ମୁଖ୍ୟମନ୍ତ୍ରୀ ଏକ ନମ୍ବର ହେଲେ ବି ରାଜ୍ୟ ପଛୁଆ: ପଞ୍ଚାନନ

Advertisment

ରାଜ୍ୟରେ ଜଳସେଚନର ବାସ୍ତବ ସ୍ଥିତି ନେଇ ମିଥ୍ୟା ତଥ୍ୟ ପ୍ରଦାନ କରୁଛନ୍ତି ସରକାର

ରାଜ୍ୟରେ ଜଳସେଚନର ବାସ୍ତବ ସ୍ଥିତି ନେଇ ମିଥ୍ୟା ତଥ୍ୟ ପ୍ରଦାନ କରୁଛନ୍ତି ସରକାର

ରିହାତିରେ ଯାହା ପାଇଥିଲେ, ତାହା ହରାଇବେ: ପଞ୍ଚାନନ କାନୁନ୍‌ଗୋ

New Indian Express

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶରେ ଏକ ନମ୍ବର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। କିନ୍ତୁ ଓଡ଼ିଶା ସବୁବେଳେ ପଛୁଆ ହୋଇ ରହିଛି। ଦେଶର କୌଣସି ଗୋଟିଏ ଉତ୍ପାଦନରେ ପ୍ରଥମ ୪ଟି ରାଜ୍ୟ ଭିତରେ ଓଡ଼ିଶା ସ୍ଥାନ ପାଇପାରିଲା ନାହିଁ ବୋଲି କହିଛନ୍ତି ପୂର୍ବତନ ଅର୍ଥ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନ୍‌ଗୋ। ଇନ୍ଦ୍ରାବତୀ ପ୍ରକଳ୍ପ ପ୍ରସଙ୍ଗରେ ସରକାରଙ୍କୁ ସମାଲୋଚନା କରି ସେ କହିଛନ୍ତି ଯେ ନବୀନ ବାବୁଙ୍କ ଶାସନ କାଳ ଆରମ୍ଭ ହେଲା ୨୦୦୦ ମସିହାରେ। ସେତେବେଳେ ଇନ୍ଦ୍ରାବତୀର ୮୦% କାର୍ଯ୍ୟ ସମ୍ପାଦିତ ହୋଇ ସାରଥିଲା। ଗତ କୋଡ଼ିଏ ବର୍ଷ ମଧ୍ୟରେ ଇନ୍ଦ୍ରାବତୀର ମାତ୍ର ୨୦% ଜମିକୁ ଜଳସେଚନ କରାଯାଇ ସରକାର ଏତେ ବାହାଦୁରି କାହିଁକି ନେଉଛନ୍ତି?

ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ କାନୁନ୍‌ଗୋ ଆହୁରି କହିଛନ୍ତି ଯେ ଓଡ଼ିଶାରେ କୃଷି ଉପଯୋଗୀ ଜମିର ପରିମାଣ ୬୪ ଲକ୍ଷ ହେକ୍ଟର। ସେଥିରୁ ୨୦୧୩-୧୪ରେ ୫୪.୨୪ ଲକ୍ଷ ହେକ୍ଟର ଜମିର ଚାଷ ହୋଇଥିଲା। ସେଥିରେ ୪୩ ଲକ୍ଷ ହେକ୍ଟର ଜମିରେ ଖରିଫ ଧାନ ଚାଷ ହୋଇଥାଏ। ଗୋଟିଏ ପରିବାର ପିଛା ହାରାହାରି ୧ ହେକ୍ଟର ଜମି ରହିଛି । ସରକାରୀ ହିସାବରେ ଖରିଫ ରୁତୁରେ ୨୨.୫୪ ଲକ୍ଷ ହେକ୍ଟର ଜମିରେ ଅର୍ଥାତ ଭଲ ବର୍ଷା ଥିଲେ ଏହି ପରିମାଣରେ ଜଳସେଚନ ହୁଏ । ଅନାବୃଷ୍ଟି ସମୟରେ ଆବଶ୍ୟକ ଜଳ ଅଭାବରୁ ଫସଲ କମ ହୁଏ ଏବଂ ଏହି ଜଳସେଚନ ପରିମାଣ ୩୦%ରୁ କମିଯାଏ। ରବି ଋତୁରେ ମାତ୍ର ୧୩ ଲକ୍ଷ ହେକ୍ଟର ବା ୨୦% ଜମିରେ ଜଳସେଚନ ବ୍ୟବସ୍ଥା ହୁଏ । ଖରା ଦିନରେ ମାତ୍ର ୩% ବା ଅତି ବେଶିହେଲେ ୧.୫ ଲକ୍ଷ ହେକ୍ଟର ଜମିରେ ଜଳସେଚନ ହୁଏ। ରାଜ୍ୟରେ ବର୍ଷକୁ ମୋଟ ବର୍ଷା ଅନୁପାତ ହାରାହାରି ୧୫୦୦ ମି.ମି. ଓ ପ୍ରବାହିତ ଜଳରାଶି ୯୫ ବିଲିଅନ କ୍ୟୁବିକ୍ ମିଟର। ଏଥିରୁ ୭ଟି ବଡ଼ ଜଳସେଚନ ପ୍ରକଳ୍ପରେ ମାତ୍ର ୧୪ ବିକ୍ୟୁ ମିଟର, ୪୦ଟି ମଧ୍ୟମ ଯୋଜନାରେ ୧.୬୩ ବିକ୍ୟୁ ମିଟର ଓ ଅନ୍ୟାନ୍ୟରେ ମାତ୍ର ୦.୮୫ ବିକ୍ୟୁ ମିଟର ଏପରି ମୋଟ ୧୭.୩୪ ବିକ୍ୟୁ ମିଟର ପାଣି ରୁହେ। ଅର୍ଥାତ ୧୮ରୁ ୨୦% ପାଣି ସଂଗୃହୀତ ହୋଇ ରୁହେ ଏବଂ ସମସ୍ତ ଜଳରାଶିର ୭୨% ପାଣି ସମୁଦ୍ରକୁ ବୋହିଯାଏ। ଏହି ତଥ୍ୟକୁ ସରକାର ନିଜେ ସ୍ୱୀକାର କରିଛନ୍ତି। ନବୀନ ବାବୁ ସରକାରକୁ ଆସିବା ପରେ ‘ଗୋଦରା କୋଡ଼େ ଯେତେ ମାଡ଼େ ସେତେ’ ନ୍ୟାୟରେ ଯାହା କରିିଛନ୍ତି ତାହାର ଫଳସ୍ୱରୂପ ଜଳସେଚନ ପ୍ରକଳ୍ପ ମାତ୍ର ୪୯.୨୮% ବ୍ୟବହାର ହୋଇଛି, ଯାହା କି ସରକାର ଦାୟିତ୍ୱ ନେବା ବେଳେ ୫୮.୯୫% ଥିଲା। ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ଯୋଜନା ନାମରେ ୨୦୧୦-୧୧ ରୁ ଆରମ୍ଭ ହୋଇଥିବା ଚେକ୍ ଡ୍ୟାମରେ ଏ ପର୍ଯ୍ୟନ୍ତ ୪ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି, କିନ୍ତୁ ବର୍ଷାପରେ ରବି ଋତୁରେ ମାତ୍ର ୪୦୦ ହେକ୍ଟର ଜମିରେ ପାଣି ମାଡ଼େ ନାହିଁ । ଉପକୂଳ ଅଂଚଳରେ କ୍ରିକ୍ ଜଳସେଚନ ବ୍ୟବସ୍ଥା ଗଲା କୁଆଡ଼େ? ୧୮ ହଜାର ଉଠା ଜଳ‌େସଚନ ପଏଣ୍ଟ ଅଚଳ ହେତୁ ରାଜ୍ୟରେ ଉଠା ଜଳସେଚନ ବ୍ୟବସ୍ଥା ସଂପୂର୍ଣ୍ଣ ଭାବେ ଭୁଷୁଡ଼ି ପଡ଼ିଛି । ଏ ସମସ୍ତ ପ୍ରଶ୍ନର ଉତ୍ତର ରଖିବା ପାଇଁ ଶ୍ରୀ କାନୁନଗୋ ମୁଖ୍ୟମନ୍ତ୍ରୀଙ୍କୁ ଆହ୍ୱାନ ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ମନୋଜ ମହାପାତ୍ର, ମନୋରଞ୍ଜନ ଦାଶ ଓ ପ୍ରଶାନ୍ତ ଶତପଥୀ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe