କଟକ: ପୂର୍ବତନ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ସମୀର ଦେ ସିଡିଏର ଏକ ଘରୋଇ ଡାକ୍ତରଖାନାରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ତାଙ୍କୁ ଭେଣ୍ଟିଲେଟର୍ରେ ରଖି ଚିକିତ୍ସା କରାଯାଉଛି। ଆଜି ସଂଧ୍ୟାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ, କଟକ ସାଂସଦ ଭର୍ତ୍ତୃହରି ମହତାବ, ବଡ଼ମ୍ବା ବିଧାୟକ ବିଜୟ ଦଳବେହେରା, ସଦର ବିଧାୟକ ଇଂଜିନିୟର ପ୍ରକାଶ ଚନ୍ଦ୍ର ସେଠୀଙ୍କ ସମେତ ବହୁ ବରିଷ୍ଠ ନେତା ଡାକ୍ତରଖାନାକୁ ଯାଇ ଶ୍ରୀ ଦେଙ୍କ ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି।
ଡାକ୍ତରଖାନା ଯାଇ ସ୍ବାସ୍ଥ୍ୟାବସ୍ଥା ବୁଝିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ମନ୍ତ୍ରୀ, ସାଂସଦ ଓ ବିଧାୟକ ଶ୍ରୀ ଦେ’ଙ୍କ ପତ୍ନୀଙ୍କୁ ଭେଟି ମଧ୍ୟ ଆଲୋଚନା କରିଛନ୍ତି। ଶ୍ରୀ ଦେ’ଙ୍କର ଫୁସ୍ଫୁସ୍ରେ ସଂକ୍ରମଣ ହୋଇଛି। ପୂର୍ବରୁ ତାଙ୍କର କିଡନି ପ୍ରତିରୋପଣ ହୋଇଥିବାରୁ ସମସ୍ୟା ଜଟିଳ ହୋଇଥିବା କୁହାଯାଉଛି। ଶ୍ରୀ ଦେ’ଙ୍କ ଚିକିତ୍ସା ପାଇଁ ଡାକ୍ତରଖାନା କର୍ତ୍ତୃପକ୍ଷ ବିଭିନ୍ନ ବିଶେଷଜ୍ଞଙ୍କୁ ନେଇ ଏକ ସ୍ବତନ୍ତ୍ର ଟିମ୍ ଗଠନ କରିଛନ୍ତି। ଶ୍ରୀ ଦେ’ଙ୍କ ଶୁଭେଚ୍ଛୁ, ସମର୍ଥକ ଓ ପ୍ରଶଂସକମାନେ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।
Follow Us