ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ପାଇଁ କସରତ୍ ଆରମ୍ଭ

ଐତିହ୍ୟ କ୍ୟାବିନେଟରେ ୭ ପ୍ରସ୍ତାବ ପାରିତ

ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ପାଇଁ କସରତ୍ ଆରମ୍ଭ

Sri Sri University

ଏକାଡେମି ସଭାପତି ଓ ସଂପାଦକ ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ ପାଇବ
ଅତିବଡ଼ୀ ପୁରସ୍କାର ରାଶି ୧ ଲକ୍ଷରୁ ୫ଲକ୍ଷ ଟଙ୍କାକୁ ବଢ଼ିଲା
ଏକାଡେମି ପୁରସ୍କାର ରାଶି ୨ଲକ୍ଷ ଓ ସମ୍ବର୍ଧନା ରାଶି ୧ଲକ୍ଷ ଟଙ୍କାକୁ ବୃଦ୍ଧି

ଭୁବନେଶ୍ୱର : ଓଡ଼ିଶୀ ନୃତ୍ୟ ପରି ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ ପାଇଁ ଭାରତ ସରକାରଙ୍କୁ ଅନୁରୋଧ କରାଯିବ। ଏଣିକି ସାହିତ୍ୟ ଏକାଡେମି ସମେତ ବିଭିନ୍ନ ଏକାଡେମି, ପ୍ରତିଷ୍ଠାନ ଓ କେନ୍ଦ୍ରଗୁଡିକରେ ଖାଲିଥିବା କର୍ମକର୍ତ୍ତା ନିଯୁକ୍ତି ପ୍ରକ୍ରିୟା ଏକ ମୁକ୍ତ ବିଜ୍ଞାପନ ମାଧ୍ୟମରେ କରାଯିବ। ଆବଶ୍ୟକସ୍ଥଳେ ମନୋନୟନ ମାଧ୍ୟମରେ ଚୟନ କରାଯିବ।

ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ଐତିହ୍ୟ କ୍ୟାବିନେଟ୍ ବୈଠକରେ ଏଭଳି ମୋଟ ୭ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ ମୋହର ଲାଗିଛି। କେବଳ ସେତିକି ନୁହେଁ, ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ, ଧର୍ମପଦ ସମ୍ମାନ ଓ ବ୍ୟାସକବି ଫକୀରମୋହନ ଓଡ଼ିଆ ଭାଷା ସମ୍ମାନ ଅର୍ଥ ରାଶି ମଧ୍ୟ ସରକାର ବୃଦ୍ଧି କରିଛନନ୍ତି।

ଐତିହ୍ୟ କ୍ୟାବିନେଟ୍ ନିଷ୍ପତ୍ତି ସଂପର୍କରେ ଓଡ଼ିଆ ଭାଷା ସାହିତ୍ୟ, ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପାଣିଗ୍ରାହୀ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ଐତିହ୍ୟ କ୍ୟାବିନେଟ୍ ଗଠନ ହେବା ପରଠାରୁ ଆଜି ଦ୍ବିତୀୟ ବୈଠକ ବସିଥିଲା। ପ୍ରଥମ ବୈଠକ ୨୦୧୮ ଜୁଲାଇ ୨୭ ତାରିଖରେ ବସିଥିଲା। ମନ୍ତ୍ରୀ କହିଥିଲେ ଯେ ଓଡ଼ିଶୀ ନୃତ୍ୟ ଓ ଓଡ଼ିଶୀ ସଙ୍ଗୀତ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ। ଇତିମଧ୍ୟରେ ଓଡ଼ିଶୀ ନୃତ୍ୟକୁ ଭାରତ ସରକାର ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରିଛନ୍ତି। ବର୍ତମାନ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ଦୁଇଟି ଭାରତୀୟ ସଙ୍ଗୀତ ଯେମିତିକି ହିନ୍ଦୁସ୍ଥାନୀ ସଙ୍ଗୀତ ଓ କର୍ଣ୍ଣାଟକୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରିଛନ୍ତି। ଓଡ଼ିଶୀ ସଙ୍ଗୀତକୁ ଅନ୍ୟ ମୁଖ୍ୟ ପାରମ୍ପରିକ ସଙ୍ଗୀତ ଭାବେ ଗ୍ରହଣ କରି ଏ କ୍ଷେତ୍ରରେ ଉତ୍କର୍ଷ ପ୍ରଦର୍ଶନ କରୁଥିବା କଳାକାରଙ୍କୁ ପୁରସ୍କାର ପ୍ରଦାନ କରାଯାଉଛି। ଓଡ଼ିଆ ଭାଷା ଭାରତର ଷଷ୍ଠତମ ଶାସ୍ତ୍ରୀୟ ଭାଷା ରୂପେ ମାନ୍ୟତା ପାଇଥିବା ବେଳେ ଏହାର ସମକାଳୀନ ଓଡ଼ିଶୀ ସଙ୍ଗୀତ ଏପର୍ଯ୍ୟନ୍ତ ଏଭଳି ମାନ୍ୟତା ଲାଭ କରିପାରିନାହିଁ। ପୂର୍ବରୁ ଓଡ଼ିଶା ସରକାର ୨୦୦୮ ମସିହାରେ ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ସଙ୍ଗୀତର ମାନ୍ୟତା ଦେଇଛନ୍ତି। ଏଣୁ ଓଡ଼ିଶୀ ସଙ୍ଗୀତର ପୁରାତନ ଓ ମୌଳିକ ରାଗରାଗିଣୀ, ବୈଶିଷ୍ଟ୍ୟ, ଗାୟନ ପଦ୍ଧତି, ଐତିହ୍ୟବନ୍ତ ପୃଷ୍ଠଭୂମି ଓ ଜନାଦୃତି ପରିପ୍ରେକ୍ଷୀରେ ଏହାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ ଉଦ୍ଦେଶ୍ୟରେ ଭାରତ ସରକାରଙ୍କୁ ଅନୁରୋଧ ଲାଗି କ୍ୟାବିନେଟରେ ଏକ ପ୍ରସ୍ତାବ ଗୃହୀତ ହୋଇଛି।

କ୍ୟାବିନେଟ୍‌ରେ ଅନୁେମାଦିତ ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ହେଲା ଓଡ଼ିଶା ସାହିତ୍ୟ ଏକାଡେମି, ଓଡ଼ିଶୀ ସଙ୍ଗୀତ ନାଟକ ଏକାଡେମି, ଓଡ଼ିଶା ଲଳିତ କଳା ଏକାଡେମି, ଓଡ଼ିଶା ଉର୍ଦ୍ଦୁ ଏକାଡେମି ଓ ଅନ୍ୟ ପ୍ରତିଷ୍ଠାନରେ ଏବେ କାର୍ଯ୍ୟକର୍ତ୍ତା ଚୟନ ପ୍ରକ୍ରିୟା ବଦଳିବ। ସଂପ୍ରତି ଏବେ ଓଡ଼ିଶା ସାହିତ୍ୟ ଏକାଡେମିର ସଭାପତି ଓ ସଂପାଦକ, ଓଡ଼ିଶା ଲଳିତ କଳା ଏକାଡେମିର ସଂପାଦକ, ଓଡ଼ିଶା ସଙ୍ଗୀତ ଏକାଡେମିର ସଭାପତି ଏବଂ ଓଡ଼ିଶା ଉର୍ଦ୍ଦୁ ଏକାଡେମିର ସଂପାଦକ ପଦ ଖାଲି ପଡିଛି। ଏସବୁ ପଦବିରେ ବିଭିନ୍ନ ଅଧିକାରୀ ଅତିରିକ୍ତ ଦାୟିତ୍ବ ନିର୍ବାହ କରୁଛନ୍ତି। ଏସବୁ ପଦବି ପୂରଣ ସବୁ ଚୟନ କମିଟି ଜରିଆରେ କରାଯାଉଛି। କମିଟିର ପ୍ରସ୍ତାବକୁ ସରକାର ଅନୁମୋଦନ ଦେଉଛନ୍ତି। ଏହା ଦ୍ବାରା ପ୍ରକ୍ରିୟା ବିଳମ୍ବିତ ହେଉଛି ଓ ନାମଚୟନରେ ବି ସମସ୍ୟା ଉପୁଜୁଛି। ତେଣୁ ଏଣିକି ଏସବୁ ପଦବି ଲାଗି ଚୟନ ମୁକ୍ତ ବିଜ୍ଞାପନ ଜରିଆରେ ବା ଆବଶ୍ୟକସ୍ଥଳେ ମନୋନୟନ ପ୍ରକ୍ରିୟା ମାଧ୍ୟମରେ କରାଯିବ।

ସେହିଭଳି ଐତିହ୍ୟ କ୍ୟାବିନେଟ୍ ଏକାଡେମି ପୁରସ୍କାର ଅର୍ଥରାଶିରେ ବଡ଼ ପରିବର୍ତ୍ତନ ଆଣିଛନ୍ତି। ଏଣିକି ଓଡ଼ିଶା ସାହିତ୍ୟ ଏକାଡେମିର ସର୍ବୋଚ୍ଚ ପୁରସ୍କାର ଅର୍ଥାତ୍ ଅତିବଡ଼ି ଜଗନ୍ନାଥ ଦାସ ସମ୍ମାନ ପାଇଁ ୧ଲକ୍ଷ ଟଙ୍କା ବଦଳରେ ୫ଲକ୍ଷ ଟଙ୍କା ଦିଆଯିବ। ସେହିଭଳି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ, ଧର୍ମପଦ ସମ୍ମାନ ନିମନ୍ତେ ପୁରସ୍କାର ଅର୍ଥରାଶି ୫୦ ହଜାରରୁ ୨ଲକ୍ଷକୁ ବୃଦ୍ଧି କରାଯାଇଛି। ଏକାଡେମି ସମ୍ବର୍ଧନା ରାଶି ୧ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ପକ୍ଷରୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ ଏବଂ ଓଡ଼ିଶା ଲଳିତ କଳା ଏକାଡେମି ପକ୍ଷରୁ ଧର୍ମପଦ ସମ୍ମାନ ଦିଆଯାଇଥାଏ। ଏହାବ୍ୟତୀତ ବିଭାଗ ବ୍ୟାସକବି ଫକୀର ମୋହନ ଓଡ଼ିଆ ଭାଷା ସମ୍ମାନ ମଧ୍ୟ ଦେଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe