ଶ୍ରୀମନ୍ଦିର ଚତୁର୍ପାର୍ଶ୍ବରେ ଖନନ ପ୍ରସଙ୍ଗ: ସାରା ରାଜ୍ୟରେ ଜନଆନ୍ଦୋଳନ ପାଇଁ ଚେତାବନୀ

Advertisment
ଶ୍ରୀମନ୍ଦିର ଚତୁର୍ପାର୍ଶ୍ବରେ ଖନନ ପ୍ରସଙ୍ଗ: ସାରା ରାଜ୍ୟରେ ଜନଆନ୍ଦୋଳନ ପାଇଁ ଚେତାବନୀ

ଭୁବନେଶ୍ବର : ଶ୍ରୀମନ୍ଦିର ଚତୁର୍ପାର୍ଶ୍ବରେ ଅବୈଧ ଖନନ ଓ ନିର୍ମାଣ ତୁରନ୍ତ ବନ୍ଦ କରିବାକୁ ଦାବି କରିଛି ଶ୍ରୀମନ୍ଦିର ସୁରକ୍ଷା ଅଭିଯାନ। ଗୁରୁବାର ପୂର୍ବାହ୍ନରେ ଭୁବନେଶ୍ବରସ୍ଥିତ ହୋଟେଲ୍‌ କେଶରୀରେ ଅଭିଯାନ ପକ୍ଷରୁ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସଂଯୋଜକ ବିନୟ ଭୂ୍ୟା୍ଁ, ସହସଂଯୋଜକ ତନ୍ମୟ ଦାଶ ଏବଂ ଅଜିତ୍‌ ପଟ୍ଟନାୟକ କହିଲେ, ମହାପ୍ରଭୁ ଜଗନ୍ନାଥ ଓଡ଼ିଆଙ୍କ ପରିଚୟ। ଶ୍ରୀମନ୍ଦିର ସମଗ୍ର ହିନ୍ଦୁ ସମାଜର ବିଶ୍ବାସ ଓ ସଂସ୍କୃତିର ପ୍ରାଣକେନ୍ଦ୍ର। କିନ୍ତୁ ସୌନ୍ଦର୍ଯ୍ୟୀକରଣ ନାଁରେ ରାଜ୍ୟ ସରକାରଙ୍କ ଶ୍ରୀମନ୍ଦିର ଐତିହ୍ୟ ପରିକ୍ରମା ପ୍ରକଳ୍ପ ସମ୍ପୂର୍ଣ୍ଣ ଅବ‌ୈଧ, ଅନୈତିକ।

ଏବେ ମନ୍ଦିରର ରକ୍ଷଣାବେକ୍ଷଣ, ସୁରକ୍ଷା ଓ ସରଂକ୍ଷଣ ଭାରତୀୟ ପତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା(ଏଏସ୍‌ଆଇ) ଅଧୀନରେ ରହିଛି। ଆଇନ କହୁଛି, ମନ୍ଦିରର ଶହେ ମିଟର ପର୍ଯ୍ୟନ୍ତ ନିଷିଦ୍ଧାଞ୍ଚଳରେ ସ୍ଥାୟୀ ବୃହତ୍‌ ନିର୍ମାଣ ସମ୍ପୂର୍ଣ୍ଣ ନିଷେଧ। ଶହେରୁ ତିନି ଶହ ମିଟର ପର୍ଯ୍ୟନ୍ତ ନିୟନ୍ତ୍ରିତ ଅଞ୍ଚଳରେ ଯେକୌଣସି ନିର୍ମାଣ ଏଏସ୍‌ଆଇ ପରାମର୍ଶକ୍ରମେ ହେବା କଥା। କିନ୍ତୁ ରାଜ୍ୟ ସରକାର ଆଇନ ଉଲ୍ଲଘଂନ କରି ମନ୍ଦିରର ଅତି ନିକଟରେ ଉଚ୍ଚ କ୍ଷମତାସଂପନ୍ନ ମେସିନ୍‌ ଲଗାଇ ଖନନ କରୁଛନ୍ତି। ଏହାଦ୍ବାରା ମନ୍ଦିରର ମୂଳଭିତ୍ତି ଗଭୀର ଭାବେ ପ୍ରଭାବିତ ହୋଇଛି। ଉଚ୍ଚ ନ୍ୟାୟାଳୟରେ ଏଏସ୍‌ଆଇ ପକ୍ଷରୁ ଦାଖଲ କରାଯାଇଥିବା ସତ୍ୟପାଠରୁ ଏହା ସ୍ପଷ୍ଟ ହୋଇଛି। କୌଣସି ଅଧିକୃତ ସ୍ଥାନରେ ଅନୁମତି ନନେଇ ରାଜ୍ୟ ସରକାର ବେଆଇନ କାର୍ଯ୍ୟ କରୁଛନ୍ତି। ତେଣୁ ତୁରନ୍ତ ଏହି ନିର୍ମାଣ ବନ୍ଦ ନ ହେଲେ ଅଭିଯାନ ସୁପ୍ରିମ୍‌କୋର୍ଟଙ୍କ ଦ୍ବାରସ୍ଥ ହେବା ସହ ସାରା ରାଜ୍ୟରେ ବ୍ୟାପକ ଜନ ଆନ୍ଦୋଳନ କରିବାକୁ ଚେତାବନୀ ଦିଆଯାଇଛି। କାର୍ଯ୍ୟବନ୍ଦ ପାଇଁ ସାଧାରଣ ଜନତାଙ୍କଠାରୁ ଅଧିକରୁ ଅଧିକ ଚିଠି ସଂଗ୍ରହ କରାଯାଇ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ଦିଆଯିବ। ଏହାସହ ବ୍ଲକ୍‌ସ୍ତରରୁ ରାଜ୍ୟ ପର୍ଯ୍ୟନ୍ତ ଗଣଧାରଣା, ବୁଦ୍ଧିଜୀବୀ ସଂଗୋଷ୍ଠୀ, ସନ୍ଥ ସମ୍ମିଳନୀ, ମାତୃଶକ୍ତି ଜାଗରଣ କାର୍ଯ୍ୟକ୍ରମ କରାଯିବ ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe