ବିଶ୍ବ ପ୍ରସିଦ୍ଧ ରତ୍ନଗିରି ବୌଦ୍ଧବିହାରରେ ଖନନ: ହଜାର ବର୍ଷ ତଳର ବିରଳ ମୂର୍ତ୍ତି ଉଦ୍ଧାର

ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ରତ୍ନଗିରି ବୌଦ୍ଧବିହାରର ଖନନ ଜାରି ରହିଛି। ମାଟି ତଳୁ ବହୁ ପ୍ରାଚୀନ ତଥା ଦୁର୍ମୂଲ୍ୟ ବୁଦ୍ଧ ମୂର୍ତ୍ତି ଓ କାରୁକାର୍ଯ୍ୟସମ୍ପନ୍ନ କୀର୍ତ୍ତିରାଜି ଉଦ୍ଧାର କରାଯାଇଛି।

hfhfbvbv

ଯାଜପୁର/ରତ୍ନଗିରି: ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ରତ୍ନଗିରି ବୌଦ୍ଧବିହାରର ଖନନ ଜାରି ରହିଛି। ମାଟି ତଳୁ ବହୁ ପ୍ରାଚୀନ ତଥା ଦୁର୍ମୂଲ୍ୟ ବୁଦ୍ଧ ମୂର୍ତ୍ତି ଓ କାରୁକାର୍ଯ୍ୟସମ୍ପନ୍ନ କୀର୍ତ୍ତିରାଜି ଉଦ୍ଧାର କରାଯାଇଛି। ଷଷ୍ଠ ଶତାବ୍ଦୀ ତଥା ଗୁପ୍ତ ସାମ୍ରାଜ୍ୟ ସମୟର ମୂକସାକ୍ଷୀ ରତ୍ନଗିରିରେ ୧୯୬୦ ମସିହାରେ ପ୍ରତ୍ନତତ୍ତ୍ବ ବିଭାଗ ପ୍ରଥମେ ଖନନ ଆରମ୍ଭ କରି ବହୁ ଐତିହାସିକ କୀର୍ତ୍ତିରାଜି ଆବିଷ୍କାର କରିଥିଲା। ପୂର୍ବରୁ ଏଠାରେ ମାଟି ତଳୁ ୨ଟି ବୌଦ୍ଧ ବିହାର ବାହାରିଥିଲା। ଗୋଟିଏ ବିହାରରେ ୨୪ଟି ଓ ଅନ୍ୟଟିରେ ୧୮ଟି ପ୍ରକୋଷ୍ଠ ଥିଲା। ଶିଳାଲିପି, ଟେରାକୋଟାର ବିଭିନ୍ନ କାରୁକାର୍ଯ୍ୟ  ମିଳିଥିଲା। ଐତିହାସିକ ଡକ୍ଟର ହରିଶଚନ୍ଦ୍ର ପୃଷ୍ଟିଙ୍କ ସୂଚନା ଅନୁସାରେ, ବର୍ତ୍ତମାନ ଖନନରୁ ବୁଦ୍ଧଙ୍କ ମୂର୍ତ୍ତି ସହିତ ତାଙ୍କର ପ୍ରତୀକ ହାତୀ ବାହାରିଛି। ଅର୍ଘ୍ୟ ସ୍ତୂପ ସହିତ ତତ୍କାଳୀନ ସମୟରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ମଧ୍ୟ ମିଳିଛି। ଗୌତମ ବୁଦ୍ଧଙ୍କର ଆକର୍ଷଣୀୟ ମୂର୍ତ୍ତି ସହିତ ଅନ୍ୟାନ୍ୟ ମୂର୍ତ୍ତି ବାହାରିବା‌ରେ ଲାଗିଛି। ପ୍ରତ୍ନତତ୍ତ୍ବ ବିଭାଗ ଦ୍ବାରା ଖନନ ଜାରି ରହିଛି। ରତ୍ନଗିରି ଭଳି ଯଦି ଉଦୟଗିରିର ଖନନ କରାଯାଏ ତେବେ ଅନେକ କୀର୍ତ୍ତିରାଜି ସାମ୍‌ନାକୁ ଆସିପାରିବ। ଏହାଦ୍ବାରା ବିଶ୍ବ ଦରବାରରେ ଓଡ଼ିଶାର ଛବି ଅଧିକ ଉଜ୍ଜ୍ବଳ ହେବା ସହ ଦେଶର ଗରିମା ବୃଦ୍ଧି ପାଇବ। ଏହା ମଧ୍ୟ ଦେଶବିଦେଶର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ ବୋଲି ଗବେଷକ ଡକ୍ଟର ପୃଷ୍ଟି ମତବ୍ୟକ୍ତ କରିଛନ୍ତି। 

ତେବେ ପ୍ରଥମ ଖନନ ପରେ ବହୁ ବର୍ଷ ଧରି ଏହି ବୌଦ୍ଧବିହାର ସମ୍ପର୍କରେ ଆଉ ଅଧିକ ଅନୁସନ୍ଧାନ କରାଯାଇନଥିଲା। ବାରମ୍ବାର ଦାବି ସତ୍ତ୍ବେ ଏହି ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳ ବୌଦ୍ଧବିହାର ହୀରକ ତ୍ରିଭୁଜ ରତ୍ନଗିରି- ଉଦୟଗିରି- ଲଳିତଗିରି ପ୍ରତି ଅବହେଳା ହୋଇଆସିଥିଲା। ଏବର ରାଜ୍ୟ ସରକାର ପର୍ଯ୍ୟଟନ ଶିଳ୍ପକୁ ଅଧିକ ଗୁରୁତ୍ବ ଦେଉଛନ୍ତି। ପର୍ଯ୍ୟଟନ ଶିଳ୍ପ ତଥା ବୈଦେଶିକ ମୁଦ୍ରା ଅର୍ଜନର ସମ୍ଭାବନାକୁ ଅନୁଭବ କରି ପୁଣି ରତ୍ନଗିରି ବୌଦ୍ଧବିହାର ଖନନ ଆରମ୍ଭ ହୋଇଛି। ଏହାକୁ ନେଇ ବୌଦ୍ଧ ଧର୍ମାବଲମ୍ବୀ, ଗବେଷକ ଓ ଐତିହାସିକଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ପ୍ରକାଶ ପାଇଛି। ଏହାକୁ ଯଦି ଅଧିକ ବ୍ୟାପକ କରାଯାଇ ଭିତ୍ତିଭୂମି ପ୍ରସ୍ତୁତ କରି ପ୍ରଚାରପ୍ରସାର କରାଯାଏ ତେବେ ହୀରକ ତ୍ରିଭୁଜ ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳରେ ପରିଣତ ହେବ ବୋଲି ମତପ୍ରକାଶ ପାଇଛି। ପ୍ରକାଶ ଥାଉକି, ନିକଟରେ ଉଦୟଗିରିଠାରେ ପ୍ରଥମଗୁରୁ ପଦ୍ମସମ୍ଭବଙ୍କ ଉପାସନା ସମାରୋହ ପାଳନ କରାଯାଇଥିଲା। ଏଥିରେ ୧୭ଟି ଦେଶର ହଜାରରୁ ଅଧିକ ବୌଦ୍ଧ ସନ୍ନ୍ୟାସୀ ଓ ପ୍ରତିନିଧି ଯୋଗଦେଇ ୫ ଦିନ ଧରି ଉପାସନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe