ଭୁବନେଶ୍ୱର: ଓଡ଼ିଶାର ନୌବାଣିଜ୍ୟ ପରମ୍ପରା ବିଷୟରେ ଆମେ ପୁସ୍ତକରେ ପଢ଼ୁ। ସେ ସମ୍ପର୍କରେ କିଛି ଅନୁଭବକୁ ସାଉଣ୍ଟିବା ସହିତ ପାରମ୍ପରିକ ପ୍ରଥା ଓ ପରମ୍ପରାକୁ ସ୍ମରଣ କରିବା ପାଇଁ ବୋଇତ ବନ୍ଦାଣ ଉତ୍ସବ ପାଳନ କରାଯାଏ। ସହରାଞ୍ଚଳରେ ରହୁଥିବା ପିଲାମାନେ ଏ ବିଷୟରେ ଜାଣି ପାରୁନାହାନ୍ତି। କାରଣ ନା ଆମ ପାଖରେ ସମୁଦ୍ର ଅଛି ନା ନଦୀ। ଆମେ କେବଳ କଂକ୍ରିଟ୍ ଜଙ୍ଗଲ ଦେଖୁଛୁ। ‘ସମ୍ୱାଦ ଡିଜିଟାଲ’ ପକ୍ଷରୁ ସମ୍ୱାଦ ଭବନ ପରିସରରେ ଆୟୋଜିତ ବୋଇତ ବନ୍ଦାଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ‘ସମ୍ୱାଦ ଗ୍ରୁପ’ର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ଏହା କହିଛନ୍ତି। ଶ୍ରୀ ପଟ୍ଟନାୟକ ଆହୁରି କହିଥିଲେ, ସମ୍ୱାଦ ଡିଜିଟାଲ ପକ୍ଷରୁ ଏହି ପ୍ରୟାସ ଅତ୍ୟନ୍ତ ସୁନ୍ଦର ଓ ଉତ୍ସାହଜନକ। ଆମେ ଉତ୍ତର ପିଢ଼ି ପାଇଁ ଏହା ବାର୍ତ୍ତା ବହନ କରୁ। ଆମ ସମସ୍ତେ ଉତ୍କଳର ଗୌରବମୟ ନୌବାଣିଜ୍ୟ ବିଷୟରେ ଜାଣିବା ସହିତ ଓଡ଼ିଆ ଅସ୍ମିତା ଓ ଗୌରବ ବିଷୟରେ ଚିନ୍ତା କରିବା ଆବଶ୍ୟକ ବୋଲି ସେ ମତ ପ୍ରକାଶ କରିଥିଲେ।
କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ଅତିଥି ଭାବେ ସମ୍ବାଦ ଗ୍ରୁପ ପରିଚାଳନା ନିର୍ଦ୍ଦେଶିକା ମୋନିକା ନୈୟର ପଟ୍ଟନାୟକ, ସମ୍ୱାଦର ମୁଖ୍ୟ ପରିଚାଳନା ଅଧିକାରୀ ତଥା ପ୍ରକାଶକ କମଳାକାନ୍ତ ମହାପାତ୍ର, ବାର୍ତ୍ତା ସଂପାଦକ ଭବାନୀ ଶଙ୍କର ତ୍ରିପାଠୀ, ସମ୍ବାଦ ଡିଜିଟାଲ ବିଜ୍ନେସ୍ ହେଡ୍ ଲିଙ୍ଗରାଜ ଲେଙ୍କା, ‘ଆମ ଓଡ଼ିଶା’ର ସମ୍ପାଦକ ଅରବିନ୍ଦ ଦାସ, ସେଲସ୍ ଆଣ୍ଡ ମାର୍କେଟିଂ ମହାପ୍ରବନ୍ଧକ ସଞ୍ଜୟ ଗୌର, ସମ୍ବାଦ ଡିଜିଟାଲ ସେଲ୍ସ୍ ଆଣ୍ଡ ମାର୍କେଟିଂର ଡିଜିଏମ ସୁଶାନ୍ତ ମହାପାତ୍ର, ସମ୍ବାଦ ଡିଜିଟାଲ ଅପରେସନ ମୁଖ୍ୟ ସୌମ୍ୟ ସୁମନ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ଅନୁଷ୍ଠାନର ସହଯୋଗୀଙ୍କ ସମେତ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଓ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ।
Follow Us