ଏଠି ସବୁ ନକଲି, ଚର୍ଚ୍ଚାରେ ବିଟ୍ଟୁ! ନକଲି କାଗଜରେ ଋଣ ଦେଇଛି ଏସ୍‌ବିଆଇ

Advertisment

ଅବଗତ ପରେ ବି ନିରବ ବ୍ୟାଙ୍କ କର୍ତ୍ତୃପକ୍ଷ, ଚିଠି କରି କାମ ସାରିଦେଇଛି ଏନ୍‌ଏସି

ଅବଗତ ପରେ ବି ନିରବ ବ୍ୟାଙ୍କ କର୍ତ୍ତୃପକ୍ଷ, ଚିଠି କରି କାମ ସାରିଦେଇଛି ଏନ୍‌ଏସି

ଏଠି ସବୁ ନକଲି, ଚର୍ଚ୍ଚାରେ ବିଟ୍ଟୁ! ନକଲି କାଗଜରେ ଋଣ ଦେଇଛି ଏସ୍‌ବିଆଇ

ବଲାଙ୍ଗୀର/କଣ୍ଟାବାଞ୍ଜି: ଖାଦ୍ୟ ସାମଗ୍ରୀ ନକଲି। ଔଷଧ ନକଲି। ପାଣି ବୋତଲ ବି ନକଲି। ମସଲା, ହଲଦୀ ବି ନକଲି। ଏପରିକି ମଦ ବି ନକଲି। ଏଠି ସବୁ କିଛି ନକଲି କାରବାର। ଆଉ ନକଲି କାରବାର ଏତେ ପରିମାଣର ବଢ଼ିଲାଣି ଯେ କାଗଜପତ୍ର ବି ନକଲି ଅନେକ ଜାଗାରେ କରାଯାଉଛି। ଏବେ ଚର୍ଚ୍ଚାରେ କଣ୍ଟାବାଞ୍ଜି ସହର। କାରଣ ନକଲି କାରବାରକୁ ନେଇ ସବୁବେଳେ ଚର୍ଚ୍ଚାର ପରିସରକୁ ଆସେ କଣ୍ଟାବାଞ୍ଜି। ଆଉ ନକଲି ବ୍ୟବସାୟ କରୁଥିବା ବେପାରୀଙ୍କୁ ଏବେ ସବୁ ପ୍ରକାର ସୁବିଧା ସୁଯୋଗ ସେଠି ମିଳୁଛି। କଣ୍ଟାବାଞ୍ଜି ଏସ୍‌ବିଆଇ ଶାଖା ନକଲି କାଗଜପତ୍ର ରଖି ଜଣେ ବ୍ୟବସାୟୀଙ୍କୁ ଲକ୍ଷ ଲକ୍ଷ ଟଙ୍କାର ଋଣ ଦେଇଛି। ଉଦ୍‌ବେଗର ବିଷୟ ଯେ, ପୌର କର୍ତ୍ତୃପକ୍ଷ ନକଲି କାଗଜ ବୋଲି ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଲିଖିତ ଜଣାଇବା ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ହେଉ ନାହିଁ।

ପ୍ରକାଶ ଯେ କଣ୍ଟାବାଞ୍ଜି ୧୪ ନଂ ୱାର୍ଡରେ ରହିଛି ସାଲସର ପାଇପ ଫ୍ୟାକ୍ଟ୍ରି। ତାହାର ମାଲିକ ହେଉଛନ୍ତି ବେଦପ୍ରକାଶ ଶର୍ମା (ବିଟ୍ଟୁ)। ସେ ସ୍ଥାନୀୟ ଏସ୍‌ବିଆଇ ଶାଖାରୁ ଲକ୍ଷ ଲକ୍ଷ ଟଙ୍କାର ଋଣ ନେଇଥିଲେ। ଋଣ ନେବା ସମୟରେ ଏନ୍‌ଏସିର ଚିଠି ନଂ-ସି୪୦୬, ତାରିଖ ୧୫.୩.୨୦୧୯ରେ ଏନ୍‌ଓସି ପାଇଥିବା ନେଇ ଏକ ପ୍ରମାଣପତ୍ର ଦାଖଲ କରିଥିଲେ। ଯେଉଁଥିରେ ଏନ୍‌ଏସି ନିର୍ବାହୀ ଅଧିକାରୀଙ୍କ ଦସ୍ତଖତ ବି ରହିଛି। ହେଲେ ସେହି ଏନ୍‌ଓସି ନକଲି ବୋଲି ବର୍ତ୍ତମାନର ଏନ୍‌ଏସି ନିର୍ବାହୀ ଅଧିକାରୀ ଚିଠି ନଂ ୨୩୧, ତା. ୧୫.୨.୨୦୨୨ରେ ଏସ୍‌ବିଆଇକୁ ଚିଠି ଲେଖି ଜଣାଇଛନ୍ତି। ଏପରିକି ବେଦପ୍ରକାଶ ଶର୍ମା ତାଙ୍କ ସାଲସର ପାଇପ ଫ୍ୟାକ୍ଟ୍ରି କରିବାକୁ କୌଣସି ଟ୍ରେଡ୍‌ ଲାଇସେନ୍ସ ମଧ୍ୟ ନେଇନଥିବା ଚିଠିରେ ଉଲ୍ଲେଖ ରହିଛି।

ଏହା ନକଲି କାଗଜ ଓ ଏହା ଯେଉଁ ବ୍ୟକ୍ତି କରିଛନ୍ତି ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର ବୋଲି ଏନ୍‌ଏସିର ନିର୍ବାହୀ ଅଧିକାରୀ ଚିଠିରେ ଉଲ୍ଲେଖ କରିଛନ୍ତି। ଏଠି ପ୍ରଶ୍ନ ଉଠୁଛି ନକଲି କାଗଜପତ୍ରରେ ବ୍ୟାଙ୍କ କେମିତି ଋଣ ଦେଇଥିଲା? ଆଉ ଯଦି ଭୁଲବଶତଃ ବିଶ୍ୱାସରେ ଋଣ ଦେଇଥିଲା, ତାହେଲେ ଏନ୍‌ଏସି ଅଧିକାରୀ ଜଣାଇବା ପରେ କାର୍ଯ୍ୟାନୁଷ୍ଠାନ କାହିଁକି ନିଆଯାଇନି? ନା ବ୍ୟବସାୟୀ-ବ୍ୟାଙ୍କ ଅଧିକାରୀଙ୍କ ମିଳିମିଶି କାରନାମା କରିଛନ୍ତି? ସେ ଯାହା ହେଉନା କାହିଁକି, ବିଟ୍ଟୁଙ୍କ ଏଭଳି କାରନାମା ଏବେ କଣ୍ଟାବାଞ୍ଜି ସହରରେ ଚର୍ଚ୍ଚାର ବିଷୟ ହୋଇଛି। ଏ ନେଇ ବେଦପ୍ରକାଶ ଶର୍ମାଙ୍କୁ ଫୋନ୍‌ ଯୋଗେ ଯୋଗାଯୋଗ କରାଯାଇଥିଲେ ହେଁ ପ୍ରତିକ୍ରିୟା ମିଳିପାରି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe