ନୟାଗଡ଼ କ୍ଷୁଦ୍ର ଜଳସେଚନ ନିର୍ବାହୀ ଯନ୍ତ୍ରୀ ଗିରଫ, ଠାବ ହେଲା ଅଢେଇ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି

ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନୟାଗଡ଼ କ୍ଷୁଦ୍ର ଜଳସେଚନ ଡିଭିଜନର ନିର୍ବାହୀ ଯନ୍ତ୍ରୀଙ୍କ ଘର ସମେତ ୮ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ

କଟକ : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ମାମଲାରେ ନୟାଗଡ଼ କ୍ଷୁଦ୍ର ଜଳସେଚନ ନିର୍ବାହୀ ଯନ୍ତ୍ରୀ ବିନୟ କୁମାର ସୁବୁଦ୍ଧିଙ୍କୁ କଟକ ଭିଜିଲାନ୍ସ ସେଲ୍‌ ଡିଭିଜନ୍‌ ପକ୍ଷରୁ ଗିରଫ କରାଯାଇଥିବା ଜଣାଯାଇଛି। ତାଙ୍କର ବିଭିନ୍ନ ସ୍ଥାନର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ଆକଳନ କରାଯିବା ପରେ ୧କୋଟି ୯୮ ଲକ୍ଷ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠାବ କରାଯାଇଛି। ସେଥିମଧ୍ୟରେ ଅଢେଇ କିଲୋଗ୍ରାମର ସୁନା ଓ ସାଢେ ୩ କିଲୋଗ୍ରାମର ରୁପା ଅଳଙ୍କାର ଜବତ କରାଯାଇଛି।

ସୂଚନାନୁଯାୟୀ,  ଭିଜିଲାନ୍‌ସ ଏକକାଳୀନ ଶ୍ରୀ ସୁବୁଦ୍ଧିଙ୍କ ଭୀମଟାଙ୍ଗୀ ହାଉସି˚ ବୋର୍ଡ କଲୋନିସ୍ଥିତ ଦୁଇ ମହଲା ଘର, ନୟାଗଡ଼ସ୍ଥିତ କାର୍ଯ୍ୟାଳୟ, ସରକାରୀ ବାସଭବନ, ଭୁବନେଶ୍ବର ଦାମୋଦରପୁରସ୍ଥିତ ଫ୍ଲାଟ୍‌, ପୁରୀ ହରଚଣ୍ତୀ ସାହିସ୍ଥିତ ଡିଭାଇନ୍‌ ମାନସନ୍‌ରେ ଥିବା ଫ୍ଲାଟ, ଜାଗମରା ପ୍ରଭାବତୀ ମାନସନ୍‌ସ୍ଥିତ ଫ୍ଲାଟ୍‌, ବ୍ରହ୍ମପୁରର ପୈତୃକ ଓ ସମ୍ପର୍କୀୟଙ୍କ ଘରେ ଚଢଉ କରିଥିଲା। ଚଢ଼ଉରୁ ଅଭିଯୁକ୍ତଙ୍କ ୨କୋଟି ୫୮ଲକ୍ଷ ୧୮୦୦ ଟଙ୍କାର ସମ୍ପତ୍ତି ଠାବ କରାଯାଇଥିଲା।

ତେବେ ଏତେ ପରିମାଣର ସଂପତ୍ତି କେଉଁଠି ଆସିଲା, ସେ ନେଇ ଅଭିଯୁକ୍ତ କୌଣସି ସନ୍ତୋଷଜନକ ଜବାବ ଦେଇପାରିନଥିଲେ। ଫଳରେ  ଡିଭିଜନ୍‌ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଦୁର୍ନୀତି ନିବାରଣ ଆଇନ୍‌ ଧାରା ୧୩(୨), ୧୩(୧)(ବି)/୧୨ ଅନୁଯାୟୀ ତାଙ୍କୁ ଗିରଫ କରାଯାଇଥିଲା। ଭୁବନେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ତାଙ୍କୁ ହାଜର କରାଯିବା ପରେ ଆସନ୍ତା ୩୧ ତାରିଖ ଯାଏ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe