ଚୌଧୁରୀ ଅମିତାଭ ଦାସ

ଭୁବନେଶ୍ବର: ନିଜ ଦଳର ବରିଷ୍ଠ ନେତାଙ୍କୁ ବରଦାସ୍ତ କରନ୍ତିନି ନବୀନ। ତାଙ୍କ ପରେ ଆଉ ଜଣେ କିଏ ଗ୍ରହଣୀୟ ନେତା ଦଳ ଭିତରେ ମୁଣ୍ଡ ଟେକନ୍ତୁ, ସମ୍ଭବତଃ ସେ ଏକଥା ଚାହାନ୍ତି ନାହିଁ। ରାଜନୀତିରେ ପାଦ ଦେଲା ପରଠାରୁ ନବୀନଙ୍କର ଏହି ଚରିତ୍ର କାହାକୁ ଅଛପା ନାହିଁ। ହେଲେ କ୍ଷମତାରୁ ଗଲା ପରେ ମଧ୍ୟ ଏ ଚରିତ୍ର ବଦଳିନି। ଏବେ ଦଳର କୌଣସି ପ୍ରସଙ୍ଗରେ ନିଷ୍ପତ୍ତି ନେଲାବେଳେ ସେ ଆଦୌ ବରିଷ୍ଠ ଓ ଅନୁଭବୀଙ୍କୁ ଲୋଡ଼ୁ ନାହାନ୍ତି। ରାଜ୍ୟସଭା ପ୍ରାର୍ଥୀ ଚୟନ କ୍ଷେତ୍ରରେ ଏହା ଆହୁରି ସ୍ପଷ୍ଟ ହୋଇଛି। ଦଳ ପାଇଁ ଅବଦାନ ରଖିଥିବା କୌଣସି ନେତାଙ୍କୁ ଗୁରୁତ୍ବ ଦିଆଯିବ ନାହିଁ, ଏବଂ ସଂତୃପ୍ତ ମିଶ୍ରଙ୍କୁ ପ୍ରାର୍ଥୀ କରାଯିବ; ଏ ନିଷ୍ପତ୍ତି ନବୀନ ଅନେକ ଦିନ ପୂର୍ବରୁ ନେଇସାରିଛନ୍ତି। କେବଳ ଔପଚାରିକତା ଦୃଷ୍ଟିରୁ ପିଏସି ଓ ବିଧାୟକ ଦଳ ବୈଠକ ଡକାଯାଇଥିଲା। ଏଭଳି ଚର୍ଚ୍ଚା ଆଜି ଜୋର ଧରିଛି। ଏହାକୁ ନେଇ ଦଳରେ ଅସନ୍ତୋଷ ବଢ଼ୁଥିଲେ ହେଁ ସମସ୍ତେ ନିରବ ଅଛନ୍ତି। ଏଇଥିପାଇଁ ଯେ କିଛି ବଡ଼ ପଦକ୍ଷେପ ପାଇଁ ପାରିପାର୍ଶ୍ବିକ ପରିସ୍ଥିତି ଠିକ୍‌ ନାହିଁ। 

Advertisment

Road: ନିର୍ମାଣର ୬ମାସ ପୁରିନି, ରାସ୍ତାରୁ ଉଠିଗଲାଣି ପିଚୁ

ଯଦି କେହି ମୁହଁ ଖୋଲନ୍ତି, ତେବେ ବିଦା ହେବା ଥୟ। ଏପଟେ ରାଜନୈତିକ ବିକଳ୍ପ ନାହିଁ। ବିଜେପିର ଆଭ୍ୟନ୍ତରୀଣ ରାଜନୀତି ଯେଉଁ ସଙ୍କେତ ଦେଉଛି, ସେଥିରେ କେହି ନିଜକୁ ସୁରକ୍ଷିତ ମଣୁନାହାନ୍ତି। ସେହିଭଳି କଂଗ୍ରେସ ଯେତିକି ଆଗକୁ ଯାଉଛି, ସେତିକି ପଛକୁ ଯାଉଛି। ତେଣୁ ବିଜେଡି ବିଧାୟକଙ୍କ ପାଇଁ ‘ପାଣିରେ କୁମ୍ଭୀର, ଉପରେ ବାଘ’ ଭଳି ପରିସ୍ଥିତି ସୃଷ୍ଟି ହୋଇଛି। 

ବିଜେଡିରେ ଅନୁଭବୀ ଗୁରୁତ୍ବହୀନ
କ୍ଷମତା ଗଲା ପରେ ବି ବଦଳିନି ଚରିତ୍ର
ନେତାଙ୍କୁ ପରସ୍ପର ବିରୋଧରେ ଲଢ଼ାଇ ମଜା ନେଉଛନ୍ତି

ଗତକାଲି ବିଜେଡି ବିଧାୟକ ଦଳ ବୈଠକରେ ହିଁ ବିଧାୟକଙ୍କ ଅସନ୍ତୋଷ ବାରି ହୋଇ ପଡ଼ିଥିଲା। ପ୍ରଭାତ ବିଶ୍ବାଳ ଏହି ବୈଠକରେ ଜବରଦସ୍ତ ପଶି ସଂତୃପ୍ତଙ୍କ ପ୍ରାର୍ଥିତ୍ବକୁ ବିରୋଧ କରିଥିଲେ। ହେଲେ ତାଙ୍କୁ ଅଟକାଇବାକୁ କୌଣସି ବିଧାୟକ ଆସି ନଥିଲେ। ନବୀନ ହିଁ ସିଧାସଳଖ ପ୍ରଭାତଙ୍କ ସହ ଯୁକ୍ତି କରିଥିଲେ। ନବୀନଙ୍କୁ ସାଥ୍ ଦେବାକୁ ବି କେହି ବାହାରିଲେ ନାହିଁ। ନିକଟ ଅତୀତରେ ଏପରି ନଜିର ନାହିଁ। 
କ୍ଷମତାରେ ଥିଲା ବେଳେ ନବୀନଙ୍କ ନିଷ୍ପତ୍ତିକୁ ନେଇ ଦଳ ଭିତରେ ଅନେକ ଥର ଅସନ୍ତୋଷ ସୃଷ୍ଟି ହୋଇଛି। କିନ୍ତୁ ଅତ୍ୟନ୍ତ ନିର୍ମମ ଭାବେ ନବୀନ ସେହି ଅସନ୍ତୋଷକୁ ଚାପି ଦେଇଛନ୍ତି। କେତେବେଳେ ପ୍ୟାରୀମୋହନ ମହାପାତ୍ରଙ୍କ ମାଧ୍ୟମରେ, ଆଉ କେବେ ଭି କେ ପାଣ୍ଡିଆନଙ୍କୁ ଅସ୍ତ୍ର କରିଥିଲେ ନବୀନ।  ନିଜର କ୍ଷମତାର ଦୁରୁପଯୋଗ କରି ଅନେକ ନେତାଙ୍କ ଭାବମୂର୍ତ୍ତିକୁ ମଳିନ କରିଛନ୍ତି; ପୁଲିସ ବଳ ଲଗାଇ ହଇରାଣ କରିଛନ୍ତି କିମ୍ବା ଜେଲ୍ ପଠାଇଛନ୍ତି। ଏବେ କ୍ଷମତାର ନାଲି ଆଖି ନଥିଲେ ବି ଅସନ୍ତୁଷ୍ଟଙ୍କୁ ନିଜ ଦଳର ଅନ୍ୟ ନେତାଙ୍କ ମାଧ୍ୟମରେ ବଦନାମ କରିବାର ସୁଯୋଗ ହାତଛଡ଼ା କରୁନାହାନ୍ତି। 
ସଂତୃପ୍ତଙ୍କ ପ୍ରାର୍ଥିତ୍ବ ଓ ପ୍ରଭାତଙ୍କ ପ୍ରତିବାଦ; ଉଭୟ ଘଟଣାରେ ବିଜେଡିର ଆଭ୍ୟନ୍ତରୀଣ ଅସନ୍ତୋଷ ଫୁଟି ବାହାରୁଛି। ଦଳର ବହୁ ପୁରୁଣା ନେତାଙ୍କ କହିବା ଅନୁଯାୟୀ ସଂତୃପ୍ତ କିଛି ମାସ ହେଲା ଦଳରେ ଯୋଗ ଦେଇ କଟକ ଟିକେଟ ହାତେଇ ନେଲେ। ନିର୍ବାଚନରେ ବିଫଳ ହେଲେ। ଏମିତି ଅନେକ ବରିଷ୍ଠ ଓ ଅନୁଭବୀ ନେତା ଗତ ନିର୍ବାଚନରେ ପରାଜୟବରଣ କରିଛନ୍ତି। ତାହା ପରେ ବି ଦଳର ସଂଗଠନ ସଜାଡ଼ିବାକୁ ପରିଶ୍ରମ କରୁଛନ୍ତି। କିନ୍ତୁ ରାଜ୍ୟସଭା ପାଇଁ ଯଦି ପରାଜିତ ପ୍ରାର୍ଥୀଙ୍କ କଥା ବିଚାରକୁ ନିଆଗଲା, ତେବେ ସଂତୃପ୍ତଙ୍କ ନାମ କାହିଁକି ଆସିଲା? ବହୁ ଦିନ ଦଳ ପାଇଁ ଅକ୍ଳାନ୍ତ ପରିଶ୍ରମ କରିଥିବା ନେତାଙ୍କ କଥା ନବୀନ କାହିଁକି ବିଚାରକୁ ନେଲେ ନାହିଁ? 

ବିଜେଡିର ଆଭ୍ୟନ୍ତରୀଣ କନ୍ଦଳ ଭିତରେ ପ୍ରଭାତ-ଦେବାଶିଷ ବୟାନବାଜି ସମସ୍ତଙ୍କୁ ଚକିତ କରିଛି। ଗତ କିଛି ମାସ ହେଲା ଦଳୀୟ ନେତୃତ୍ବଙ୍କ ବିରୋଧରେ ଦେବାଶିଷ ସାମନ୍ତରାୟ ଅସନ୍ତୋଷ ଓଗାଳୁଥିଲେ। ଭିକେ ପାଣ୍ଡିଆନଙ୍କ ବିରୋଧରେ କହିବାକୁ ଯାଇ ପରୋକ୍ଷରେ ନବୀନଙ୍କୁ ଟାର୍ଗେଟ୍ କରୁଥିଲେ। ତାଙ୍କୁ ପାଣ୍ଡିଆନଙ୍କ ଖାସ୍ ସମର୍ଥକମାନେ ଅକୃତଜ୍ଞ କହି ସାମାଜିକ ଗଣମାଧ୍ୟମରେ ଆକ୍ଷେପ କରୁଥିଲେ। କିନ୍ତୁ ଗତକାଲି ପ୍ରଭାତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପରେ ଦେବାଶିଷ ଭିନ୍ନ ଆଭିମୁଖ୍ୟ ନେଇଛନ୍ତି। ପ୍ରଭାତଙ୍କୁ ଅକୃତଜ୍ଞ କହି ପାଲଟା ଗାଳି ଦେଉଛନ୍ତି। ପ୍ରଭାତ ଓ ଦେବାଶିଷଙ୍କ ମଧ୍ୟରେ ବୟାନବାଜି ବ୍ୟକ୍ତିଗତ ସ୍ତରକୁ ଗଲାଣି। ନେତାମାନଙ୍କ ଭିତରେ ବ୍ୟକ୍ତିଗତ ବିବାଦ ପରୋକ୍ଷରେ ନବୀନଙ୍କୁ ହିଁ ସୁହାଉଛି। 

ଦତ୍ତେଶ୍ବରଙ୍କୁ ନେଇ ଚିତ୍ର ଅସ୍ପଷ୍ଟ, ଆଜି କଂଗ୍ରେସ ବିଧାୟକ ଦଳ ବୈଠକ

ଭୁବନେଶ୍ବର: ରାଜ୍ୟସଭା‌ ନିର୍ବାଚନ ପାଇଁ ଡାକ୍ତର ଦତ୍ତେଶ୍ବର ହୋତାଙ୍କ ପ୍ରାର୍ଥିତ୍ବକୁ ନେଇ ଦ୍ବନ୍ଦ୍ବ ବଢ଼ିବାରେ ଲାଗିଛି। ତାଙ୍କୁ ‘କମନ୍ ପ୍ରାର୍ଥୀ’ କହି ଏବଂ ଦଳୀୟ ଫୋରମ୍‌ରେ ନାଁ ଘୋଷଣା କରି ଅଡ଼ୁଆ ସୃଷ୍ଟି କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ। ଏମିତି ରହସ୍ୟଜନକ ଭାବେ ତାଙ୍କ ନାମ ଘୋଷଣା କରିଛନ୍ତି ଯେ ସବୁ ଦଳର ନେତାମାନେ ଦ୍ବନ୍ଦ୍ବରେ ପଡ଼ିଯାଇଛନ୍ତି। ଡାକ୍ତର ହୋତାଙ୍କ ପ୍ରାର୍ଥିତ୍ବ ସମ୍ପର୍କରେ କିଛି ସ୍ପଷ୍ଟ ଚିତ୍ର ମିଳି ପାରୁନାହିଁ। ବିଜେପି ପ୍ରାର୍ଥୀ ଘୋଷଣା ନହେବା ପର୍ଯ୍ୟନ୍ତ ଏ ଦ୍ବନ୍ଦ୍ବ ଲାଗି ରହିବ ବୋଲି ରାଜନୈତିକ ମହଲରେ ମତପ୍ରକାଶ ପାଉଛି।

ରାଜ୍ୟସଭାର ଚତୁର୍ଥ ଆସନ ପାଇଁ ଜଣେ ନିର୍ବିବାଦୀୟ ବ୍ୟକ୍ତିଙ୍କୁ ପଠାଇବା ପାଇଁ ପିସିସି ସଭାପତି ବହୁ ଦିନରୁ କହୁଛନ୍ତି। ଏଥି ପାଇଁ ସେ ବିଜେଡି ସଭାପତିଙ୍କୁ ସାକ୍ଷାତ କରିବା ପାଇଁ ସମୟ ମାଗିଥିଲେ। ନବୀନ ତାଙ୍କୁ ସମୟ ଦେଉନାହାନ୍ତି ବୋଲି ନିଜେ ଭକ୍ତ ବିଭିନ୍ନ ଫୋରମ୍‌ରେ କହିଛନ୍ତି। ପୂର୍ବରୁ ମଧ୍ୟ ବିଧାନସଭାରେ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣି ବିଜେଡିର ସହଯୋଗ ମାଗିଥିଲା କଂଗ୍ରେସ। ନବୀନ କଂଗ୍ରେସକୁ ଧରାଛୁଆଁ ଦେଇ ନଥିଲେ। ରାଜ୍ୟସଭାରେ ସମାନ ସ୍ଥିତି ସୃଷ୍ଟି ହୋଇଥିଲା। ଗତକାଲି ନବୀନ ନିଜ ଆଡ଼ୁ ଡାକ୍ତର ଦତ୍ତେଶ୍ବର ହୋତାଙ୍କୁ ଡାକି ତାଙ୍କ ପ୍ରାର୍ଥିତ୍ବ ସମ୍ପର୍କରେ ଘୋଷଣା କ‌ଲେ। ପିସିସି ସଭାପତି ଦିଲ୍ଲୀରେ ରହି ତରବରିଆ ଭାବେ ଡାକ୍ତରଙ୍କୁ ହୋତାଙ୍କୁ ସମର୍ଥନ ଘୋଷଣା କରିଦେଲେ। ଏପରିକି ନବୀନଙ୍କୁ ସେ ଭେଟିଥିବା କଥା କହିଥିଲେ। ଅବଶ୍ୟ କଂଗ୍ରେସର ରାଜ୍ୟ ପ୍ରଭାରୀ ଏ ସମ୍ପର୍କରେ ଅବଗତ ନାହାନ୍ତି ବୋଲି ଗଣମାଧ୍ୟମକୁ କହି ସାରିଛନ୍ତି।

Demand: ଚାନ୍ଦବାଲି ସବ୍ ଡିଭିଜନ୍, ନୌକା ପ୍ରଶିକ୍ଷଣ କଲେଜ ପ୍ରତିଷ୍ଠା ଦାବି

ପ୍ରାର୍ଥୀ ଘୋଷଣାକୁ ୨୪ ଘଣ୍ଟା ବିତିଯାଇଥିଲେ ବି ନବୀନ କିମ୍ବା ଦଳର କୌଣସି ଆଗଧାଡ଼ିର ନେତା ଡାକ୍ତର ହୋତାଙ୍କ ପ୍ରାର୍ଥିତ୍ବ ସମ୍ପର୍କରେ ସ୍ପଷ୍ଟୀକରଣ ରଖିନାହାନ୍ତି। ଏହାକୁ ନେଇ କଂଗ୍ରେସ ଭିତରେ ଅସନ୍ତୋଷ କୁହୁଳିଲାଣି। ନବୀନ ଭରସାଯୋଗ୍ୟ ନେତା ହୋଇ ନଥିବାରୁ ଯଦି କଂଗ୍ରେସ ଅପଦସ୍ଥ ହୁଏ, ତେବେ ଦଳର କ୍ଷତି ହେବ ବୋଲି ସେମାନେ ମତ ଦେଉଛନ୍ତି। ଏହି ପରିପ୍ରେକ୍ଷୀରେ ଆସନ୍ତାକାଲି ଅପରାହ୍ଣରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମଙ୍କ ବାସଭବନରେ ବିଧାୟକମାନଙ୍କ ବୈଠକ ବସୁଛି। ଏଥିରେ ପିସିସି ସଭାପତି ଓ ପ୍ରଭାରୀ ଯୋଗ ଦେବେ। ସେଠାରେ ବିଭିନ୍ନ ସମ୍ଭାବ୍ୟ ଦିଗକୁ ଲକ୍ଷ୍ୟ ରଖି ରଣନୀତି ପ୍ରସ୍ତୁତ କରାଯିବ। ଯଦିଓ ଡାକ୍ତର ହୋତାଙ୍କୁ ସଭାପତି ସମର୍ଥନ ଘୋଷଣା କରିଛନ୍ତି, ତେବେ ତାହାର ସମସ୍ତ ଦିଗକୁ ଆଉ ଥରେ ତର୍ଜମା କରାଯିବ ବୋଲି କିଛି ବିଧାୟକ ମତପ୍ରକାଶ କରିଛନ୍ତି। 

ଏବେ ସମସ୍ତଙ୍କ ନଜର ରହିଛି ବିଜେପି ଉପରେ। ଦଳ ଦୁଇ ନା ତିନି ପ୍ରାର୍ଥୀ ଦେଉଛି, ତାହା ଉପରେ ରାଜନୀତି ନିର୍ଭର କରୁଛି। କିଛି ଦିନ ହେଲା ବିଜେପିର ବହୁ ନେତା ତିନିଟି ଆସନ ନିଶ୍ଚିତ ଅକ୍ତିଆର କରିବୁ ବୋଲି ବାରମ୍ବାର କହିଚାଲିଛନ୍ତି। ତୃତୀୟ ପ୍ରାର୍ଥୀ ନଦେଲେ ନେତାମାନଙ୍କ ବାହାସ୍ଫୋଟ ପଦାରେ ପଡ଼ିଯିବ। ଦଳର ପରିଚାଳନା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହେବ। ସଂଖ୍ୟା ନଥାଇ ଯଦି ଦଳ ତୃତୀୟ ପ୍ରାର୍ଥୀ ଦେଲା ତେବେ ବିଜେଡି ଓ କଂଗ୍ରେସ ଭୋଟ ଭାଙ୍ଗିବାକୁ ଦଳ ଚେଷ୍ଟା କରିବ। ଦୁଇ ଦଳର ଆଭ୍ୟନ୍ତରୀଣ ସ୍ଥିତି ଯାହା, ଭୋଟ ଭାଗ ଭାଗ ହେବା କିଛି ଅସମ୍ଭବ ନୁହେଁ। ଏହା ହେଲେ ରାଜ୍ୟସଭା ନିର୍ବାଚନ ରୋଚକ ହେବ। 

ଆଉ ଏକ ମହଲରେ କହିବା କଥା, ତୃତୀୟ ପ୍ରାର୍ଥୀ ନ ଦେଇ ଦତ୍ତେଶ୍ବର ହୋତାଙ୍କୁ ବିଜେଡି ଓ ବିଜେପିର କମନ୍ ପ୍ରାର୍ଥୀ କରାଯିବାର ସମ୍ଭାବନାକୁ ଏଡ଼ାଇ ଦେଇ ହେବ ନାହିଁ। ଏହା ହେଲେ ବିଜେଡି ଓ ବିଜେପି ମଧ୍ୟରେ ସମ୍ପର୍କ ଆହୁରି ସ୍ପଷ୍ଟ ହେବ ସତ, କିନ୍ତୁ କଂଗ୍ରେସକୁ ପଛକୁ ଠେଲିବା ପାଇଁ ବିଜେପି କେନ୍ଦ୍ରୀୟ ନେତୃତ୍ବ ଏହି ବାଟ ଆପଣାଇପାରନ୍ତି। ସମ୍ଭବତଃ ସେଥି ପାଇଁ ଡାକ୍ତର ହୋତାଙ୍କୁ ନବୀନ କମନ୍ ପ୍ରାର୍ଥୀ କହିବା ସହ କଂଗ୍ରେସ ନାମ ନେଇ ନାହାନ୍ତି।