ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ ସ୍ଥାପନ ପାଇଁ ସମସ୍ତେ ଏକଜୁଟ

ତୁରନ୍ତ ପୂର୍ଣ୍ଣାଙ୍ଗ ପ୍ରସ୍ତାବ ପଠାଇବାକୁ ରାଜ୍ୟ ସରକାରଙ୍କୁ ଚେତାବନୀ

ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ ସ୍ଥାପନ ପାଇଁ ସମସ୍ତେ ଏକଜୁଟ

ସମ୍ବଲପୁର : ଅର୍ଧଶତାବ୍ଦୀରୁ ଅଧିକ ସମୟ ଧରି ପଶ୍ଚିମ ଓଡ଼ିଶାରେ ଚାଲିଥିବା ସ୍ଥାୟୀ ହାଇକୋର୍ଟ ବେଞ୍ଚ ଆନ୍ଦୋଳନ ନିର୍ଣ୍ଣାୟକ ରୂପ ନେବାକୁ ଯାଉଛି। କେନ୍ଦ୍ର ଆଇନ୍ ମନ୍ତ୍ରୀ କିରନ୍‌ ରିଜ୍‌ଜୁଙ୍କ ପତ୍ର ଓ ହାଇକୋର୍ଟ ବେଞ୍ଚକୁ କଟକ ଆଇନ୍‌ଜୀବୀଙ୍କ ବିରୋଧ ପରେ ଏହି ଆନ୍ଦୋଳନ ଆହୁରି ତୀବ୍ର ଓ ଶାଣିତ ହୋଇଛି। ପୂର୍ବରୁ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ହେଉ ବୋଲି ଦାବି ହେଉଥିବା ବେଳେ ଏବେ ଏହି ଅଞ୍ଚଳର ବିଭିନ୍ନ ଓକିଲ ସଂଘ ନିର୍ଦ୍ଦିଷ୍ଟ ଭାବେ ସମ୍ବଲପୁରରେ ହିଁ ହାଇକୋର୍ଟ ବେଞ୍ଚ ସ୍ଥାପନ ହେଉ ବୋଲି ଦାବି କରିଛନ୍ତି। ପଶ୍ଚିମ ଓଡ଼ିଶା ଓକିଲ ‌ସଂଘ ସମୂହ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି (ସିଏସି) ପକ୍ଷରୁ ଗତ ମେ ମାସରେ ଅନୁଷ୍ଠିତ ବୈଠକରେ ଜୁନ୍‌ ୩୦ ତାରିଖ ସୁଦ୍ଧା ରାଜ୍ୟ ସରକାର ‌ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ସହ ପରାମର୍ଶ କରି ‌ସମ୍ବଲପୁରରେ ବେଞ୍ଚ ସ୍ଥାପନ ପାଇଁ କେନ୍ଦ୍ରକୁ ପୂର୍ଣ୍ଣାଙ୍ଗ ପ୍ରସ୍ତାବ ପଠାନ୍ତୁ ବୋଲି ସମୟ ଧାର୍ଯ୍ୟ କରା ଯାଇଥିଲା। କିନ୍ତୁ ରାଜ୍ୟ ସରକାର ଏହା ଦେବାରେ ବିଫଳ ହେବାରୁ ପୂର୍ବ ନିଷ୍ପତ୍ତି ଅନୁଯାଏ ସିଏସି ଆହ୍ବାନରେ ଶୁକ୍ରବାର ବିଭିନ୍ନ ଓକିଲ ସଂଘ ପକ୍ଷରୁ ଚେତାବନୀ ଦିବସ ଆୟୋଜିତ ହୋଇଥିଲା।

ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ ସ୍ଥାପନ ପାଇଁ ରାଜ୍ୟ ସରକାର ଅବିଳମ୍ବେ କେନ୍ଦ୍ରକୁ ପୂର୍ଣ୍ଣାଙ୍ଗ ପ୍ରସ୍ତାବ ପଠାଇବାକୁ ଏଥିରେ ଦାବି କରାଯାଇଥିଲା। ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼, ବୌଦ୍ଧ ଆଦି ଜିଲ୍ଲା ଓକିଲ ସଂଘ ସମେତ ପଶ୍ଚିମ ଓଡ଼ିଶାର ବହୁ ଓକିଲ ସଂଘ ଏହି ଦାବି ଉଠାଇ ଚେତାବନୀ ଦିବସ ଆୟୋଜନ କରିଥିଲେ ଓ ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ ସ୍ଥାପନ ପାଇଁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ। ବରଗଡ଼ ଓ ସୋନପୁର ଜିଲ୍ଲାର ଅନେକ ଓକିଲ ସଂଘ ବି ଏଥିରେ ସାମିଲ ହୋଇଥିଲେ।

ଶୁକ୍ରବାର ସମ୍ବଲପୁରରେ ଆୟୋଜିତ ବିଶାଳ ସମାବେଶରେ ଜିଲ୍ଲା ଓକିଲ ସଂଘର ସଦସ୍ୟଙ୍କ ବ୍ୟତୀତ ସମସ୍ତ ରାଜନୈତିକ ଦଳ ଓ ସହରର ୬୦ରୁ ଅଧିକ ନାଗରିକ ସଂଗଠନ ସାମିଲ ହୋଇଥିଲେ। ବିଭିନ୍ନ ସଂଗଠନ ମାନେ ସହରର ଭିନ୍ନଭିନ୍ନ ସ୍ଥାନରୁ ଦୁଇଚକିଆ ରାଲିରେ ଆସି ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ କାର୍ଯ୍ୟାଳୟ ସାମ୍‌ନାରେ ଠୋଳ ହୋଇଥିଲେ। ସେଠାରେ ଚେତାବନୀ ସମାବେଶରେ ବିଭିନ୍ନ ରାଜନୈତିକ ଦଳର ନେତା, ଶିକ୍ଷାବିତ୍, ବୁଦ୍ଧିଜୀବୀ, ପ୍ରଶାସକ, ସମାଜସେବୀ ସମସ୍ତେ ଏକତ୍ରିତ ହୋଇ ଦଳୀୟ ରାଜନୀତିରୁ ଉପରକୁ ଉଠି ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ ସ୍ଥାପନ ପାଇଁ ଏକ ସ୍ବରରେ ଦାବି କରିଥିଲେ। କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀ, ପୂର୍ବତନ ବିଧାୟକ ଦୁର୍ଯୋଧନ ଗର୍ଡିଆ, ପୂର୍ବତନ କୁଳପତି ପ୍ର. ଆଦିତ୍ୟ ପ୍ରସାଦ ପାଢ଼ୀ, ପୂର୍ବତନ ପ୍ରଶାସକ ରଘୁନାଥ ମିଶ୍ର, ନାଗରିକ କମିଟି ସଭାପତି ଅରବିନ୍ଦ ମହାପାତ୍ରଙ୍କ ସମେତ ବହୁ ବ୍ୟକ୍ତି ଆଉ କାଳକ୍ଷେପଣ ନୀତି ଅବଲମ୍ବନ ନକରି ରାଜ୍ୟ ସରକାର ‌ହାଇକୋର୍ଟ ବେଞ୍ଚ ପାଇଁ ପୂର୍ଣ୍ଣାଙ୍ଗ ପ୍ରସ୍ତାବ ପଠାନ୍ତୁ ବୋଲି ଦୃଢ଼ ଦାବି ଉପସ୍ଥାପନ କରିଥିଲେ। ବିଜେଡି ଜିଲ୍ଲା ସଭାପତି ସିଦ୍ଧାର୍ଥ ଦାସ, ବିଜେପି ଜିଲ୍ଲା ସଭାପତି ଗିରୀଶ ପଟେଲ, କଂଗ୍ରେସ୍ ଜିଲ୍ଲା ସଭାପତି ଅଶ୍ବିନୀ ଗୁରୁ ପାର୍ଟିଠାରୁ ମାଟି ବଡ଼ କହିବା ସହ ଏକ ସ୍ବରରେ ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ ଦାବି ଉତ୍‌ଥାପନ କରିଥିଲେ। କାର୍ଯ୍ୟକ୍ରମକୁ ସମ୍ବଲପୁର ଜିଲ୍ଲା ଓକିଲ ସଂଘ ସଭାପତି ସୁରେଶ୍ବର ମିଶ୍ର ପରିଚାଳନା କରିଥିଲେ। ଶେଷରେ ସରୋଜ ଦାଶ ଧନ୍ୟବାଦ ଦେଇଥିଲେ।

କାର୍ଯ୍ୟକ୍ରମ‌ ଶେଷରେ ଆର୍‌ଡିସିଙ୍କ ସଚିବ ଭିନ୍‌ସେଣ୍ଟ ପୁନମକାନ୍ତ ଏକ୍କା ସମାବେଶ ସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କଠାରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଗ୍ରହଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe