ଅବକାରୀ ନିରୀକ୍ଷକ କହିଲେ, ମାନସିକ ଅବସ୍ଥା ଠିକ୍‌ ନଥିଲା: ବୟାନ ବଦଳାଇଲେ, ଛୁଟିରେ ଗଲେ

Advertisment
ଅବକାରୀ ନିରୀକ୍ଷକ କହିଲେ, ମାନସିକ ଅବସ୍ଥା ଠିକ୍‌ ନଥିଲା: ବୟାନ ବଦଳାଇଲେ, ଛୁଟିରେ ଗଲେ

odishasambad.in

ପୁରୀ : ପୁରୀ ଜିଲ୍ଲା ପୁଲିସ ନିଶା ବେପାରୀମାନଙ୍କଠାରୁ ମାସିକିଆ ବଟି ନେଉଥିବା ନେଇ ମୁହଁଖୋଲି ଚାଞ୍ଚଲ୍ୟ ସୃଷ୍ଟି କରିଥିବା ଅବକାରୀ ନିରୀକ୍ଷକ ସଞ୍ଜୟ ପଣ୍ଡା ଆଜି ତାଙ୍କ ବୟାନ ବଦଳାଇଛନ୍ତି। ଏଥିସହିତ ୧୫ଦିନ ଛୁଟିରେ ଯିବାପାଇଁ ଆବେଦନ କରିଛନ୍ତି।

ଶ୍ରୀପଣ୍ଡା ଓ ତାଙ୍କ ପତ୍ନୀଙ୍କ ଏକ ଭିଡିଓ ବାର୍ତ୍ତା ଜରିଆରେ ନିଜର ବୟାନକୁ ନେଇ କ୍ଷମାପ୍ରାର୍ଥନା କରିଛନ୍ତି। ତାଙ୍କ ପତ୍ନୀ ଏଲିନା ପଣ୍ଡା ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ ମାନସିକ ରୋଗରେ ପୀଡ଼ିତ ତାଙ୍କ ସ୍ବାମୀ ସଞ୍ଜୟ ଗତ ପନ୍ଦର ଦିନ ହେବ ଶୋଇନଥିଲେ। ଗତ ମାର୍ଚ୍ଚ ମାସରୁ କାମ ଚାପ ଯୋଗୁ ଚେକ୍‌ଅପ୍‌ କରିପାରିନାହାନ୍ତି। ଗରମ ପ୍ରଭାବ ଯୋଗୁ ତାଙ୍କ ମାନସିକ ସ୍ଥିତିରେ ଭାରସାମ୍ୟ ହରାଇଛନ୍ତି। ତେଣୁ ସେ କରିଥିବା ଏଭଳି ଭୁଲକୁ କ୍ଷମା କରିଦିଆଯାଉ ବୋଲି ସେ ନି‌ବେଦନ କରିଛନ୍ତି।

ଅନ୍ୟପଟେ, ଅବକାରୀ ଅଧିକ୍ଷକଙ୍କୁ ଶ୍ରୀପଣ୍ଡା ଦରଖାସ୍ତରେ ଜଣାଇଛନ୍ତି ଯେ ସେ କରୋନାରେ ଆକ୍ରାନ୍ତ ହେବାପରେ ତାଙ୍କର ମାନସିକ ସ୍ଥିତି ବିଗିଡ଼ିଯାଇଛି। ଗତ ୨୦୨୦ ମସିହା ଅକ୍ଟୋବର ମାସରୁ ସେ ଅସୁସ୍ଥ ଅଛନ୍ତି। ଏଥିପାଇଁ ସେ ପ୍ରଫେସର ଡା. ନୀଳାମ୍ବର ରଥଙ୍କ ପାଖରେ ଚିକିତ୍ସିତ ହୋଇ ଔଷଧ ଖାଉଥିଲେ। ତେବେ ଗତ ମାର୍ଚ୍ଚ ମାସରୁ ସେ ଔଷଧ ବନ୍ଦ କରିଦେବାରୁ ସେ ମାନସିକ ଭାରସାମ୍ୟ ହରାଇ ବସିଥିଲେ ବୋଲି ଲେଖିଛନ୍ତି। ତେଣୁ ତାଙ୍କୁ ୧୫ ଦିନ ପାଇଁ ଛୁଟି ଦିଆଯାଉ ବୋଲି ସେ ଦରଖାସ୍ତରେ ନିବେଦନ କରିଛନ୍ତି।

ଏଠାରେ ପ୍ରଶ୍ନ ଉଠିଛି ଯେ ଯଦି ସେ ଜଣେ ମାନସିକ ରୋଗୀ ତେବେ ତାଙ୍କର ଆଜିର ବୟାନକୁ କିପରି ସୁସ୍ଥ ମସ୍ତିଷ୍କ ବ୍ୟକ୍ତିଙ୍କର ବୟାନ ଭାବେ ଗ୍ରହଣ କରାଯିବ। ସେ ଏହା କୌଣସି ଚାପର ବଶଃବର୍ତ୍ତୀ ହୋଇ ଏଭଳି ମନ୍ତବ୍ୟ ଦେଇଥିବା ଅନୁମାନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe