ପରିବେଶ ସୁରକ୍ଷା ପାଇଁ ସମସ୍ତେ ଯତ୍ନବାନ ହେବା: ଅଶ୍ୱିନୀ ପାତ୍ର

Advertisment
ପରିବେଶ ସୁରକ୍ଷା ପାଇଁ ସମସ୍ତେ ଯତ୍ନବାନ ହେବା: ଅଶ୍ୱିନୀ ପାତ୍ର

ଜଳେଶ୍ୱର: ବିଭିନ୍ନ କାରଣରୁ ବାଲେଶ୍ବର ଜିଲ୍ଲା ଜଳେଶ୍ବର ଅଞ୍ଚଳରେ ଏବେ ପରିବେଶ ପ୍ରଭାବିତ ହେବାରେ ଲାଗିଛି। ବିକାଶ ନାଁରେ ଅବାଧ ଗଛକଟା ବଢ଼ିଚାଲିଛି। ମାଟିଘର ସଂଖ୍ୟା ହ୍ରାସ ପାଉଛି, ପକ୍କାଘର ବଢ଼ିଚାଲିଛି। ବର୍ଜ୍ୟବସ୍ତୁ ପରିଚାଳନା ହୋଇପାରୁନି। ପର୍ଯ୍ୟାପ୍ତ ସରକାରୀ ଜମି ଥିଲେ ବି ଗଛ ଲାଗିପାରୁନି। ଜଳାଶୟ ପୁନରୁଦ୍ଧାର କରାଯାଉନାହିଁ। ନଦୀପଠାରୁ ଅହରହ ବାଲି ଉଠାଯାଉଥିବା ବେଳେ ଭୂତଳ ଜଳ ଦିନକୁଦିନ ହ୍ରାସ ପାଇବାରେ ଲାଗିଛି। ଯେଉଁ ଜଳେଶ୍ବରରେ ଅଳ୍ପ ଖୋଳିଦେଲେ ପାଣି ବାହାରେ ଏବେ ସେଠା‌ରେ ପାଣିର ସଙ୍କଟ ଦେଖାଦେଇଛି। ଯାହା ସ୍ଥାନୀୟ ଅଞ୍ଚଳରେ ଚିନ୍ତାର କାରଣ ହୋଇଛି। ଆଜି ବାଲେଶ୍ବର ଜିଲ୍ଲା ଜଳେଶ୍ୱର ନିର୍ବାଚନମଣ୍ଡଳୀ ଲକ୍ଷ୍ମଣନାଥ ପଞ୍ଚାୟତ ଅନ୍ତର୍ଗତ ବିରେଶପୁର ଗ୍ରାମର ଯୋଗେନ୍ଦ୍ରନାଥ ୟୁପି ସ୍କୁଲ୍ ପରିସରରେ ‘ସମ୍ବାଦ’ ଗ୍ରୁପ୍‌ ପକ୍ଷରୁ ଆୟୋଜିତ ‘ପରିବେଶ ପଞ୍ଚାୟତ’ କାର୍ଯ୍ୟକ୍ରମରେ ଏ ନେଇ ଉଦ୍‌ବେଗ ପ୍ରକାଶ ପାଇଛି। ମୁଖ୍ୟଅତିଥି ଭାବେ ସ୍ଥାନୀୟ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅଶ୍ୱିନୀ ପାତ୍ର ଯୋଗଦେଇ କହିଛନ୍ତି, ‘ସମ୍ବାଦ’ ପକ୍ଷରୁ ରାଜ୍ୟବ୍ୟାପୀ ଚାଲିଥିବା ଏହି କାର୍ଯ୍ୟକ୍ରମ ବାସ୍ତବରେ ପ୍ରଶଂସନୀୟ। ପରିବେଶ ସୁରକ୍ଷା ଦାୟିତ୍ବ ସମସ୍ତଙ୍କର। ଏଥିପ୍ରତି ସମସ୍ତଙ୍କୁ ଯତ୍ନବାନ ହେବାକୁ ପଡ଼ିବ। ବିଦ୍ୟାଳୟ, ମହାବିଦ୍ୟାଳୟ ତଥା ବିଶ୍ବବିଦ୍ୟାଳୟ ସ୍ତରରେ ଏ ସମ୍ପର୍କିତ ଆଲୋଚନାକୁ ଅଧିକ ବ୍ୟାପକ କରିବା ସହିତ ଏହି ଅଭିଯାନରେ ସେମାନଙ୍କୁ ସାମିଲ କରାଯିବା ଦରକାର।

ରାଜନେତା ତଥା ମହାନଦୀ ବଞ୍ଚାଅ ଅଭିଯାନର ଅନ୍ୟତମ କର୍ଣ୍ଣଧାର ସୁଦର୍ଶନ ଦାସ ପରିବେଶ ସୁରକ୍ଷା ଦିଗରେ ଜନଜାଗରଣ ସୃଷ୍ଟି ହୋଇଥିବାରୁ ‘ସମ୍ବାଦ’କୁ ସାଧୁବାଦ ଜଣାଇଥିଲେ। ମହାନଦୀ ପରି ସୁବର୍ଣ୍ଣରେଖା ନଦୀରେ ବଢ଼ି ଚାଲିଥିବା ଜଳ ସଙ୍କଟକୁ ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ। ଆଉ କିଛି ବର୍ଷ ପରେ ସୁବର୍ଣ୍ଣରେଖା ନଦୀ ବି ମରିଯାଇପାରେ। ତେଣୁ ସମୟ ଥାଉ ଥାଉ ସମସ୍ତଙ୍କୁ ସତର୍କ ହେବାକୁ ପଡ଼ିବ ବୋଲି କହିଥିଲେ। ଏଥିସହିତ, ଜଳବାୟୁ ପରିବର୍ତ୍ତନ ବର୍ତ୍ତମାନ ସମଗ୍ର ମାନବ ସଭ୍ୟତା ପାଇଁ ଏବେ ସବୁଠୁ ଆହ୍ବାନ ସାଜିଥିବା ବେଳେ ପଞ୍ଚାୟତ ସ୍ତରରେ କ୍ଲାଇମେଟ୍‌ କମିଟି ଗଠନ କରାଯାଉ ବୋଲି ସେ ପ୍ରସ୍ତାବ ଦେଇଥିଲେ। ବରିଷ୍ଠ ସାହିତ୍ୟିକ ତଥା ଗବେଷକ ଡକ୍ଟର ଶ୍ରୀକାନ୍ତ ଚରଣ ପାତ୍ର, ଜଳେଶ୍ବର ବ୍ଲକ ଅଧ୍ୟକ୍ଷ ମାନସ କୁମାର ଜେନା, ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ ଶ୍ୟାମାଚରଣ ଦାସ ପ୍ରମୁଖ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ଶେଷରେ ‘ସମ୍ବାଦ-ସାହିତ୍ୟଘର’ ଜଳେଶ୍ୱର ଶାଖାର ସମ୍ପାଦକ ଡ. ଅଜିତ ମହାନ୍ତି ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe