ସରକାରଙ୍କ ପାଇଁ ସବୁ ବର୍ଗର କର୍ମଚାରୀ ସମାନ: ମୁଖ୍ୟମନ୍ତ୍ରୀ

ସ୍ୱଳ୍ପ ବେତନଭୋଗୀ ସରକାରୀ କର୍ମଚାରୀ ସଂଘର ଦ୍ୱିବାର୍ଷିକ ସମ୍ମିଳନୀ

ସରକାରଙ୍କ ପାଇଁ ସବୁ ବର୍ଗର କର୍ମଚାରୀ ସମାନ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସରକାରଙ୍କ ପାଇଁ ସବୁ ବର୍ଗର କର୍ମଚାରୀ ସମାନ। କାରଣ କର୍ମଚାରୀ ହେଲେ ସରକାରଙ୍କର ଏକ ଅବିଚ୍ଛେଦ୍ୟ ଅଙ୍ଗ। ବିଶେଷ କରି ଗ୍ରୁପ୍‌ ଡି ବର୍ଗର କର୍ମଚାରୀ ମୋର ଅତ୍ୟନ୍ତ ପ୍ରିୟ ହୋଇଥିବାରୁ ସେମାନଙ୍କର ଯଥାର୍ଥ ଦାବି ଯାହା ପୂରଣ ହୋଇନାହିଁ ତାହା ଆଲୋଚନା ମାଧ୍ୟମରେ ସମାଧାନ କରାଯିବ ବୋଲି ଓଡ଼ିଶା ବିଭାଗୀୟ ମୁଖ୍ୟଦପ୍ତର ସ୍ୱଳ୍ପବେତନଭୋଗୀ ସରକାରୀ କର୍ମଚାରୀ ସଂଘର ୧୦ମ ଦ୍ୱିବାର୍ଷିକ ରାଜ୍ୟ ସମ୍ମିଳନୀକୁ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଏହି ସମ୍ମିଳନୀରେ ଅର୍ଥ ଓ ଅବକାରୀ ମନ୍ତ୍ରୀ ଶଶିଭୂଷଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ବିଧାୟକ ବିଜୟ କୁମାର ମହାନ୍ତି, ମେୟର ଅନନ୍ତ ନାରାୟଣ ଜେନା ଓ ଏନଜିଓସିସିର ସାଧାରଣ ସମ୍ପାଦକ ସୁଧାଂଶୁ ପତି ବକ୍ତବ୍ୟ ରଖିଥିଲେ। ସଂଘର ସାଧାରଣ ସମ୍ପାଦକ ମାୟାଧର ବାରିକ ବିବରଣୀ ପାଠ କରିଥିଲେ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିରୁପାକ୍ଷ ତ୍ରିପାଠୀ, ବିରଞ୍ଚି ନାରାୟଣ ଅଧିକାରୀ, ବିଭୂତି କାନୁନ୍‌ଗୋ, ବିଶ୍ୱନାଥ ରାଉଳ, ପତିତପାବନ ମହାନ୍ତି, ନରେନ୍ଦ୍ର ବାରିକ, ହରିଶଙ୍କର ହୋତା ଓ ଅନାଦି ଶତପଥୀ ପ୍ରମୁଖ ୮ ଜଣଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହାପରେ ସଂଘ ସଭାପତି ଗଙ୍ଗାଧର ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏକ ବିଶେଷ ଅଧିବେଶନରେ ନରସିଂହ ଆଚାରୀ, ବଳରାମ ପ୍ରସାଦ ବସୁମଲ୍ଲିକ, ଅନିଲ ମହାନ୍ତି, କୁଳମଣି ପଣ୍ଡା ଓ ଗଗନ ଭଞ୍ଜ ପ୍ରମୁଖ ବକ୍ତବ୍ୟ ଦେଇଥିଲେ। ଅଜୟ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ଅବସରରେ ଆଗାମୀ ଦୁଇ ବର୍ଷ ପାଇଁ ନିର୍ବାଚିତ ୨୮ ଜଣ କର୍ମକର୍ତ୍ତାଙ୍କୁ ବରିଷ୍ଠ କର୍ମଚାରୀ ସାରଦା ମହାନ୍ତି ଶପଥ ପାଠ କରାଇଥିଲେ। ରିଟର୍ଣ୍ଣିଂ ଅଫିସର ଅଜୟ କୁମାର ନାୟକ ଦାବି ଘୋଷଣା କରିଥିଲେ। ଦାବି ଗୁଡ଼ିକ ମଧ୍ୟରେ ଗ୍ରୁପ୍‌ ଡି କର୍ମଚାରୀଙ୍କ କ୍ଷେତ୍ରରେ ସର୍ବନିମ୍ନ ୨୧ ହଜାର ଟଙ୍କା, ଅବସର ୬୦ ପରିବର୍ତ୍ତେ ୬୨, ଠିକା ନିଯୁକ୍ତି ଉଚ୍ଛେଦ, ସପ୍ତମ ବେତନ କମିଶନରେ ମିଳୁଥିବା କୋଡ଼ିଏ ପ୍ରତିଶତ ଘରଭଡ଼ା, ଅସ୍ଥାୟୀ କର୍ମଚାରୀ ଓ ଓ୍ଵାର୍କଚାର୍ଜଡକୁ ଏକକାଳୀନ ସ୍ଥାୟୀ ଚାକିରିର ମାନ୍ୟତା ପ୍ରଦାନ, ପୋଷାକ ଭତ୍ତା ଏକ ହଜାର ପରିବର୍ତ୍ତେ ୨ ହଜାର ଟଙ୍କା, ଓ ଧୁଲେଇ ଭତ୍ତା ୧୦୦ ଟଙ୍କା ପରିବର୍ତ୍ତେ ୨ ଶହ ଟଙ୍କାକୁ ବୃଦ୍ଧି ଦାବି ଅନ୍ତର୍ଭୁକ୍ତ ରହିଛି। ଏହି କାର୍ଯ୍ୟକ୍ରମକୁ ସଂଘର ଉପଦେଷ୍ଟା ଗଗନ ଭଞ୍ଜ, ଜୟଦେବ ପ୍ରଧାନ ଓ ରୋହିତ ବାରିକ ପ୍ରମୁଖ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe