ଏମିତି ବି ଆସେ ମୃତ୍ୟୁ: ଖେଳିବାକୁ ଯାଇ କୂଅରେ ପଡ଼ିଗଲେ ୨ ଭାଇ

Advertisment
ଏମିତି ବି ଆସେ ମୃତ୍ୟୁ: ଖେଳିବାକୁ ଯାଇ କୂଅରେ ପଡ଼ିଗଲେ ୨ ଭାଇ

ଢେଙ୍କାନାଳ: ବିଧିର ବିଧାନ କେତେ ବିଚିତ୍ର। ଦୁନିଆକୁ ଦେଖିବା ପୂର୍ବରୁ ହାତ ଧରାଧରି ହୋଇ ଖେଳିବାକୁ ଯାଇ ଦୁଇଭାଇ ଏକ ପରିତ୍ୟକ୍ତ କୂଅରେ ପଡ଼ି ପ୍ରାଣ ହରାଇଛନ୍ତି। ସେମାନଙ୍କ ବାପା ଓ ମା କାମକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଛି।  ୪ ଓ ୫ ବର୍ଷର ଏହି ଶିଶୁ ଦୁଇଟିର ମୃତଦେହକୁ ଆଜି ପୁଲିସ ପରିତ୍ୟକ୍ତ କୂଅରୁ ଉଦ୍ଧାର କରିଛି। ସଦର ଥାନା ଅନ୍ତର୍ଗତ ଭାପୁର ଫାଣ୍ଡି ମଧୁସାହୁ ପାଟଣା ପଞ୍ଚାୟତର ବିମ୍ବୋଳ ନଟକଟା ଗାଁରେ ଏଭଳି ହୃଦୟ ବିଦାରକ ଘଟଣା ସାମ୍‌ନାକୁ ଆସିବା ପରେ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି।

ସୂଚନା ଅନୁଯାୟୀ, ବିମ୍ବୋଳ ନଟକଟା  ଗ୍ରାମର କଂପାନି ପଧାନ ଓ ତାଙ୍କ ପତ୍ନୀ ସରସ୍ୱତୀ ପଧାନ ୪ ପୁଅ ଓ ଜଣେ ଝିଅକୁ ଘରେ ଛାଡ଼ିଦେଇ ଗତକାଲି ଦିନ ୧୨ଟା ସମୟରେ ବିଲକୁ ଧାନ କାଟିବାକୁ ଯାଇଥିଲେ। ସମସ୍ତ ଭାଇଭଉଣୀ ଘରେ ଏକାଠି ଖେଳୁଥିଲେ। ସେମାନଙ୍କ ମଧ୍ୟରୁ ରଞ୍ଜିତ ପଧାନ(୫) ଏବଂ ସଞ୍ଜିତ ପଧାନ(୪) ଦୁଇଭାଇ ହାତ ଧରାଧରି ହୋଇ ଅନ୍ୟ ଭାଇଭଉଣୀଙ୍କ ଅଜାଣତରେ ବାହାରକୁ ଖେଳିବାକୁ ପଳାଇ ଆସିଥିଲେ। ତେବେ ଖେଳୁଥିବା ଅବସ୍ଥାରେ ସେମାନେ ଘରଠାରୁ କିଛି ଦୂର  ଗ୍ରାମ ଭିତରେ  ଥିବା ଏକ ପରିତ୍ୟକ୍ତ କୂଅରେ ଖସି ପଡ଼ିଥିଲେ। କୂଅରେ ଦୁଇ ଭାଇ ଖସିପଡ଼ିବା ସଂପର୍କରେ ମଧ୍ୟ କେହି ଜାଣିପାରି ନ ଥିଲେ। ଗତକାଲି ଅପରାହ୍ଣ ୫ଟା ସମୟରେ କମ୍ପାନି ଏବଂ ତାଙ୍କ ସ୍ତ୍ରୀ ସରସ୍ବତୀ ବିଲରୁ ଘରକୁ ଫେରିବା ପରେ ଛୋଟ ପୁଅ ଦୁଇଟିକୁ ପାଇନଥିଲେ। ବହୁ ଖୋଜାଖୋଜି କରି ନପାଇବାରୁ ଭାପୁର ଫାଣ୍ଡିରେ ଅଭିଯୋଗ କରିଥିଲେ। ପୁଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହଯୋଗରେ ବହୁ ଖୋଜାଖୋଜି କରି ଫେରି ଯାଇଥିଲେ । ଆଜି ସକାଳେ ପୁଣି ଖୋଜାଖୋଜି କରିବାରୁ ଗ୍ରାମ ଭିତରେ ତଥା ଘର ପଛପଟେ ଥିବା ଏକ ପରିତ୍ୟକ୍ତ କୂଅରେ ଶିଶୁ ଦୁଇଟିର ମୃତଦେହ ଭାସୁଥିବା ଗ୍ରାମବାସୀ ଦେଖିଥିଲେ। ପରେ ପୁଲିସ ସହଯୋଗରେ କୂଅ ଭିତରୁ ମୃତ ଶିଶୁ ଦୁଇଟିକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe