ମନରେଗା କାମ ବନ୍ଦ କରିବାରୁ ଉତ୍ତେଜନା

୨୫୦ ଜବ୍‌ କାର୍ଡଧାରୀ କାମ କରୁଥିଲେ, ଏନଫୋର୍ସମେଣ୍ଟ ଟିମ୍-ଗ୍ରାମବାସୀ ମୁହାଁମୁହିଁ

ମନରେଗା କାମ ବନ୍ଦ କରିବାରୁ ଉତ୍ତେଜନା

ଜଳେଶ୍ବର : ବାଲେଶ୍ବର ଜିଲ୍ଲା ଜଳେଶ୍ବର ତହସିଲ ଅନ୍ତର୍ଗତ ଗଡ଼ସାହି ବାଲିଆପାଳ ଗାଁରେ ମନରେଗା ଯୋଜନାରେ ନଦୀପଠାରୁ ବାଲି ଓ ମାଟି ଉତ୍ତୋଳନ ବେଳେ ରାଜସ୍ବ ବିଭାଗର ଏନ୍‌ଫୋର୍ସମେଣ୍ଟ ଟିମ୍ ଓ ଗ୍ରାମବାସୀ ମୁହାଁମୁହିଁ ହୋଇଛନ୍ତି। ଉତ୍ତ୍ୟକ୍ତ ଗ୍ରାମବାସୀ ଏନ୍‌ଫୋର୍ସମେଣ୍ଟ ଟିମ୍‌ର ଗାଡ଼ି ଭଙ୍ଗାରୁଜା କରିବା ସହ ଅଧିକାରୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଛି। ଘଟଣାରେ ସ୍ଥାନୀୟ ସରପଞ୍ଚ ତହସିଲ କାର୍ଯ୍ୟାଳୟକୁ ଆସିଥିବା ବେଳେ ପୁଲିସ ତାଙ୍କୁ ସେଠାରୁ ଥାନାକୁ ନେଇ ଅଟକ ରଖିଛି।

ସୂଚନା ଅନୁସାରେ, ମନରେଗାରେ ଗଡ଼ସାହି ବାଲିଆପାଳ ଗାଁର ସାନ୍ତାଳୀ ଢିପଠାରୁ ନିମରିଡ଼ା ରାସ୍ତା ନିର୍ମାଣ ପାଇଁ ୮ଲକ୍ଷ ଓ ବାସନ୍ତୀ ବିଦ୍ୟାପୀଠ ଖେଳପଡ଼ିଆ ପାଇଁ ୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ବେଳେ ଏହାର କାର୍ଯ୍ୟ ଆଜି ଆରମ୍ଭ ହୋଇଥିଲା। ଏହି କାର୍ଯ୍ୟରେ ୨୫୦ରୁ ଊର୍ଦ୍ଧ୍ବ ଜବ୍‌କାର୍ଡଧାରୀ ନିୟୋଜିତ ହୋଇ ସୁବର୍ଣ୍ଣରେଖା ନଦୀପଠାରୁ ବାଲି ଓ ମାଟି ଖନନ କରୁଥିଲେ। ପୂର୍ବାହ୍ନ ସାଢ଼େ ୮ଟା ବେଳେ ଜମାଳପୁର ଆର୍‌ଆଇ ସୃଷ୍ଟିଧର ପଟ୍ଟାୟତ, ଖୁଆଡ଼ ଆର୍‌ଆଇ ସାଗର ବାସ୍କେ, ସଦର ଆରଆଇ ଶରତ ବେହେରାଙ୍କ ସମେତ ୩ ଜଣ ପୁଲିସ କର୍ମଚାରୀଙ୍କୁ ନେଇ ଏକ ୭ ଜଣିଆ ଏନ୍‌ଫୋର୍ସମେଣ୍ଟ ଟିମ ବାଲି ଓ ମାଟି ଖନନ ସ୍ଥାନରେ ପହଞ୍ଚିବା ସହ କାମ ବନ୍ଦ କରିବା ପାଇଁ କହିଥିଲେ। ଫଳରେ ସେଠାରେ ଜବ୍‌କାର୍ଡଧାରୀ ଓ ଏନ୍‌ଫୋର୍ସମେଣ୍ଟ ଟିମ୍ ମଧ୍ୟରେ କଥା କଟାକଟି ଆରମ୍ଭ ହୋଇଥିଲା। ଏହି ସମୟରେ ଜଣେ ଆର୍‌ଆଇ ମହିଳା ଜବ୍‌କାର୍ଡଧାରୀଙ୍କୁ ଅଶୋଭନୀୟ ଆଚରଣ ପ୍ରଦର୍ଶନ କରିଥିବା ଅଭିଯୋଗରେ ଜବ୍‌କାର୍ଡଧାରୀ ଓ ଗ୍ରାମବାସୀ ଏନ୍‌ଫୋର୍ସମେଣ୍ଟ ଟିମକୁ ଘେରିଯାଇ ଗାଡ଼ି ଭଙ୍ଗାରୁଜା କରିବା ସହ କିଛି କର୍ମଚାରୀଙ୍କୁ ଠେଲାପେଲା କରିଥିଲେ। ଖବର ପାଇ ଘଟଣାସ୍ଥଳରେ ଗୋଟିଏ ପ୍ଲାଟୁନ୍‌ ଫୋର୍ସ ପହଞ୍ଚିବା ପରେ ପରିସ୍ଥିତି ନିୟନ୍ତ୍ରଣ କରିଥିଲା।

ସେପଟେ ଘଟଣା ପରେ ଗଡ଼ସାହି ବାଲିଆପାଳ ସରପଞ୍ଚ ଧ୍ରୁବଜ୍ୟୋତି ଗିରି ଜଳେଶ୍ବର ତହସିଲକୁ ଆସିଥିବା ବେଳେ ସେଠାରୁ ପୁଲିସ ତାଙ୍କୁ ଥାନାକୁ ନେଇ ଅଟକ ରଖିଛି। ଜଳେଶ୍ବର ଥାନାରେ ଏ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଚାଲିଛି। ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଶତାଧିକ ପଞ୍ଚାୟତବାସୀ ଜଳେଶ୍ବର ଥାନାରେ ରୁଣ୍ଡ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe