ମାଂସ ଚାଲାଣକୁ ନେଇ ଉତ୍ତେଜନା, ବ୍ୟବସାୟୀ ଚମ୍ପଟ

ମାଂସ ଚାଲାଣକୁ ନେଇ ଉତ୍ତେଜନା, ବ୍ୟବସାୟୀ ଚମ୍ପଟ

Ommcom News

କାଳିଆପାଣି : ଜରି ବସ୍ତାରେ ସନ୍ଦେହଜନକ ଭାବେ ମାଂସ ଚାଲାଣକୁ ନେଇ ବୁଧବାର କାଳିଆପାଣି ଥାନା ଅନ୍ତର୍ଗତ କାଳିଆପାଣି ଟାଉନସିପ୍ ସଂଲଗ୍ନ ଏକ ମାଂସ ଦୋକାନରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଉଡ଼ାଜାହାଜ ପଡ଼ିଆ ପାଖ ଟ୍ରକ୍‌ ଲୋଡିଂ ଧାଡ଼ିରେ ଠିଆ ହୋଇଥିବା ଜନୈକ ଡ୍ରାଇଭର ଏହା ଦେଖି ଅନ୍ୟମାନଙ୍କୁ ଜଣାଇବାରେ ସେଠାରେ ଭିଡ଼ ଜମିଥିଲା। ଉତ୍ତ୍ୟକ୍ତ ଲୋକେ ସଂପୃକ୍ତ ଅଣହିନ୍ଦୁ ମାଂସ ବ୍ୟବସାୟୀଙ୍କୁ ଗୋଡ଼ାଇଥିଲେ। ମାଡ଼ ଭୟରେ ବ୍ୟବସାୟୀ ଜଣକ ଦୋକାନ ଛାଡ଼ି ମାଂସ ବସ୍ତା ଧରି ଦୌଡ଼ି ପଳାଇଥିଲେ। ସକାଳୁ ଦୋକାନ ବନ୍ଦ ରହିଛି।

ଦୋକାନୀ ଜଣକ ଆତ୍ମଗୋପନ କରିଥିବା ଜଣାପଡ଼ିଛି। ଏସମ୍ପର୍କରେ ସୂଚନା ମିଳିଥିଲେ ମଧ୍ୟ ଥାନାରେ କୌଣସି ଅଭିଯୋଗ ହୋଇନି ବୋଲି ପୁଲିସ କହିଛି। ଅନ୍ୟପକ୍ଷରେ ସଂପୃକ୍ତ ମାଂସ ଦୋକାନୀଙ୍କୁ ଏସମ୍ପର୍କରେ ପଚାରିବାରେ ବସ୍ତାରେ ମେଣ୍ଢା ମାଂସ ଥିବା କହିଥିଲେ। ଏହା ଶସ୍ତାରେ ଅଣଓଡ଼ିଆ ମେସ୍, ହାଣ୍ଡିଆପଡ଼ା ଓ ନିର୍ଦିଷ୍ଟ କିଛି ଛୋଟ ଭୋଜନାଳୟକୁ ଯୋଗାଣ ପାଇଁ ଅଣା ଯାଇଥିବା କହିଥିଲେ। ସୂଚନାଯୋଗ୍ୟ ଯେ, ୧୫ ବର୍ଷ ତଳେ ଖଣିଅଞ୍ଚଳର ଅନ୍ୟ ଜଣେ ଗୋମାଂସ ଚାଲାଣ କରୁଥିବା ବେଳେ ସ୍ଥାନୀୟ ଲୋକଙ୍କ ହାତରେ ଧରାପଡ଼ି ନିସ୍ତୁକ ମାଡ଼ ଖାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe