ଓଡ଼ିଶାରେ ପହଞ୍ଚିଲେଣି ବିଦେଶାଗତ ପକ୍ଷୀ: ଅତିଥିଙ୍କୁ ସୁରକ୍ଷା ଦେବ କିଏ?

ସମୀକ୍ଷା ହୋଇନି କି ସ୍ୱତନ୍ତ୍ର ସ୍କ୍ବାଡ୍‌ କରାଯାଇନି, ହ୍ରଦ ନିକଟରେ ଚକ୍କର କାଟୁଛନ୍ତି ଶିକାରୀ

ଚିଲିକାରେ ଆରମ୍ଭ ହେଲା ପକ୍ଷୀ ଗଣନା, କୁମ୍ଭୀର ଗଣନା ପାଇଁ ଭିତରକନିକା ବନ୍ଦ

Ommcom News

ଭୁବନେଶ୍ୱର : ଓଡ଼ିଶାରୁ ବିଦାୟ ନେଉଛି ଦକ୍ଷିଣ ପଶ୍ଚିମ ମୌସୁମୀ। ଏଥିସହ ଧୀରେଧୀରେ ଶୀତ ସ୍ପର୍ଶ କରୁଛି। ଏଭଳି ଏକ ସମୟରେ ଚିଲିକା ହ୍ରଦକୁ ବିଦେଶାଗତ ପକ୍ଷୀଙ୍କ ଆଗମନ ଆରମ୍ଭ ହୋଇଛି। ସୁଦୂର କାଜକ୍‌ସ୍ଥାନ, ସାଇବେରିଆ, ଅଷ୍ଟ୍ରେଲିଆ, କାନାଡ଼ା, ଫ୍ରାନ୍ସ ଆଦି ବରଫାବୃତ୍ତ ଅଞ୍ଚଳରୁ ବିଦେଶୀ ପକ୍ଷୀ ଏବେଠାରୁ ନୀଳାମ୍ବୁ ଚିଲିକାରେ ପହଞ୍ଚିବା ଆରମ୍ଭ କଲେଣି। ଚିଲିକା ବ୍ୟତୀତ ରାଜ୍ୟର ଅନ୍ୟାନ୍ୟ ପ୍ରମୁଖ ଜଳାଶୟରେ ବି ବିଦେଶାଗତ ପକ୍ଷୀଙ୍କ କଳରବ ଶୁଣିବାକୁ ମିଳିଲାଣି। ସାଧାରଣତଃ ପ୍ରତିବର୍ଷ ଅକ୍ଟୋବର ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ ଏହି ବିଦେଶାଗତ ପକ୍ଷୀମାନେ ଚିଲିକାକୁ ଆସୁଥିବା ବେଳେ ଏଥର ସାମାନ୍ୟ ବିଳମ୍ବରେ ଆସିଛନ୍ତି। ଚଳିତ ବର୍ଷ ବାରମ୍ବାର ଲଘୁଚାପ ଜନିତ ବର୍ଷା ଯୋଗୁଁ ଏକ ସପ୍ତାହ ବିଳମ୍ବରେ ଏହି ପକ୍ଷୀମାନେ ଆସିଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି।

ଚଳିତ ସପ୍ତାହରେ ସାରା ରାଜ୍ୟରେ ହାଲୁକା ଶୀତ ଆରମ୍ଭ ହୋଇଥିବାରୁ ଚିଲିକା ମଧ୍ୟରେ ଥିବା ପକ୍ଷୀଙ୍କ ଭୂସ୍ବର୍ଗ ‘ନଳବଣ’ରେ ଏବେ ବିଦେଶାଗତ ପକ୍ଷୀଙ୍କ କଳରବ ଶୁଭିଲାଣି। ଅଳ୍ପ ସଂଖ୍ୟକ ପକ୍ଷୀ ଆସିଥିବା ବେଳେ ଆଗକୁ ଫ୍ଲେମିଙ୍ଗୋ, ଗଡ଼ୱାଲ, ଉଇଜନ, ପ୍ରିଣ୍ଟେଲ, ଶୋଭଲର ଆଦି ବିଦେଶାଗତ ପକ୍ଷୀଙ୍କ ସମାଗମ ହେବାକୁ ଥିବାରୁ ସେମାନଙ୍କ ସୁରକ୍ଷା ଏବେ ବଡ଼ ଆହ୍ବାନ ପାଲଟିଛି। କାରଣ ବିଗତ କିଛି ବର୍ଷ ହେଲା ରାଜ୍ୟରେ ବିଦେଶାଗତ ପକ୍ଷୀଙ୍କ ଶିକାର ବହୁ ପରିମାଣରେ ବଢ଼ିଛି। ତାହାକୁ ନଜରରେ ରଖି ଚିଲିକା, ଭିତରକନିକା, ହୀରାକୁଦ, ଅଂଶୁପା ଆଦି ସ୍ଥାନକୁ ପକ୍ଷୀଙ୍କ ଆଗମନ ହେବା କ୍ଷଣି ବନ ବିଭାଗ ସୁରକ୍ଷା ସ୍କ୍ବାଡ୍‌ ଗଠନ କରିବା ସହ ସ୍ବତନ୍ତ୍ର କ୍ୟାମ୍ପ୍‌ ପକାଇ ନଜର ରଖିଥାଏ। ମାତ୍ର ଏଥର ଏଯାଏ ସେଭଳି କୌଣସି ପଦକ୍ଷେପ ନିଆଯାଇ ନାହିଁ। ବିଭାଗୀୟ ମନ୍ତ୍ରୀ କିମ୍ବା ସଚିବ କୌଣସି ସମୀକ୍ଷା ବୈଠକ ବି କରି ନାହାନ୍ତି। ବିଭାଗୀୟ ଅଧିକାରୀମାନେ ମଧ୍ୟ ଚୁପ୍‌ ବସି ପଡ଼ିଛନ୍ତି। ଫଳରେ ପୂର୍ବବର୍ଷ ପରି ଏଥର ମଧ୍ୟ ପକ୍ଷୀ ଶିକାର ବଢ଼ିବାର ଆଶଙ୍କା ପ୍ରକାଶ ପାଇଛି।

publive-image thesamikhsya.com

ସୂଚନା ଅନୁଯାୟୀ ୨୦୧୯-୨୦ ତୁଳନାରେ ୨୦୨୦-୨୧ ବର୍ଷରେ ଚିଲିକା, ଭିତରକନିକା ଓ ହୀରାକୁଦକୁ ଅଧିକ ବିଦେଶାଗତ ପକ୍ଷୀ ଆସିଥିଲେ। ଚିଲିକାକୁ ସର୍ବାଧିକ ୧୨ଲକ୍ଷ ୪ହଜାର ପକ୍ଷୀ ଆସିଥିବା ବେଳେ ଭିତରକନିକାକୁ ୧ଲକ୍ଷ ୩୬ ହଜାର ଓ ହୀରାକୁଦକୁ ୧ ଲକ୍ଷ ୩ ହଜାର ବିଦେଶାଗତ ପକ୍ଷୀଙ୍କ ଆଗମନ ହୋଇଥିଲା। ଚିଲିକା ହ୍ରଦକୁ ଦୁଇଟି ନୂଆ ପ୍ରଜାତିର ପକ୍ଷୀ ଯଥା ମାଲାର୍ଡ ଓ ଫାଲକାଟେଡ୍‌ ଟିଲ୍‌ ଆସିଥିବା ବେଳେ ହୀରାକୁଦ ଓ ଭିତରକନିକାକୁ କୌଣସି ନୂତନ ପ୍ରଜାତିର ପକ୍ଷୀ ଆସି ନ ଥିଲେ। ଗତ ଜାନୁଆରିର ପ୍ରଥମ ଓ ଦ୍ବିତୀୟ ସପ୍ତାହରେ ରାଜ୍ୟର ବିଭିନ୍ନ ବନଖଣ୍ଡରେ ପକ୍ଷୀମାନଙ୍କ ସଂଖ୍ୟା ଆକଳନ କରାଯାଇଥିଲା। ଏଥର ନିର୍ଧାରିତ ସମୟର ଅଳ୍ପ ଦିନ ବିଳମ୍ବରେ ଶୀତ ପଡ଼ିଥିବାରୁ ବିଦେଶାଗତ ପକ୍ଷୀଙ୍କ ଆଗମନ ସଂଖ୍ୟା ବଢ଼ିବ ବୋଲି ଅନୁମାନ କରାଯାଉଛି।

ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ବିଦେଶାଗତ ପକ୍ଷୀଙ୍କୁ ଆକର୍ଷିତ କରିବା ଓ ସେମାନଙ୍କ ପ୍ରାକୃତିକ ବାସସ୍ଥଳୀ/ପରିବେଶକୁ ସୁରକ୍ଷିତ ରଖିବା ଲାଗି ସୁରକ୍ଷା ସ୍କ୍ବାଡ୍‌ ଗଠନ କରାଯିବ। ଏଥିସହ ଅସ୍ଥାୟୀ ପକ୍ଷୀ ସୁରକ୍ଷା ଶିବିର, ଜଳାଶୟ ପାର୍ଶ୍ବରେ ନିରୀକ୍ଷଣ ଗମ୍ବୁଜ, ବନସଂରକ୍ଷଣ ସମିତି ଓ ପରିବେଶ ଉନ୍ନୟନ କମିଟିର ସହାୟତା ନିଆଯାଇ ସ୍ବତନ୍ତ୍ର ଆକ୍ସନ ପ୍ଲାନ୍‌ ହେବ। ବେତାର ଯନ୍ତ୍ର ମାଧ୍ୟମରେ ବନ କର୍ମଚାରୀ ଓ ବିଭିନ୍ନ ସ୍ଥାନରେ ଥିବା ସୁରକ୍ଷା ଦଳ ମଧ୍ୟରେ ଯୋଗାଯୋଗ ରଖାଯାଇ ତଦାରଖ କରାଯିବ। ପ୍ରତି ଶିବିରରେ ଜଣେ ଜଙ୍ଗଲ ଅଧିକାରୀଙ୍କ ସହ ସ୍ଥାନୀୟ ବାସିନ୍ଦାଙ୍କୁ ନିଯୁକ୍ତ ହେବେ। ଶିକରୀଙ୍କ ତାଲିକା ପ୍ରସ୍ତୁତ କରାଯାଇ ତୀକ୍ଷ୍ଣ ନଜର ରଖାଯିବ। ସ୍ଥଳପଥରେ ଭ୍ରାମ୍ୟମାଣ ଦଳ ପକ୍ଷୀ ନିବାସ ଅଞ୍ଚଳରୁ ଆସୁଥିବା ସମସ୍ତ ଗାଡ଼ି ଉପରେ ନଜର ରଖିବା ସହ ପ୍ରଚାରପତ୍ର ମାଧ୍ୟମରେ ପକ୍ଷୀ ସୁରକ୍ଷା ନିମନ୍ତେ ଲୋକଙ୍କୁ ସଚେତନ କରାଯିବ। ଚିଲିକା ହ୍ରଦ ଅଧୀନରେ ଥିବା ୫ଟି ରେଞ୍ଜ ଯଥା-ବାଲୁଗାଁ, ଟାଙ୍ଗୀ, ଚିଲିକା, ରମ୍ଭା ଓ ସାତପଡ଼ାରେ ପକ୍ଷୀମାନଙ୍କର ସୁରକ୍ଷା ପାଇଁ ବନବିଭାଗ ପକ୍ଷରୁ ସତର୍କତା ଅବଲମ୍ବନ କରାଯାଇଛି। ଚିଲିକା‌ରେ ଅଧିକ କ୍ୟାମ୍ପ ସହ ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି କରାଯିବ ବୋଲି ଅଧିକାରୀ ଜଣକ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe