ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଖନନ ଓ ନିର୍ମାଣ: ଉତ୍ତରଦ୍ବାରରେ ଖୋଳା ଆରମ୍ଭ

Advertisment
ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଖନନ ଓ ନିର୍ମାଣ: ଉତ୍ତରଦ୍ବାରରେ ଖୋଳା ଆରମ୍ଭ

OdishaTV

ପୁରୀ: ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଖନନ ଓ ନିର୍ମାଣକୁ ନେଇ ବିବାଦ ଲାଗି ରହିଛି। ଖୁବଶୀଘ୍ର ନବଗଠିତ ବିଧାନସଭା ଗୃହ କମିଟି ଏହାର ଅନୁଧ୍ୟାନ ପାଇଁ ଆସିବ ବୋଲି ଘୋଷଣା ସରିଲାଣି। ଏହା ସତ୍ତ୍ବେ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ନିର୍ମାଣ ଓ ଖନନ କାର୍ଯ୍ୟ ଅଟକିନି। ଅନୁଧ୍ୟାନ ପୂର୍ବରୁ ଯେଉଁ ଠିକା ସଂସ୍ଥା ପଶ୍ଚିମ ଦ୍ବାର, ଦକ୍ଷିଣ ଦ୍ବାର ଓ ଦକ୍ଷିଣ ଓ ପୂର୍ବ ଦ୍ବାର କୋଣରେ ଖନନ କରୁଥିଲା, ସେ ଏବେ ଉତ୍ତରଦ୍ବାରରେ ଖନନ କାର୍ଯ୍ୟ ଆରମ୍ଭ କରିଛି। ଆଜି ଉତ୍ତର ଦ୍ବାରରେ ପ୍ରାୟ ୪୦ ଫୁଟ ଲମ୍ବ ଓ ୧୦ ଫୁଠ ଓସାରରେ ଜେସିବି ଲଗାଇ ଖନନ ଆରମ୍ଭ ହୋଇଛି। ଏହାକୁ କେନ୍ଦ୍ର କରି ବିରୋଧ ମଧ୍ୟ ଆରମ୍ଭ ହୋଇଛି। ଶ୍ରୀଜଗନ୍ନାଥ ସେନା ଏହା ବିରୋଧରେ ସିଂହଦ୍ବାର ଥାନାରେ ଲିଖିତ ଅଭିଯୋଗ କରିବ ବୋଲି କହିଛି।

ପୂର୍ବରୁ ପଶ୍ଚିମ ଦ୍ବାରରେ ବିରାଟ ବିରାଟ ଗର୍ତ୍ତ ସୃଷ୍ଟି କରାଯାଇଥିଲା। ଶ୍ରୀମନ୍ଦିରଠାରୁ ମାତ୍ର ୨୫ ଫୁଟ ଦୂରରେ ୨୦ରୁ ୩୦ ଫୁଟର ଗର୍ତ୍ତ ସୃଷ୍ଟି କରାଯାଇଥିଲା। ଶ୍ରୀମନ୍ଦିରର ୧୦୦ ମିଟର ପରିଧିର ନିଷିଦ୍ଧାଞ୍ଚଳରେ ଏଭଳି କାର୍ଯ୍ୟ ବେଆଇନ ଓ ଏହାକୁ ତୁରନ୍ତ ବନ୍ଦ କରିବାକୁ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ଗତ ଫେବ୍ରୁଆରି ୫ ତାରିଖରେ ନିର୍ଦ୍ଦେଶ ଦେଇଥିଲା। ଏଭଳି ଗର୍ତ୍ତ ଶ୍ରୀମନ୍ଦିର ପାଇଁ ବିପଦ ବୋଲି ବି ସତର୍କ କରାଇ ଥିଲା। ଏହାପରେ ନିର୍ମାଣ ସଚିବଙ୍କୁ ଗତ ମାର୍ଚ୍ଚ ୫ରେ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ନିର୍ଦ୍ଦେଶକ(କୀର୍ତ୍ତିରାଜି) ଏନ୍‌ କେ ପାଠକ ଓ ଗତ ମାର୍ଚ୍ଚ ୮ ତାରିଖରେ ଅଧୀକ୍ଷକ ଅରୁଣ ମଲ୍ଲିକ ଚିଠି ଲେଖି ନିର୍ମାଣ କେଉଁ ଆଧାରରେ ହେଉଛି, ତାର ସବିଶେଷ ରିପୋର୍ଟ ଦେବାକୁ କହିଲେଣି।

ଆଲୋଚନା ମୁତାବକ ସଂଶୋଧିତ ପ୍ରକଳ୍ପର ରୂପରେଖ ଜଣାଇବାକୁ କହି ସାରିଲାଣି। ଏହି ଖନନ ଓ ନିର୍ମାଣ ପାଇଁ ଶ୍ରୀମନ୍ଦିରରେ ଫାଟ ସୃଷ୍ଟି ହୋଇଥିବା ବି ବିଭିନ୍ନ ସଂଗଠନ ଅଭିଯୋଗ କରି ଆସୁଛନ୍ତି। ଏହା ସତ୍ତ୍ବେ ଏହି ବେଆଇନ୍‌ ନିର୍ମାଣ ଓ ଖନନ କାର୍ଯ୍ୟ ବନ୍ଦ କରିବା ପରିବର୍ତ୍ତେ ଉତ୍ତର ଦ୍ବାରରେ ଖନନ ଚାଲିବା ଦୁର୍ଭାଗ୍ୟଜନକ ବୋଲି ଶ୍ରୀଜଗନ୍ନାଥ ସେନା କହିଛି। ଶ୍ରୀଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି, ଯେଉଁ ଗୃହ କମିଟି ଅନୁଧ୍ୟାନ ପାଇଁ ଆସୁଛନ୍ତି, ସେମାନଙ୍କ ଅନୁଧ୍ୟାନ ପର୍ଯ୍ୟନ୍ତ ଅନ୍ତତଃ ଅପେକ୍ଷା କରାଯାଉ। ଏହି ବେଆଇନ୍‌ ଖନନ ଓ ନିର୍ମାଣ ବିରୋଧରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିବା ସାମାଜିକ କର୍ମୀ ଦିଲୀପ ବରାଳ କହିଛନ୍ତି ଯେ କୋର୍ଟ ପ୍ରତ୍ନତତ୍ତ୍ବ ବିଭାଗକୁ ଏ ସଂପର୍କରେ ରିପୋର୍ଟ ମାଗିଛନ୍ତି। ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଖନନ ଓ ନିର୍ମାଣ ବେଆଇନ କି ନାହିଁ, ଏହା ଶ୍ରୀମନ୍ଦିର ପ୍ରତି ବିପଦ ସୃଷ୍ଟି କରୁଛି କି ନାହିଁ, ସବୁଦିଗକୁ ଅନୁଧ୍ୟାନ କରି ରିପୋର୍ଟ ଦେବାକୁ କୁହାଯାଇଛି। ଆସନ୍ତା ୨୨ ତାରିଖରେ ପରବର୍ତ୍ତୀ ଶୁଣାଣି ରହିଥିବାବେଳେ ଖନନ କାମ ଜାରି ରହିବା ହାଇକୋର୍ଟଙ୍କ ଆଦେଶକୁ ଅବମାନନା ସଦୃଶ ହୋଇଛି। ତୁରନ୍ତ ଏହି କାମ ବନ୍ଦ ହେଉ ବୋଲି ଶ୍ରୀ ବରାଳ କହିଛନ୍ତି। ସେ ଏ ସଂପର୍କରେ ହାଇକୋର୍ଟଙ୍କୁ ଅବଗତ କରିବେ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe