୨୦୨୨-୨୩ ପାଇଁ ୨ ଲକ୍ଷ କୋଟିର ବ୍ୟୟ ଅଟକଳ: ଲକ୍ଷେ କୋଟିର କାମଚଳା ବଜେଟ୍‌

୨୦୨୨-୨୩ ପାଇଁ ୨ ଲକ୍ଷ କୋଟିର ବ୍ୟୟ ଅଟକଳ: ଲକ୍ଷେ କୋଟିର କାମଚଳା ବଜେଟ୍‌

The Economic Times

ଭୁବନେଶ୍ବର : କୋଭିଡ କଟକଣା ଜାତୀୟ ଅର୍ଥନୀତିକୁ ଧ୍ୱସ୍ତ ବିଧ୍ୱସ୍ତ କରିଦେଇଛି। ସରକାରୀ ହେଉ କି ବେସରକାରୀ ସମସ୍ତେ ମପାଚୁପା ଖର୍ଚ୍ଚ ଉପରେ ଗୁରୁତ୍ୱ ଦେଉଛନ୍ତି। ହେଲେ ରାଜ୍ୟ ସରକାର ୨୦୨୨-୨୩ ଆର୍ଥିକ ବର୍ଷ ଲାଗି ଯେଉଁ ଆୟ ବ୍ୟୟ ଅଟକଳ ପ୍ରସ୍ତୁତ କରୁଛନ୍ତି ତାହା ସୂଚାଇ ଦେଉଛି ଯେ ଓଡିଶା ଅର୍ଥନୀତି ସ୍ୱାସ୍ଥ୍ୟରେ ଅପାତତଃ ସୁଧାର ଆସିଛି। ରାଜ୍ୟ ସରକାର ଆସନ୍ତା ଆର୍ଥିକ ବର୍ଷ ଲାଗି ପ୍ରାୟ ୨ଲକ୍ଷ କୋଟିର ଏକ ବଡ଼ ବଜେଟ ପ୍ରସ୍ତୁତ କରି ୨୦୨୪ ସାଧାରଣ ନିର୍ବାଚନ ଲାଗି ପ୍ରାକ ପ୍ରସ୍ତୁତି ପାଇଁ ପାଗ ଭିଡୁଛନ୍ତି। ୨୦୨୧-୨୨ ବଜେଟ ତୁଳନାରେ ଏହା ପାଖାପାଖି ୩୦ ହଜାର କୋଟି ଅଧିକ। ନିର୍ବାଚନ କାରଣରୁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ ହୋଇ ପାରୁନଥିବା ପରିପ୍ରେକ୍ଷୀରେ ପ୍ରଥମ ଚାରି ମାସ ପାଇଁ ରାଜ୍ୟ ସରକାର କାମଚଳା ବଜେଟ୍‌ ଆଣୁଛନ୍ତି। ଏହି ୪ମାସ ଲାଗି ବାର୍ଷିକ ବଜେଟର ପାଖାପାଖି ୫୦ ପ୍ରତିଶତ ଅର୍ଥାତ ୧ ଲକ୍ଷ ୪ ହଜାର କୋଟି ଟଙ୍କାର ଖର୍ଚ୍ଚ ହିସାବକୁ ଆଜି ରାଜ୍ୟ ମନ୍ତ୍ରୀ ପରିଷଦ ଓ କ୍ୟାବିନେଟ୍‌ କମିଟି ମୋହର ମାରିଛନ୍ତି। ଆସନ୍ତା ୩୦ ତାରିଖରେ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ପ୍ରସ୍ତାବିତ ଏହି ବଜେଟ୍‌ ଉପସ୍ଥାପନା କରିବେ।

publive-image

ପ୍ରଚଳିତ ପରମ୍ପରା ଅନୁସାରେ, ସାଧାରଣତଃ ବଜେଟ୍‌ ଅଧିବେଶନ ଫେବ୍ରୁଆରିରୁ ଆରମ୍ଭ ହୋଇଥାଏ। ଏଥିରେ ପରବର୍ତ୍ତୀ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ ହୁଏ। ଦୁଇଟି ପର୍ଯ୍ୟାୟରେ ବସୁଥିବା ଏହି ବୈଠକରେ ବ୍ୟାପକ ଆଲୋଚନା ପୂର୍ବକ ମାର୍ଚ୍ଚ ୩୧ ତାରିଖରେ ବ୍ୟୟମଞ୍ଜୁରି ବିଲ୍‌ ପାରିତ ହୁଏ। କିନ୍ତୁ ଚଳିତ ବର୍ଷ ଜାନୁଆରି ମାସରୁ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିଲା। ତେଣୁ ବଜେଟ୍‌ ଅଧିବେଶନ ବସିପାରି ନ ଥିଲା। ଏବେ ସମୟ କମ୍ ଥିବାରୁ ସରକାର ପ୍ରଥମ ଚାରି ମାସ ପାଇଁ କାମଚଳା ବଜେଟ୍‌ ଆଣିବାକୁ ଯାଉଛନ୍ତି। ସବୁଠାରୁ ବଡ଼ କଥା ହେଲା ୩୦ ତାରିଖରେ ବିଧାନସଭାରେ କାମଚଳା ବଜେଟ୍‌ ଉପସ୍ଥାପନ ହେବ ଓ ଏହାର ୨୪ ଘଣ୍ଟା ପରେ ୩୧ ତାରିଖରେ ବ୍ୟୟ ମଞ୍ଜୁରି ବିଲ୍‌ ପାରିତ ହେବ। ଆସନ୍ତା ଜୁନ୍-ଜୁଲାଇରେ ସରକାର ପୂର୍ଣ୍ଣାଙ୍ଗ ବଜେଟ୍‌ ଆଣିବେ। ସମ୍ପ୍ରତି କେନ୍ଦ୍ରୀୟ ଅନୁଦାନ ବୃଦ୍ଧି ପାଇ ନଥିଲେ ହେଁ ଖଣି ଓ ଅବକାରୀ ଆଦି ସୂତ୍ରରୁ ମିଳିଥିବା ବଡ଼ ରାଜସ୍ୱ ଆଧାରରେ ସରକାର ଏହି ବିଶାଳ ବଜେଟ ପ୍ରସ୍ତୁତ କରିଥିବା କୁହାଯାଉଛି।

ରବିବାର ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ୍‌ ମୋଡ୍‌ରେ ମନ୍ତ୍ରୀ ପରିଷଦ ଓ କ୍ୟାବିନେଟ୍‌ ବୈଠକ ହୋଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ ବୈଠକରେ ସାମିଲ ହୋଇଥିଲା ବେଳେ ଅଧିକାଂଶ ମନ୍ତ୍ରୀ ଲୋକସେବା ଭବନ‌ରେ ଉପସ୍ଥିତ ରହି ବୈଠକରେ ଭାଗ ନେଇଥିଲେ। କିଛି ମନ୍ତ୍ରୀ ଜିଲ୍ଲା ମୁଖ୍ୟାଳୟରୁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ବୈଠକରେ ଯୋଗ ଦେଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe