ଧନୁପାଲି ଜବରଦଖଲ ଉଚ୍ଛେଦ ବେଳେ ଉତ୍ତେଜନା

ଧନୁପାଲି ଜବରଦଖଲ ଉଚ୍ଛେଦ ବେଳେ ଉତ୍ତେଜନା

ସମ୍ବଲପୁର: ଧନୁପାଲିରୁ ଗୋବିନ୍ଦତୋଲା ମଧ୍ୟରେ ଜବରଦଖଲର ଦ୍ବିତୀୟ ଦିନ ତୀବ୍ର ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ସେଠାରେ ରାସ୍ତା ପାଇଁ ୭୨ ଫୁଟ୍ ସରକାରୀ ଜାଗା ଥିବାବେଳେ ଉଭୟ ପାର୍ଶ୍ବରୁ ଅଧିକାଂଶ ଲୋକ ଆଗକୁ ବଢ଼ାଇ ସ୍ଥାୟୀ ବା ଅସ୍ଥାୟୀ ଢାଞ୍ଚା ନିର୍ମାଣ କରିଥିଲେ। ହେଲେ ଉକ୍ତ ଜବରଦଖଲ ଉଚ୍ଛେଦ କରି ଏହି ୭୨ ଫୁଟ୍ ସରକାରୀ ଜାଗା ବାହାର କଲାବେଳେ ଉତ୍ତେଜନା ସୃଷ୍ଟି ହେଉଛି। ସରକାରୀ ଜାଗା କେତେ ଦୂର, କେଉଁଠୁ ରୟତି ଜମି ଆରମ୍ଭ ହେଉଛି ଏହାକୁ ନେଇ କର୍ତ୍ତୃପକ୍ଷ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ବିବାଦ ସୃଷ୍ଟି ହେଉଛି।

ସେଥି ପାଇଁ ଏକାଧିକ ବାର ମାପ ବି କରିବାକୁ ପଡ଼ୁଛି। ଏସବୁ ଭିତରେ ବି ପୁଲିସ୍‌ ବଳର ଉପସ୍ଥିତିରେ ବୁଧବାର ଅନେକ ଗୁଡ଼ିଏ ଦୋକାନ, ଘର ଓ ଆଗକୁ ବଢ଼ା ଯାଉଥିବା ଅସ୍ଥାୟୀ ଢାଞ୍ଚା ଭଙ୍ଗାଯାଇଛି। ତେବେ ଯେଉଁମାନେ ଆଗକୁ ବଢ଼ାଇଥିବା ଅଂଶକୁ ନିଜେ ଖୋଲି‌ ନେବେ ବୋଲି କହିଛନ୍ତି, ସେମାନଙ୍କୁ ଗୁରୁବାର ରାମାନବମୀ ଦିନଟି ସମୟ ଦିଆଯାଇଛି। ନହେଲେ ଶୁକ୍ରବାର ପୁଣି ମେସିନ୍ ଲଗାଇ ଭଙ୍ଗାଯିବ ବୋଲି ଏସ୍‌ଏମ୍‌ସି ପ୍ରବର୍ତ୍ତନ ଅଧିକାରୀ ଶୁଭଙ୍କର ମହାନ୍ତି କହିଛନ୍ତି। ଏହି ଜବରଦଖଲ ଉଚ୍ଛେଦକୁ ବିଜେପି ନେତା ସୂର୍ଯ୍ୟ ପାଣିଗ୍ରାହୀ ସ୍ବାଗତ କରିଥିବାବେଳେ ସାଧାରଣ ଲୋକଙ୍କ ଜବରଦଖଲ ଉଚ୍ଛେଦ କରି ବଡ଼ବଡ଼ିଆଙ୍କୁ ଅନୁକମ୍ପା ଦେଖା ଯାଉଥିବା ଅଭିଯୋଗ କରିଛନ୍ତି। ଉଚ୍ଛେଦ କରୁଥିବା ରାଜସ୍ବ ବିଭାଗ, ପୂର୍ତ୍ତ ବିଭାଗ ଓ ମହାନଗର ନିଗମ ମଧ୍ୟରେ ସମନ୍ବୟର ଅଭାବ ରହିଥିବା ସେ ଏକ ବିବୃତିରେ କହିଛନ୍ତି। କାହାରି ପ୍ରତି ଅନୁକମ୍ପା ନଦେଖାଇ ସବୁପ୍ରକାର ଜବରଦଖଲ ସଂପୂର୍ଣ୍ଣ ଉଚ୍ଛେଦ କରିବାକୁ ସେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe