ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ପୂର୍ବତନ ସରପଞ୍ଚ, ତାମିଲନାଡ଼ୁରେ ସ୍ବାମୀ ଖଟୁଛନ୍ତି ଦାଦନ 

ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ପୂର୍ବତନ ସରପଞ୍ଚ, ତାମିଲନାଡ଼ୁରେ ସ୍ବାମୀ ଖଟୁଛନ୍ତି ଦାଦନ 
ଧରାକୋଟ : ଦିନ ଥିଲା ତାଙ୍କ ପଛରେ କେତେ ଲୋକ  ଧାଉଁଥିଲେ। ସମସ୍ତଙ୍କ ହାରିଗୁହାରି ଶୁଣୁଥିଲେ, ପାରୁ ପର୍ଯ୍ୟନ୍ତ ଚେଷ୍ଟା କରୁଥିଲେ ସେସବୁର ସମାଧାନ କରିବାକୁ। ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ ଘର ବାରଣ୍ଡାରେ ଭିଡ଼ ଲାଗିଯାଉଥିଲା। ହେଲେ କ୍ଷମତା ଚାଲିଯିବା ପରେ ଯେମିତି ଭାଗ୍ୟରେ ଦୁର୍ଭାଗ୍ୟ ଘୋଟି ଆସିଲା। ଆଉ ସମୟର କରାଳ ଚକ୍ରରେ ସେ ଆଜି କ୍ୟାନ୍ସର୍ ପୀଡ଼ିତା। ଖାଲି ଏତିକି ନୁହେଁ, ପରିବାର ଚଳାଇବାକୁ ଦିନମଜୁରିଆ ସାଜିଥିବା ବେଳେ ସ୍ବାମୀ ବାହାର ରାଜ୍ୟରେ ଦାଦନ ଖଟୁଛନ୍ତି।
ଏମିତି ଜଣେ ଅସହାୟ ଜନପ୍ରତିନିଧି ହେଉଛନ୍ତି, ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ୍ ବାହାରପୁର ପଞ୍ଚାୟତ ପୂର୍ବତନ ସରପଞ୍ଚ ଜୟନ୍ତୀ ନାୟକ। ଜୟନ୍ତୀ ଆଜି ଦୁର୍ଦ୍ଦିନ ଓ ଦୁର୍ବିଷହରେ ଦିନ କାଟୁଥିବା ବେଳେ ଚିକିତ୍ସା ପାଇଁ ପାଖରେ ଟଙ୍କାଟିଏ ବି ନାହିଁ। ତଥାପି ଧୈର୍ଯ୍ୟ ନହାରି, ଦୁଇ ପୁଅଝିଅଙ୍କୁ ମଣିଷ କରିବାକୁ ଜୟନ୍ତୀ ପଣ କରିଛନ୍ତି। ଗତ ୨୦ ବର୍ଷ ତଳେ ଜୟନ୍ତୀ ବିଜେଡି ସମର୍ଥିତ ପ୍ରାର୍ଥିନୀ ଭାବେ ବାହାରପୁର ପଞ୍ଚାୟତର ସରପଞ୍ଚ ପଦବି ଭାବେ ଲଢ଼ି ନିର୍ବାଚିତ ହୋଇଥିଲେ। ନିଜ କାର୍ଯ୍ୟକାଳ ଭିତରେ ପଞ୍ଚାୟତରେ ରାସ୍ତା ନିର୍ମାଣ ସହ ପିଇବା ପାଣି ସୁବିଧା, ବିଦ୍ୟୁତ୍ ଯୋଗାଣ, ମାସିକ ଭତ୍ତା, ଇନ୍ଦିରା ଆବାସ ପ୍ରଦାନ ଓ ରାସନକାର୍ଡ଼ ଯୋଗାଣ ଭଳି ଆଦି କାର୍ଯ୍ୟକୁ ସୁଚାରୁ ଭାବେ ସଂପାଦିତ କରିଥିଲେ। ଏହାସହ ଗ୍ରାମବାସୀମାନଙ୍କ ସହ ଭଲ ଜନସଂପର୍କ ବି ସ୍ଥାପନ କରିଥିଲେ।
ହେଲେ ହାତରୁ କ୍ଷମତା ଚାଲିଯିବା ପରେ ସେ ଆଜି ନିଜେ ଅସହାୟ ପାଲଟିଛନ୍ତି। ଆହା ପଦେ କହିବାକୁ କି କେହି ପାଖତଡ଼ ମାଡ଼ୁନାହାନ୍ତି। ନିଜ ପାଖରେ ଇନ୍ଦିରା ଆବାସ ଖଣ୍ଡିଏ ଥିବା ବେଳେ ସ୍ବାମୀ ଦାଦନ ଖଟିବାକୁ ତାମିଲନାଡ଼ୁ ପଳାଇଛନ୍ତି। ଏଭଳି ଘଡ଼ିସନ୍ଧି ସମୟରେ ଜୟନ୍ତୀଙ୍କ ଉପରେ ପୁଣି ଦୁଃଖର ପାହାଡ଼ ଭାଙ୍ଗିପଡ଼ିଛି। ନିଜେ କ୍ୟାନ୍ସର୍‌ରେ ପୀଡ଼ିତ ହୋଇ ଜୀବନ ସହ ସଂଘର୍ଷ କରୁଛନ୍ତି। ଆଉ ପରିବାର ପ୍ରତିପୋଷଣ କରିବାକୁ ଗୁଡ଼ି ବାଡ଼େଇବା ସହ ଦିନମଜୁରିଆ ଭାବେ କାମ କରୁଛନ୍ତି। ମିଳୁଥିବା ଟଙ୍କାରେ ଦୁଇଓଳା ଖାଇବାକୁ ଯୋଗାଡ଼ ହେଉଛି। ତଥାପି ଜୟନ୍ତୀ ଭାଙ୍ଗିପଡ଼ିନାହାନ୍ତି। ଯୁକ୍ତତିନିରେ ପାଠ ପଢ଼ୁଥିବା ଝିଅ ଧରିତ୍ରୀ ଓ ସପ୍ତମରେ ପଢ଼ୁଥିବା ପୁଅ ବାଲ୍ମିକୀକୁ କଷ୍ଟେ ମଷ୍ଟେ ମଣିଷ କରିବି ବୋଲି ଜୟନ୍ତୀ କହିଛନ୍ତି। କିନ୍ତୁ କ୍ୟାନ୍ସର୍ ଭଳି ରୋଗର ଉତ୍ତମମାନର ଚିକିତ୍ସା ଲାଗି ତାଙ୍କ ପାଇଁ ଅର୍ଥ ବାଧକ ସାଜିଛି। ଜୟନ୍ତୀ କହିଛନ୍ତି, ସରକାର ଯଦି ବିଧାୟକ ଓ ସାଂସଦ ମାନଙ୍କ ପାଇଁ ଭତ୍ତା ସମେତ ସମସ୍ତ ସୁବିଧାସୁଯୋଗ ଦେଇପାରୁଛନ୍ତି, ତାହେଲେ ଆମ ଭଳି ଅସହାୟ ଜନପ୍ରତିନିଧିଙ୍କ କ୍ଷେତ୍ରରେ କାହିଁକି ବ୍ୟତିକ୍ରମ ପରିଲକ୍ଷିତ ହେଉଛି। ସରକାର ଏକଥାକୁ ଗଭୀର ଭାବରେ ଚିନ୍ତା କରିବା ଦରକାର।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe