ହାତୀ କ୍ଷତିଗ୍ରସ୍ତ ବାସହରା ପରିବାର ଘରେ ଉଡିଲା ତ୍ରିରଙ୍ଗା, ପକ୍କାଘର ପ୍ରଦାନ ପାଇଁ ଦାବି କଲେ ପୂର୍ବତନ ସାଂସଦ

Advertisment
ହାତୀ କ୍ଷତିଗ୍ରସ୍ତ ବାସହରା ପରିବାର ଘରେ ଉଡିଲା ତ୍ରିରଙ୍ଗା, ପକ୍କାଘର ପ୍ରଦାନ ପାଇଁ ଦାବି କଲେ ପୂର୍ବତନ ସାଂସଦ

ବିଶୋଇ: 'ଆଜାଦୀ କା ଅମୃତ ମହୋତ୍ସବ' ପାଳନ ଅବସରରେ 'ହର ଘର ତ୍ରିରଙ୍ଗା'ରେ ଦେଶର ସମସ୍ତ ନାଗରିକ ଘରେ ଘରେ ତ୍ରିରଙ୍ଗା ଉଡ଼ାଉଥିବାର ଦୃଶ୍ୟ ଦେଖିବାକୁ ମିଳୁଛି। ଏହି କ୍ରମରେ ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାସ୍ଥିତ ସାରସକଣା ବ୍ଲକରେ ହାତୀ କ୍ଷତିଗ୍ରସ୍ତ ଭଙ୍ଗା ଚାଳ ଛପର ଘରେ ଏହି ତ୍ରିରଙ୍ଗା ଉଡୁଥିବାର ଦେଖାଯାଇଛି।ମୟୂରଭଞ୍ଜ ପ୍ରାକ୍ତନ ସାଂସଦ ଇଂ ରାମଚନ୍ଦ୍ର ହାଁସଦା ସାରସକଣା ବ୍ଲକର ହାତୀ କ୍ଷତିଗ୍ରସ୍ତ ପ୍ରାୟ ୭୦ରୁ ଊର୍ଦ୍ଧ୍ବ ପରିବାରଲୋକଙ୍କ ନିକଟରେ ପହଞ୍ଚି ଉକ୍ତ ପରିବାର ଲୋକଙ୍କୁ ତ୍ରିରଙ୍ଗା ଦେବା ସହିତ ଭଙ୍ଗା ଚାଳଛପର ଘରେ ତ୍ରିରଙ୍ଗା ଉଡାଇ ‘ଆଜାଦୀ କା ଅମୃତ ମହୋତ୍ସବ‘ ପାଳନ କରିଛନ୍ତି।

ଏହି ଅବସରରେ କ୍ଷତିଗ୍ରସ୍ତ ପରିବାରଙ୍କୁ ପକ୍କାଘର ପ୍ରଦାନ ଭଳି ବିଭିନ୍ନ ଦାବି ସହିତ ଭଙ୍ଗା ଘରେ ‘ଆଜାଦି କା ଅମୃତ ମହୋତ୍ସବ’ ପାଳନ କରିବାର ଫଟୋ ଚିତ୍ର ପ୍ରଧାନମନ୍ତ୍ରୀଙ୍କ ନିକଟକୁ ପଠାଇଛନ୍ତି। ୨୦୨୨ ସୁଦ୍ଧା ସମସ୍ତ ଗରିବ ପରିବାରଙ୍କୁ ପକ୍କାଘର ଯୋଗାଇଦେବା ପାଇଁ ପ୍ରଧାନମନ୍ତ୍ରୀ ସ୍ବପ୍ନ ଦେଖିଥିବା ବେଳେ ଏହାର ବିକଳଚିତ୍ର ମୟୂରଭଞ୍ଜ ଜିଲ୍ଲା ଭଳି ଆଦିବାସୀ ବହୁଳିତ ଜିଲ୍ଲାରେ ବାରି ହୋଇପଡୁଛି।

ତେବେ ଏହି ଜିଲ୍ଲାର ଦୁର୍ଗମ ଅଞ୍ଚଳର ହାତୀ ପ୍ରବଣ ସ୍ଥାନମାନଙ୍କରେ ବସବାସ କରୁଥିବା ଲୋକଙ୍କ ପକ୍କାଘର ସ୍ବପ୍ନ ପାଲଟିଛି। ଫଳରେ ପ୍ରତିବର୍ଷ ହାତୀମାନେ ଗ୍ରାମକୁ ଆସି ଚାଳ ନିର୍ମିତ ଘର ନଷ୍ଟ କରି ବହୁ ପରିବାରଙ୍କୁ ବାସହରା କରୁଛନ୍ତି। ତେଣୁ ଗ୍ରାମୀଣ ଗୃହ ଯୋଜନାରେ ହାତୀ ପ୍ରବଣ ସ୍ଥାନମାନଙ୍କରେ ସମସ୍ତଙ୍କୁ ପକ୍କାଘର ଯୋଗାଇଦେବା ସହିତ ଏହାର ଅନୁଦାନ ରାଶି ବୃଦ୍ଧି ପାଇଁ ଇଂ ହାଁସଦା ଚିଠିରେ ଉଲ୍ଲେଖ କରିଛନ୍ତି।

ସେହିପରି କେନ୍ଦ୍ର ସରକାରଙ୍କ ସି.ଏସ.ପି ଯୋଜନାରେ ହାତୀ ଜନିତ ମୃତ୍ୟୁ ବ୍ୟକ୍ତିଙ୍କ ପାଇଁ ୫ ଲକ୍ଷ, ଗୁରୁତର ଆହତ ପାଇଁ ଅଢେ଼ଇ ଲକ୍ଷ ଏବଂ  ଆହତ ପାଇଁ ୨୫ ହଜାର ଟଙ୍କା ଦେବାର କ୍ଷତିପୂରଣ ପାଇଁ ନିୟମ ରହି ଥିବାବେଳେ ଓଡିଶା ରାଜ୍ୟରେ ସି.ଏସ୍.ପି ରେ ଏହା ଠାରୁ କମ କ୍ଷତିପୂରଣ ରାଶି ପ୍ରଦାନ କରାଯାଉଛି। ତେଣୁ ହାତୀ ଜନିତ ମୃତ୍ୟୁ ପାଇଁ ୧୦ ଲକ୍ଷ ଓ ଗୁରୁତର ନିମନ୍ତେ ସାଢ଼େ ୬ ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ପାଇଁ ଇଂ ହାଁସଦା ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe