲେ ବି ଲୁଚୁନି: ନବୀନ ନିବାସରେ ବରିଷ୍ଠ ନେତାଙ୍କ ବୈଠକ

Advertisment

ୱକଫ୍‌ ବିଲ୍‌ରେ ବିଜେଡିର ଆଭିମୁଖ୍ୟକୁ ନେଇ ଦଳରେ ଦେଖାଦେଇଥିବା ଆଭ୍ୟନ୍ତରୀଣ ବିବାଦ ମୋଡ଼ ବଦଳାଇଛି। ଏ ପ୍ରସଙ୍ଗରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ହାବଭାବ ମଧ୍ୟ କାହାକୁ ବୁଝାପଡ଼ୁନାହିଁ।

ୱକଫ୍‌ ବିଲ୍‌ରେ ବିଜେଡିର ଆଭିମୁଖ୍ୟକୁ ନେଇ ଦଳରେ ଦେଖାଦେଇଥିବା ଆଭ୍ୟନ୍ତରୀଣ ବିବାଦ ମୋଡ଼ ବଦଳାଇଛି। ଏ ପ୍ରସଙ୍ଗରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ହାବଭାବ ମଧ୍ୟ କାହାକୁ ବୁଝାପଡ଼ୁନାହିଁ।

ssccds

ଭୁବନେଶ୍ବର: ୱକଫ୍‌ ବିଲ୍‌ରେ ବିଜେଡିର ଆଭିମୁଖ୍ୟକୁ ନେଇ ଦଳରେ ଦେଖାଦେଇଥିବା ଆଭ୍ୟନ୍ତରୀଣ ବିବାଦ ମୋଡ଼ ବଦଳାଇଛି। ଏ ପ୍ରସଙ୍ଗରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ହାବଭାବ ମଧ୍ୟ କାହାକୁ ବୁଝାପଡ଼ୁନାହିଁ। ‘ବିବେକ’ର ଖେଳ ଖେଳି ଯେଉଁ ଗୋଷ୍ଠୀ ବିଜେଡିକୁ ଜାତୀୟ ସ୍ତରରେ ଅପଦସ୍ଥ କରିଛନ୍ତି, ସେମାନେ ଏବେ ନିଜ ପ୍ରଭାବ ବିସ୍ତାର କରିବା ପାଇଁ ନୂଆ ଖେଳ ଆରମ୍ଭ କରିଛନ୍ତି। ଭିକେ ପାଣ୍ଡିଆନଙ୍କ ନାଁ ଧରିଥିବା ସାଂସଦ ଦେବାଶିଷ ସାମନ୍ତରାୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ଢେର୍‌ ଚାପ କୌଶଳ ପ୍ରୟୋଗ କରୁଛନ୍ତି। ଏହି ଗୋଷ୍ଠୀ ନିଜ ନିଷ୍ପତ୍ତିକୁ ଠିକ୍ ବୋଲି ଦର୍ଶାଇବାକୁ ଯେ କୌଣସି ସ୍ତରକୁ ଯିବା ଲାଗି ପ୍ରସ୍ତୁତ। ସେପଟେ ବରିଷ୍ଠ ନେତା ବି ନଛୋଡ଼ବନ୍ଧା। ଆଜି ନବୀନଙ୍କୁ ଭେଟି ସିଧା ସିଧା ପଚାରିଛନ୍ତି ଯେ ଦଳୀୟ ସାଂସଦଙ୍କ ବିରୋଧରେ ସାମାଜିକ ଗଣମାଧ୍ୟମରେ ଟ୍ବିଟ୍‌ କରିବା ପାଇଁ ଅନ୍ୟ ସାଂସଦଙ୍କୁ କିଏ ନିର୍ଦ୍ଦେଶ ଦେଲା? ପାଣ୍ଡିଆନଙ୍କ ପାଇଁ ଓକିଲାତି କରି ଦଳ ସାମାଜିକ ଗଣମାଧ୍ୟମରେ କିଭଳି ହଲାପଟା ହେଉଛି, ସେ ସଂକ୍ରାନ୍ତରେ ବି ଅବଗତ କରିଛନ୍ତି। ମନେପକାଇ ଦେଇଛନ୍ତି ଯେ ସାଂସଦ ସସ୍ମିତ ପାତ୍ର କାହା ନିର୍ଦ୍ଦେଶରେ ଦଳର ଭାବମୂର୍ତ୍ତିକୁ ମଝିଦାଣ୍ଡକୁ ନେଇଗଲେ? ନବୀନ ସମସ୍ତଙ୍କର ସବୁ କଥା ଶୁଣିଥିଲେ ହେଁ ଉଭୟ ଗୋଷ୍ଠୀର ଅଭିଯୋଗ ଉପରେ କୌଣସି ସ୍ପଷ୍ଟ ମନ୍ତବ୍ୟ ରଖିନାହାନ୍ତି। କେବଳ ଧାଡ଼ିଏ ବାକ୍ୟରେ କହିଛନ୍ତି ଯେ ଆଗ ଗଣମାଧ୍ୟମରେ ବୟାନବାଜି ବନ୍ଦ କରନ୍ତୁ। ଦଳର କ୍ଷତି ହେଉଛି। ମୋ ଉପରେ ଭରସା ରଖନ୍ତୁ। ଠିକ୍ ପଦକ୍ଷେପ ନିଆଯିବ। ଏହାକୁ କେହି କେହି ଝଡ଼ ପୂର୍ବର ନିରବତା ବୋଲି ବର୍ଣ୍ଣନା କରୁଛନ୍ତି। ଆଉ କେହି କହୁଛନ୍ତି ଯେ ଏମିତି ହିଁ ସମୟ ନେଇ ନବୀନ ମୂଳ ଅଭିଯୋଗକୁ ଟାଳି ଫିଙ୍ଗିଦେବେ। ଅତୀତରେ ଏହାର ଅନେକ ନଜିର ରହିଛି। 

ଆଜି ପୂର୍ବାହ୍ଣରେ ବିଜେଡିର ବରିଷ୍ଠ ନେତାମାନେ ନବୀନ ନିବାସ ଯାଇଥିଲେ। ସଭାପତି ନବୀନ ପଟ୍ଟନାୟକଙ୍କ ସହ ସେମାନଙ୍କର ଆଲୋଚନା ହୋଇଥିଲା। ୱକଫ୍‌ ବିଲ୍‌ ପ୍ରସଙ୍ଗରେ ଗଣମାଧ୍ୟମରେ ଆଉ ବୟାନ ନ ଦେବା ପାଇଁ ନବୀନ ସେମାନଙ୍କୁ କହିଥିଲେ। ଦଳ ଧର୍ମନିରପେକ୍ଷ ନୀତିରେ ଅଟଳ ରହିଛି ଓ ଏହି ପ୍ରସଙ୍ଗରେ ଠିକ୍‌ ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ। ଏହା ପରେ ସାଂଗଠନିକ ନିର୍ବାଚନ, ବିଶେଷ କରି ଜିଲ୍ଲା ସଭାପତି ନିର୍ବାଚନ ସମ୍ପର୍କରେ ଆଲୋଚନା ହୋଇଥିଲା। ବାହାରେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ଆଗରେ ବରି‌ଷ୍ଠ ନେତାମାନେ ୱକଫ୍‌ ବିଲ୍‌ ପ୍ରସଙ୍ଗରେ ଆଉ କିଛି କହି ନଥିଲେ। ଦେବୀ ମିଶ୍ର, ଅରୁଣ ସାହୁ, ପ୍ରତାପ କେଶରୀ ଦେବ, ସଞ୍ଜୟ ଦାସବର୍ମା, ଅତନୁ ସବ୍ୟସାଚୀ ନାୟକ ପ୍ରମୁଖ ଗଣମାଧ୍ୟମ ପ୍ରତିନିଧିଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ବୁଲେଇ ବଙ୍କେଇ ଦେଇଥିଲେ। କହିଥିଲେ ଯେ ନବୀନ ପଟ୍ଟନାୟକଙ୍କ ନେତୃ୍ତ୍ବରେ ବିଜେଡି ମଜଭୁତ ଅଛି। କିଛି ଦ୍ବନ୍ଦ୍ବ ନାହିଁ। ସଭାପତିଙ୍କ ସହ ସାଂଗଠନିକ ନିର୍ବାଚନ ସମ୍ପର୍କରେ ଆଲୋଚନା ହେଲା ବୋଲି ସେମାନେ କହିଥିଲେ। ତେବେ ଆଜି ବରିଷ୍ଠ ନେତାମା‌ନେ ନବୀନ ନିବାସ ଯିବାର ଯଥେଷ୍ଟ ପୂର୍ବରୁ ପ୍ରସନ୍ନ ଆଚାର୍ଯ୍ୟ, ଅନଙ୍ଗ ଉଦୟ ସିଂହଦେଓ ଓ କଳିକେଶ ସିଂହଦେଓ ସେଠାରେ ପହଞ୍ଚିଥିଲେ। ସେମାନେ ନବୀନଙ୍କ ସହ କେଉଁ ପ୍ରସଙ୍ଗରେ ଆଲୋଚନା କଲେ ତାହା ସ୍ପଷ୍ଟ ହୋଇ ନାହିଁ। 

ନବୀନ ନିବାସରେ ବରିଷ୍ଠ ନେତାଙ୍କ ବୈଠକ
ୱକଫ୍‌ ପ୍ରସଙ୍ଗରେ ପାଟି ଫିଟାଇବାକୁ ମନା
ଦେବାଶିଷଙ୍କ ବି‌ରୋଧରେ କାର୍ଯ୍ୟାନୁଷ୍ଠାନ ଚାପ
ନବୀନ ସବୁ ଶୁଣି ନିରବ, ସମୟ ଗଡ଼ାଇଲେ

ସେପଟେ ବରିଷ୍ଠ ନେତା ପଦ୍ମନାଭ ବେହେରା ଆଜି ଗଣମାଧ୍ୟମରେ ଅସନ୍ତୋଷ ଝାଡ଼ିଛନ୍ତି। ସେ କହିଛନ୍ତି, ଦଳ ଭିତରେ ଚାଲିଥିବା ଦ୍ବନ୍ଦ୍ବରେ ଖୁବ୍ ଶୀଘ୍ର ଯବନିକା ପଡ଼ିବା ଉଚିତ। ଯାହା ସବୁ ହେଉଛି ତାହା ଦଳ ପାଇଁ କ୍ଷତିକାରକ। ପାଣ୍ଡିଆନ ତ ସନ୍ନ୍ୟାସ ନେଲେଣି ବୋଲି ସେ ନିଜେ କହିଛନ୍ତି। ତେଣୁ ତାଙ୍କ ସପକ୍ଷରେ ବାହାରି ମତ ଦେଇ ଦଳକୁ କ୍ଷତି ପହଞ୍ଚାଇବା ଠିକ୍ ହେଉନି। ସେହିପରି ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ ମଧ୍ୟ ଦେବାଶିଷ ସାମନ୍ତରାୟଙ୍କ ସପକ୍ଷରେ ବାହାରିଛନ୍ତି। ସାଂସଦମାନେ ଟ୍ବିଟ୍‌ କରି ତାଙ୍କୁ ସମାଲୋଚନା କରିବା ଠିକ୍ ହେଲାନି ବୋଲି ସେ କହିଛନ୍ତି। ଆଜି ଆଉ ଏକ ଘଟଣାକ୍ରମେ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତିଙ୍କ ଘରେ କିଛି ଯୁବ ନେତା ଏକାଠି ହୋଇଥିଲେ। ଦେବୀରଞ୍ଜନ ତ୍ରିପାଠୀ, ରୁଦ୍ରପ୍ରସାଦ ମହାରଥୀ, ବିଷ୍ଣୁବ୍ରତ ରାଉତରାୟ, ଚନ୍ଦ୍ରସାରଥୀ ବେହେରା, ସମ୍ବିତ ରାଉତରାୟ, ପ୍ରଣବ ବଳବନ୍ତରାୟ ପ୍ରମୁଖ ଏଥିରେ ସାମିଲ ହୋଇଥିଲେ। ସେମାନେ ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟିବେ ବୋଲି ସମୟ ମାଗିଥିଲେ। କିନ୍ତୁ ତିନି ଦିନ ପର୍ଯ୍ୟନ୍ତ ସଭାପତି କାହାକୁ ଭେଟିବେ ନାହିଁ ବୋଲି ନବୀନ ନିବାସରୁ କୁହାଗଲା। ଏଥିରେ ସେମାନେ ଅସନ୍ତୁଷ୍ଟ ହୋଇ ଶଙ୍ଖ ଭବନ ଯାଇଥିଲେ। ସେଠାରେ ଦେବୀ ମିଶ୍ରଙ୍କ ସାମନାରେ ଏ ନେଇ ଅସନ୍ତୋଷ ଜାହିର କରିଥିଲେ। ବରିଷ୍ଠ ନେତାମାନେ ଭେଟି ପାରୁଥିଲା ବେଳେ ଆମ୍ଭେମାନେ କାହିଁକି ଭେଟିପାରିବୁନି ବୋଲି ପ୍ରଶ୍ନ କରିଥିଲେ। ତିନି ଚାରି ଦିନ ଭେଟିବାକୁ ମନା ହୋଇଛି ବୋଲି ଶ୍ରୀ ମିଶ୍ର କହିଥିଲେ। ନିକଟରେ ଉପସ୍ଥିତ ଥିବା ବିଧାୟକ ଅରୁଣ ସାହୁ ଏଥିରେ ହସ୍ତକ୍ଷେପ କରିଥିଲେ। ଯୁବନେତାମାନେ ହିଁ ଦଳର ଭବିଷ୍ୟତ ଓ ସେମାନଙ୍କୁ ରୋକାଯିବା ଠିକ୍ ନୁହେଁ ବୋଲି କହିଥିଲେ। ଏହା ପରେ ଆସନ୍ତାକାଲି ସେମାନଙ୍କୁ ନବୀନ ନିବାସ ନେଇ ସଭାପତିଙ୍କୁ ସାକ୍ଷାତ କରାଇବାକୁ ଶ୍ରୀ ମିଶ୍ର ଦାୟିତ୍ବ ନେଇଥିଲେ। 

ଅନ୍ୟପଟେ ଦେବାଶିଷ ସାମନ୍ତରାୟଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଗୋଟିଏ ଗୋଷ୍ଠୀ ଉଦ୍ୟମ ଚଳାଇଛନ୍ତି। କିନ୍ତୁ ଏହାକୁ ଏକ ବଡ଼ ଗୋଷ୍ଠୀ ବିରୋଧ କରୁଛନ୍ତି। ଦେବାଶିଷଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଲେ ଭୁଲ୍‌ ବାର୍ତ୍ତା ଯିବ ବୋଲି ଏମାନେ ଯୁକ୍ତି ବାଢ଼ିଛନ୍ତି। ତେଣୁ ଏ ଦିଗରେ କୌଣସି ପ୍ରକ୍ରିୟା ଆଗେଇ ପାରି ନାହିଁ।  
ବିଜୁ ଯୁବ ଜନତା ଦଳର ନେତା ନୀଳମାଧବ ମହାନ୍ତି ଆଜି ଗଣମାଧ୍ୟମରେ ଆଉ ଏକ ବିସ୍ଫୋରକ ବୟାନ ଦେଇଛନ୍ତି। ସେ କହିଛନ୍ତି, ଭୋଟିଂ ପରଦିନ ଆମେ ସସ୍ମିତ ପାତ୍ରଙ୍କୁ ଫୋନ୍ କରି ପଚାରିଥିଲୁ। ବିବେକ ଅନୁଯାୟୀ ଭୋଟ୍‌ ଦେବାକୁ ଆମକୁ ମାନସ ମଙ୍ଗରାଜ କହିଥିବା ଶ୍ରୀ ପାତ୍ର ଆମକୁ ସୂଚନା ଦେଇଥିଲେ। ମାନସ ମଙ୍ଗରାଜ ବିଜେପି ସହ ଡିଲ୍‌ କରିଛନ୍ତି। ସେମାନେ ଚାହୁଛନ୍ତି ବିଜେଡି ଶେଷ ହୋଇଯାଉ। ତେବେ ଏହି ଅଭିଯୋଗକୁ ଶ୍ରୀ ମଙ୍ଗରାଜ ଖଣ୍ଡନ କରିଛନ୍ତି। ସସ୍ମିତ ପାତ୍ରଙ୍କ ସହ ତାଙ୍କର କୌଣସି ବାର୍ତ୍ତାଳାପ ସେ ଦିନ ହୋଇ ନାହିଁ। ସେ କେବେ ବି ଏପରି କହି ନଥିବେ। ସେ ବିଦେଶରୁ ଫେରିଲା ପରେ ଏ ସମ୍ପର୍କରେ ସ୍ପଷ୍ଟୀକରଣ ଦେଇପାରିବେ। କିନ୍ତୁ ଯେଉଁ ନେତା ଜଣଙ୍କ ଏପରି ମନ୍ତବ୍ୟ ଦେଉଛନ୍ତି, ତାହାଙ୍କୁ ସେ ଚିହ୍ନିନାହାନ୍ତି ବୋଲି ଶ୍ରୀ ମଙ୍ଗରାଜ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe