ଟିଟିଲାଗଡ଼ : ଟିଟିଲାଗଡ଼ ରେଳ ଓଭର୍ବ୍ରିଜ୍ ଶୁକ୍ରବାର ଉଦ୍ଘାଟିତ ହୋଇଛି। ଏହାର ମାତ୍ର ଦିନକ ପରେ ସ୍ଥାନୀୟ ହାଟପଦାପଡ଼ାସ୍ଥିତ ରେଳ ଫାଟକକୁ ବନ୍ଦ କରିବା ପ୍ରକ୍ରିୟା ଆରମ୍ଭ କରିଦେଇଛି ଟିଟିଲାଗଡ଼ ରେଳବାଇ। ଫଳରେ ଏହାକୁ ବିରୋଧ କରିଛନ୍ତି ଟିଟିଲାଗଡ଼ ବିଜେପି ଓ ବଣିକ ସଂଘ।
ସେମାନଙ୍କ ଯୁକ୍ତି ହେଲା, ଫାଟକର ଉଭୟ ପାର୍ଶ୍ଵରେ ହାଟପଦାପଡ଼ା, ଗୋରୁବଜାରପଡ଼ା, ଦେବନ୍ଧପଡ଼ା, ଟାଙ୍ଗରପଡ଼ା, ଜୋର୍ପଡ଼ା, ବହିଦାରପଡ଼ା ଆଦି ବସତି ଓ ବଜାର ରହିଛି। ଏହି ଫାଟକ ଦେଇ ସ୍କୁଲପିଲାମାନେ ଅନ୍ୟପଟେ ଥିବା ସ୍କୁଲକୁ ସହଜ ଓ ସୁବିଧାରେ ଯିବାଆସିବା କରିଥାନ୍ତି। ଓଭରବ୍ରିଜ ଏହି ପଡ଼ାବାସୀଙ୍କ ପାଇଁ ସେତେଟା ଉପଯୋଗୀ ହୋଇପାରୁନାହିଁ। ରେଳ ଭୂତଳ ପୋଲ ମଧ୍ୟ ପାଣି ଜାମ ରହୁଥିବା ସମୟରେ ଯାତାୟାତରେ ଅସୁବିଧା ହେଉଛି। କିନ୍ତୁ ରେଳ ଫାଟକ ବନ୍ଦ ହେଲେ ସାଧାରଣ ଜୀବନରେ ଅନେକ ପ୍ରଭାବ ପଡ଼ିବା ସହ ଗମନାଗମନ ପ୍ରଭାବିତ ହେବ। ଫାଟକ ସମୂର୍ଣ୍ଣ ବନ୍ଦ ହେଲେ ମାତ୍ର ୧୦ ମିଟର ରାସ୍ତା ପାଇଁ ୧କିମିରୁ ଅଧିକ ବାଟ ବୁଲିବାକୁ ପଡ଼ିବ ବୋଲି ଅଭିଯୋଗ କରିଛନ୍ତି।
ଏହାର ପ୍ରତିବାଦରେ ଟିଟିଲାଗଡ଼ ବିଜେପି ଉପଦେଷ୍ଟା ଶୁଭ୍ରାଂଶୁ ଦାସଙ୍କ ସହ ନଗର ସଭାପତି ପ୍ରଶାନ୍ତ ଷଡ଼ଙ୍ଗୀ, ଆଡ୍ଭୋକେଟ ବିଶ୍ୱଜିତ୍ ଦାସ, ସଞ୍ଜୀବ ତ୍ରିପାଠୀ, ବଣିକସଂଘ ସଭାପତି ଶମ୍ଭୁ ଗୋୟଲ୍ ପ୍ରମୁଖ ଉକ୍ତ ସ୍ଥାନରେ ପହଂଚି ରେଳବାଇ ଏଡିଇଏନ୍ କାଶୀନାଥ ସାହାଙ୍କ ସହ ଆଲୋଚନା କରି କାମ ବନ୍ଦ କରିବାକୁ ନିବେଦନ କରିଥିଲେ। ଶ୍ରୀ ସାହା ଅନୁରୋଧ ରକ୍ଷା କରି ଅନିର୍ଦ୍ଦିଷ୍ଟ ସମୟ ପାଇଁ କାମ ବନ୍ଦ କରିବା ସହ ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରି କାମ ଆଗକୁ ବଢ଼ାଇବାକୁ କହିଛନ୍ତି।
Follow Us