Sambad English
ଭୁବନେଶ୍ୱର : ରାଜ୍ୟ ସରକାର ସୋମବାର ଦିନ ଓଏଏସ୍ ସ୍ତରରେ ଏକ ଅଦଳବଦଳ କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ଶାସନ ସଚିବ ଅବନୀକାନ୍ତ ପଟ୍ଟନାୟକଙ୍କୁ ଇସ୍ପାତ ଓ ଖଣି ବିଭାଗକୁ ଏବଂ ଏମ୍ଏସ୍ଏମ୍ଇ ବିଭାଗର ଅତିରିକ୍ତ ସଚିବ ଶିବ ନାରାୟଣ ସାହୁଙ୍କୁ ସାଧାରଣ ପ୍ରଶାସନ ବିଭାଗକୁ ବଦଳି କରାଯାଇଛି। ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ ଅମୀୟ କୁମାର ସାହୁଙ୍କୁ ରାଜସ୍ବ ବିଭାଗର ଯୁଗ୍ମ ସଚିବ ଓ ଭଦ୍ରକ ତହସିଲ୍ଦାର ନବକୃଷ୍ଣ ଜେନାଙ୍କୁ ସୁକିନ୍ଦା ସ୍ବତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀ ଭାବେ ନିଯୁକ୍ତି ଦିଆଯାଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି ଏ ସଂକ୍ରାନ୍ତରେ ବିଜ୍ଞପ୍ତି ଜାରି ହୋଇଛି।
ଏହା ବାଦ୍ ୬ ଜଣ ଓଏଏସ୍ ଅଫିସରଙ୍କୁ ପଦୋନ୍ନତି ଦିଆଯାଇଛି। ପଦୋନ୍ନତି ପରେ ଢେଙ୍କାନାଳ ଜିଲ୍ଲା ଗଁଦିଆ ବିଡିଓ ନେତ୍ରାନନ୍ଦ ମଲ୍ଲିକଙ୍କୁ ଢେଙ୍କାନାଳ ସିଡିଏମ୍ଓଙ୍କ ଅଫିସ୍ରେ ପ୍ରଶାସନିକ ଅଧିକାରୀ, ବାରିପଦା ତହସିଲ୍ଦାର ରାମଚନ୍ଦ୍ର ସୋରେନଙ୍କୁ ବାରିପଦାର ସ୍ବତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀ, କୋଟପାଡ଼ ବିଡିଓ ଦାଶରଥୀ ସରବୋଙ୍କୁ କୋରାପୁଟ ଡିଆର୍ଡିଏର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଏବଂ ଗୋଲମୁଣ୍ଡା ବିଡିଓ ସ୍ନିଗ୍ଧାରାଣୀ ପ୍ରଧାନଙ୍କୁ କଳାହାଣ୍ଡି ସିଡିଏମ୍ଓଙ୍କ ଅଫିସ୍ରେ ପ୍ରଶାସନିକ ଅଧିକାରୀ ଭାବେ ନିଯୁକ୍ତି ଦିଆଯାଇଛି। କଳାହାଣ୍ଡି ଡେପୁଟି ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ବରାଳ ଓ ଲାଇକେରା ବିଡିଓ ଶଙ୍କର କେରକେଟ୍ଟାଙ୍କୁ ପଦୋନ୍ନତି ପରେ ନିଜ ନିଜ ପଦବିରେ କାର୍ଯ୍ୟ କରିବାକୁ ଅନୁମତି ଦିଆଯାଇଛି।
Follow Us