ଅନୁଗୁଳ : ଅବକାରୀ ଅଧୀକ୍ଷକଙ୍କ ସମେତ ୩ କରୋନା ଆକ୍ରାନ୍ତ, ଅବକାରୀ କାର୍ଯ୍ୟାଳୟ ସିଲ୍‌

Advertisment
ଅନୁଗୁଳ : ଅବକାରୀ ଅଧୀକ୍ଷକଙ୍କ ସମେତ ୩ କରୋନା ଆକ୍ରାନ୍ତ, ଅବକାରୀ କାର୍ଯ୍ୟାଳୟ ସିଲ୍‌

OrissaPOST

ଅନୁଗୁଳ : ଆଜି ଅନୁଗୁଳ ଜିଲ୍ଲାରୁ ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରେ ଅବକାରୀ ଅଧୀକ୍ଷକଙ୍କ ସମେତ ୩ ଜଣ କରୋନା ଯୋଦ୍ଧା ସାମିଲ ରହିଛନ୍ତି । ଅନୁଗୁଳ ଜିଲ୍ଲା ଅବକାରୀ ଅଧୀକ୍ଷକ, ‌ଜଣେ ଅବକାରୀ ଇନ୍‌ସପେକ୍ଟର ଏବଂ ପୁଲିସ କନଷ୍ଟେବଳ ଏହି ଆକ୍ରାନ୍ତଙ୍କ ମଧ୍ୟରେ ରହିଛନ୍ତି। ଅବକାରୀ ବିଭାଗର ଦୁଇ ଜଣ ବରିଷ୍ଠ ଅଧିକାରୀ ଆକ୍ରାନ୍ତ ଚିହ୍ନଟ‌ ହେବା ପରେ ହାଇସ୍କୁଲ ପାଖ ଅବକାରୀ କାର୍ଯ୍ୟାଳୟକୁ ସିଲ୍‌କରି ଦିଆଯାଇଛି। ଏହି କାର୍ଯ୍ୟାଳୟରେ କାର୍ଯ୍ୟରତ ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କୁ ଗୃହ ସଂଗରୋଧରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଜିଲ୍ଲାପାଳ ମନୋଜ ମହାନ୍ତି ସୂଚନା ଦେଇଛନ୍ତି।

ଅବକାରୀ ଅଧୀକ୍ଷକ ଓ ଅବକାରୀ ଇନ୍‌ସପେକ୍ଟର କେମିତି ଆକ୍ରାନ୍ତ ହେଲେ ତାହା ଜଣାପଡ଼ି ନାହିଁ। ତେବେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଏକ ବିଦେଶୀ ମଦ ଦୋକାନର କର୍ମଚାରୀଙ୍କ ସଂସ୍ପର୍ଶରେ ଆସିଥିବା ସନ୍ଦେହ କରାଯାଉଛି। ସଂପୃକ୍ତ କର୍ମଚାରୀ ଚାଲାଣ କାଟିବା ସହିତ ଅନ୍ୟ ବିଭାଗୀୟ କାମରେ ଅବକାରୀ କାର୍ଯ୍ୟାଳୟକୁ ଆସିଥାନ୍ତି। ତେବେ ସେମାନେ କେମିତି ଆକ୍ରାନ୍ତ ହେଲେ କଣ୍ଟ୍ରାକ୍ଟ ଟ୍ରାସିଂ ପରେ ସ୍ପଷ୍ଟ ହେବ ବୋଲି ଜିଲ୍ଲାପାଳ ଶ୍ରୀ ମହାନ୍ତି କହିଛନ୍ତି। ସେହିପରି ଆଜି ଚିହ୍ନଟ ହୋଇଥିବା ପୁଲିସ କ‌ନଷ୍ଟେବଳ ଜଣକ ତାଙ୍କ ପିତାଙ୍କ ଚିକିତ୍ସା ପାଇଁ କଟକ ବଡ଼ ଡାକ୍ତରଖାନାକୁ ଯାଇଥିଲେ ବୋଲି ଜିଲ୍ଲାପାଳ ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି। ଅପରପକ୍ଷରେ ଆଜି ହୁଲୁରିସିଂହାର ରଂଜନ ପ୍ରସାଦଙ୍କ ନାମରେ ଲାଇସେନ୍ସ ଥିବା ସହରର ଗାନ୍ଧୀମାର୍ଗସ୍ଥିତ ବିଦେଶୀ ମ‌ଦ ଦୋକାନକୁ ଆଜି ସିଲ୍ କରିଦିଆଯାଇଛି। ଏହି ୩ କରୋନା ଯୋଦ୍ଧାଙ୍କ ବ୍ୟତୀତ ଅନୁଗୁଳ ପୌରାଂଚଳର ଏକ ଦମ୍ପତି ମଧ୍ୟ ଆକ୍ରାନ୍ତ ହୋଇଛନ୍ତି। ପୁରୁଷଙ୍କ ବୟସ ୫୫ ବର୍ଷ ହୋଇଥିବା ବେଳେ ତାଙ୍କ ପତ୍ନୀଙ୍କ ବୟସ ୫୨ ବର୍ଷ ହୋଇଥିବା ଜଣାପଡ଼ିଛି। ସେହିପରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କରୋନା ୱାର୍ଡରେ ଆଣ୍ଟିଜେନ୍‌ ଟେଷ୍ଟ କରାଯିବା ବେଳେ ସେମାନେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା।

ସେହିପରି ଛେଣ୍ଡିପଦା ବ୍ଲକ୍‌ ଅଞ୍ଚଳର ଏକ ଅସ୍ଥାୟୀ ମେଡ଼ିକାଲ ଶିବିରରୁ ଜଣେ ୨୬ ବର୍ଷର ଯୁବକ ଆକ୍ରାନ୍ତ ହୋଇଛନ୍ତି। ସେ ନିକଟରେ ଆନ୍ଧ୍ରପ୍ରଦେଶରୁ ଫେରିଥିଲେ। ଏହି ବ୍ଲକ୍‌ ଅଞ୍ଚଳର ଏକ ଗ୍ରାମର ଆକ୍ରାନ୍ତ ହୋଇଥିବା ଜଣେ ୧୪ ବର୍ଷିୟା ବାଳିକା ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ। ଏହି ୬ଜଣଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୩୪ରେ ପହଞ୍ଚିଛି। ଆକ୍ରାନ୍ତମାନଙ୍କୁ ତାଳଚେର କୋଭିଡ୍ ହସ୍‌ପିଟାଲକୁ ଚିକିତ୍ସା ନିମନ୍ତେ ପଠାଯାଇଛି ବୋଲି ଜିଲ୍ଲାପାଳ ମନୋଜ ମହାନ୍ତି ସୂଚନା ଦେଇଛନ୍ତି। ଏହା ମଧ୍ୟରେ କୋଭିଡ ହସ୍‌ପିଟାଲରୁ ୪ ଜଣ ସୁସ୍ଥ ହୋଇ କୋଭିଡ କେୟାର ସେଣ୍ଟରକୁ ନିରୀକ୍ଷଣ ନିମନ୍ତେ ଯାଇଛନ୍ତି। ଏଥିସହିତ ପୂର୍ବରୁ ସୁସ୍ଥ ହୋଇଥିବା ୧୩୪କୁ ମିଶାଇ ସମୁଦାୟ ସୁସ୍ଥଙ୍କ ସଂଖ୍ୟ‌ା ୧୩୮ରେ ପହଞ୍ଚିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe