ରାତିଅଧିଆ ମଦ ଧରପଗଡ଼: ଅବକାରୀ କର୍ମଚାରୀ ଖାଇଲେ ନିସ୍ତୁକ ମାଡ଼

ଅବକାରୀ ଅଧିକ୍ଷକ ଓ ଜିଲ୍ଲାପାଳଙ୍କୁ ଗ୍ରାମବାସୀଙ୍କ ଅଭିଯୋଗ

ରାତିଅଧିଆ ମଦ ଧରପଗଡ଼: ଅବକାରୀ କର୍ମଚାରୀ ଖାଇଲେ ନିସ୍ତୁକ ମାଡ଼

ଅନୁଗୁଳ : ଅନୁଗୁଳ ଅବକାରୀ ବିଭାଗର ମୋବାଇଲ୍‌ ସ୍କ୍ବାଡ୍‌ ଏବଂ ଅବକାରୀ ସଦର ଥାନା-୧ ପକ୍ଷରୁ ପୁରୁଣାକୋଟ ଥାନା ଅନ୍ତର୍ଗତ ଗଞ୍ଜଡ଼ା ଗାଁରେ ଶୁକ୍ରବାର ପ୍ରତ୍ୟୁଷରେ ଚୋରା ମଦ କାରବାର ଧରପଗଡ଼ କରାଯାଇଥିଲା। ଏହି ସମୟରେ ଗ୍ରାମବାସୀମାନେ ନିସ୍ତୁକ ମାଡ଼ ମାରିଛନ୍ତି।

ସୂଚନା ମୁତାବକ, ଅନୁଗୁଳ ଅବକାରୀ ବିଭାଗର କର୍ମଚାରୀମାନେ ଶୁକ୍ରବାର ପ୍ରତ୍ୟୁଷ ସାଢ଼େ ୪ଟା ବେଳକୁ ଗଞ୍ଜଡ଼ା ଗାଁରେ ପହଞ୍ଚି ଚଢ଼ଉ କରିଥିଲେ। ସେମାନେ ଗାଁର ପ୍ରଦୀପ ଦେହୁରୀଙ୍କ ଘରେ ପଶି ତାଙ୍କୁ ବିନା କାରଣରେ ଉଠାଇ ନେବା ସହ ତାଙ୍କ ସ୍ତ୍ରୀ ମିନତିଙ୍କୁ‌ ମାଡ଼ମାରି ଲହୁ ଲୁହାଣ କରିଦେଇଥିଲେ। ମିନତିଙ୍କ ଭଉଣୀ ଲୁସିକା ପ୍ରଧାନ ଏହାର ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ନିସ୍ତୁକ ପିଟିବା ସହ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ଅପର ପକ୍ଷରେ ପ୍ରଦୀପ କୌଣସି ଚୋରା ମଦ କାରବାର କରୁନଥିବା ବେଳେ ତାଙ୍କ ପରିବାର ଉପରେ ଏଭଳି ଆକ୍ରମଣକୁ ଗ୍ରାମବାସୀମାନେ ବିରୋଧ କରିଥିଲେ। କିନ୍ତୁ ଚଢଉକାରୀ ଦଳ ଗ୍ରାମବାସୀଙ୍କ ପ୍ରତିବାଦକୁ ଖାତିର ନକରି ପ୍ରଦୀପଙ୍କୁ ଉଠାଇ ନେବାକୁ ଚେଷ୍ଟା କରିଥିଲେ। ଏଥିରେ ଗ୍ରାମବାସୀ ଏକତ୍ରିତ ହୋଇ ୨ଟି ବଲେରୋରେ ଯାଇଥିବା ୧୦/୧୨ ଜଣ ଅବକାରୀ ବିଭାଗ କର୍ମଚାରୀଙ୍କୁ ଘେରିଯାଇ ନିର୍ଧୁମ ମାଡ଼ ମାରିଥିଲେ। ଏଥିରେ ଅବକାରୀ ବିଭାଗର କର୍ମଚାରୀମାନେ ଆହତ ହୋଇ ପ୍ରାଣ ବିକଳରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପରେ ସେମାନେ ପୁନର୍ବାର ଗାଁରେ ପହଂଚି ବେଆଇନ ମଦ ବ୍ୟବସାୟ କରୁଥିବା ବ୍ୟକ୍ତିମାନଙ୍କୁ ଗିରଫ କରି ସେମାନଙ୍କୁ କୋର୍ଟ ଚାଲଣ କରିଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe