ପ୍ରମାଣ ଅଭାବରୁ ନିର୍ଦ୍ଦୋଷ ପ୍ରମାଣିତ ହେଲେ ପୂର୍ବତନ କିରାଣି

Advertisment
ପ୍ରମାଣ ଅଭାବରୁ ନିର୍ଦ୍ଦୋଷ ପ୍ରମାଣିତ ହେଲେ ପୂର୍ବତନ କିରାଣି

Patrika

ବାଲେଶ୍ବର: ଭିଜିଲାନ୍ସ ଲାଞ୍ଚ ମାମଲାରୁ ଦୋଷମୁକ୍ତ ହୋଇଛନ୍ତି ବାଲେଶ୍ବର ସଦର ତହସିଲର ପୂର୍ବତନ କିରାଣି ସଦାଶିବ ଜେନା। ବାଲେଶ୍ବର ଭିଜିଲାନ୍ସ ଅଦାଲତର ସ୍ବତନ୍ତ୍ର ଜଜ୍ ଶିଖାରାଣୀ ରଥ ଆଜି ଏହି ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ କରି ସାକ୍ଷ୍ୟପ୍ରମାଣ ଅଭାବରୁ ତାଙ୍କ ବିରୋଧରେ ଥିବା ମାମଲାକୁ ଖାରଜ କରି ଦେଇଛନ୍ତି।

୨୦୦୭ ମସିହାରେ ଶ୍ରୀ ଜେନା ସଦର ତହସିଲର କିରାଣି ଥିବା ସମୟରେ ଖନ୍ତାପଡ଼ା ଥାନା ଅନ୍ତର୍ଗତ ତାଳକୁରୁଣିଆ ଗ୍ରାମର ରାଧାମୋହନ ମଲ୍ଲିକ ତାଙ୍କର ଝିଅ ମାନସିଂ ବଜାରରେ ଏକ ଜଳାଶୟ କିସମର ଜାଗା କିଣି ଏହାକୁ ଘରବାଡ଼ି କରିବା ପାଇଁ ଏକ ଓଏଲ୍‌ଆର୍‌ କେସ୍‌ ବାଲେଶ୍ବର ସଦର ତହସିଲରେ ଆବେଦନ କରିଥିଲେ। ଆର୍‌ଆଇ ରିପୋର୍ଟ ତହସିଲ ଅଫିସ୍‌ରେ ଦାଖଲ ହେବା ପରେ ଶ୍ରୀ ମଲ୍ଲିକ ଉକ୍ତ ଜମିର କିସମ ପରିବର୍ତ୍ତନ କରି ପଟ୍ଟା ସଂଶୋଧନ କରିବାକୁ କହିଥିଲେ। କିନ୍ତୁ ସଂଶୋଧିତ ପଟ୍ଟା ଦେବା ପାଇଁ ଶ୍ରୀ ମଲ୍ଲିକଙ୍କୁ ଶ୍ରୀ ଜେନା ୨ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏଥିରେ ଶ୍ରୀ ମଲ୍ଲିକ ଅସମର୍ଥ ପ୍ରକାଶ କରିବାରୁ ଶ୍ରୀ ଜେନା ଲାଞ୍ଚ ପରିମାଣକୁ କମାଇ ୫ ଶହ ଟଙ୍କା ଦେବାକୁ ବାଧ୍ୟ କରିଥିଲେ।

ଏନେଇ ରାଧାମୋହନ ତତ୍କାଳୀନ ଏସ୍‌ପି ଭିଜିଲାନ୍ସ ବାଲେଶ୍ବର ଠାରେ ଅଭିଯୋଗ କରିଥିଲେ। ଏହି ଆଧାରରେ ତଦନ୍ତ କରାଯାଇ ଅଦାଲତରେ ଚାର୍ଜସିଟ୍‌ ଦାଖଲ କରାଯାଇଥିଲା। ଅଦାଲତ ଏହାକୁ ଗ୍ରହଣ କରି ବିଚାର ଆରମ୍ଭ କରିଥିଲେ। ବିଚାର ସମୟରେ ସରକାରଙ୍କ ତରଫରୁ ୬ ଜଣ ସାକ୍ଷୀ ଓ ୧୭ଟି ଦଲିଲ ଦସ୍ତାବିଜ୍‌କୁ ବିଚାରପରିସରଭୁକ୍ତ କରାଯାଇଥିଲା। ଶେଷରେ ସମସ୍ତ ସାକ୍ଷ୍ୟ ଓ ଦଲିଲ୍‌ ଦସ୍ତାବିଜ୍‌ର ବିବରଣୀକୁ ସମୀକ୍ଷା କରି ଅଦାଲତ ପୂର୍ବତନ କିରାଣି ସଦାଶିବଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷ ପ୍ରମାଣିତ କରିଛନ୍ତି। ଏହି ମକଦ୍ଦମାକୁ ଅଭିଯୁକ୍ତଙ୍କ ତରଫରୁ ଆଇନଜୀବୀ ଅରବିନ୍ଦ ବାରିକ, ଚନ୍ଦନ କୁମାର ସିଂହ, ଜୟନ୍ତୀ ବାରିକ, ଅର୍ଦ୍ଧେନ୍ଦୁ ବାରିକ ଓ ମହେଶ୍ବର ମଲ୍ଲିକ ପରିଚାଳନା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe