୨୦୨୧ ପାଇଁ ପୂର୍ବାନୁମାନ କଲେ ବିଶେଷଜ୍ଞ: ଶୀତ, ବର୍ଷା ଓ ଗ୍ରୀଷ୍ମର ପ୍ରଭାବ ସ୍ବାଭାବିକ ରହିବ

ଦିଲ୍ଲୀରେ ପ୍ରବଳ ଗରମ, ପାରଦ ୪୯ ଟପିଲା

alalamtv.net

ଭୁବନେଶ୍ବର: ଗତ ଛଅ ବର୍ଷ ହେଲା ବିଶ୍ବ ତାପମାନ ଅସମ୍ଭବ ଭାବେ ବଢ଼ିବାରେ ଲାଗିଛି। ମେ’ମାସ ଆଡ଼କୁ ଦିନର ସର୍ବୋଚ୍ଚ ତାପମାତ୍ରା ପାଖାପାଖି ୪୮ ଡିଗ୍ରି ଅତିକ୍ରମ କରୁଥିଲା। ତାତିର ପ୍ରଭାବ ଏଭଳି ରହୁଥିଲା ଯେ ଦିନ ୮ଟାରୁ ଘରୁ ବାହାରିବା ମୁସ୍‌କିଲ୍‌ ହେଇଯାଉଥିଲା। ଶୀତଋତୁ ବି ସଙ୍କୁଚିତ ହୋଇଯାଉଥିଲା। ଅର୍ଥାତ ଖୁବ୍‌ କମ୍‌ ଦିନ ଶୀତ ରହୁଥିଲା। ସାଧାରଣ ଭାବେ ଶୀତ ପ୍ରଭାବ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ରହିବା କଥା। କିନ୍ତୁ ଗତ କିଛି ବର୍ଷ ହେଲା ଫେବୃଆରିରୁ ହିଁ ଶୀତ ସରିଯାଉଥିଲା। ବର୍ଷା ସ୍ବାଭାବିକଠାରୁ ଅଧିକ ହେଉଥିଲା, ଗରମ କଥା ନ କହିବା ଭଲ। ମାର୍ଚ୍ଚ ମାସରୁ ଆରମ୍ଭ କରି ଜୁଲାଇ ଯାଏ ଗ୍ରୀଷ୍ମର ପ୍ରକୋପ ଜାରି ରହୁଥିଲା। ହେଲେ ୨୦୨୧ ନୂଆବର୍ଷ ପୂର୍ବରୁ ପାଣିପାଗ କ୍ଷେତ୍ରରେ ବହୁତ ଭଲ ଖବର ଆସୁଛି। ପାଣିପାଗ ବିଶେଷଜ୍ଞମାନେ ପୂର୍ବାନୁମାନ କଲେଣି ଯେ ନୂଆବର୍ଷ ପାଣିପାଗରେ ସମନ୍ବୟ ରକ୍ଷା କରିବାରେ ସକ୍ଷମ ହେବ। ଅର୍ଥାତ ଆସନ୍ତା ବର୍ଷ ପ୍ରବଳ ଶୀତ ହେବା ସହିତ ଲମ୍ବା ସମୟ ଧରି ଅର୍ଥାତ ମାର୍ଚ୍ଚ ଯାଏ ଅନୁଭୂତ ହେବ। ସ୍ବାଭାବିକ ବର୍ଷା ହେବ ଓ ଖରା, ଗରମ ମଧ୍ୟ ସ୍ବାଭାବିକ ରହିବ।

ବିଶେଷଜ୍ଞମାନେ କହିଛନ୍ତି ଯେ୨୦୧୫ ମସିହାରୁ ବିଶ୍ବରେ ତଥା ରାଜ୍ୟରେ ତାପମାତ୍ରା ବଢ଼ିବାରେ ଲାଗିଛି। ବାର୍ଷିକ ବିଶ୍ବ ଜଳବାୟୁ ରିପୋର୍ଟ ଅନୁଯାୟୀ, ୨୦୧୬ ମସିହା ହେଉଛି ଗତ ଦୁଇ ଦଶନ୍ଧିର ସବୁଠାରୁ ଉତ୍ତପ୍ତ ବର୍ଷ। ଏହାପରେ ୨୦୨୦ ମସିହା ଉତ୍ତପ୍ତ ବର୍ଷମାନଙ୍କରେ ଦ୍ବିତୀୟ ସ୍ଥାନରେ ରହିଛି। ବିଶ୍ବ ତାପମାତ୍ରା ସୂଚକାଙ୍କଠାରୁ ୨୦୧୫ ସୁଦ୍ଧା ପ୍ରାୟତଃ ୧ଡିଗ୍ରି ବୃଦ୍ଧି ଘଟିଥିଲା। କିନ୍ତୁ ଏହି ୬ବର୍ଷରେ .୧୨ ଡିଗ୍ରି ବଢ଼ିଛି। ଫଳରେ ଦୁଇ ଦଶନ୍ଧିରେ ବିଶ୍ବ ତାପମାତ୍ରା ୧.୧୨ଡିଗ୍ରି ବୃଦ୍ଧି ପାଇଛି। ପାଣିପାଗ ବିଶେଷଜ୍ଞ ସୁ‌ରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ମାର୍ଚ୍ଚ ଯାଏ ରହୁଥିବା ଶୀତ ଗତ କିଛି ଦିନ ହେଲା ଫେବ୍ରୁଆରି‌ରେ ସରିଯାଉଥିଲା। ଏପ୍ରିଲ ମାସଠାରୁ ପଶ୍ଚିମ ଓଡ଼ିଶାର ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରୁଛି। ଏପ୍ରିଲ ଓ ମେ’ମାସ ପର୍ଯ୍ୟନ୍ତ ସାରା ରାଜ୍ୟର ତାପମାତ୍ରା ୪୦ ଡିଗ୍ରି ଉପରେ ହିଁ ରହୁଛି। ଏବେ ରାଜ୍ୟ ଉପ‌ରେ ଲା-ନି‌ନା ରହିଛି। ଲା-ନିନା ଆସନ୍ତା ଏପ୍ରିଲ ମାସ ପର୍ଯ୍ୟନ୍ତ ଓଡ଼ିଶା ଉପରେ ରହିବ। ଫଳରେ ଏହି ସମୟ ଅବଧିରେ ବିଶେଷ ଗରମ ଅନୁଭୂତ ହେବନାହିଁ।

ବିଭିନ୍ନ ବିଶ୍ଳେଷଣରୁ ଜଣାପଡ଼ୁଛି ଯେ ଅତ୍ୟଧିକ ଶୀତ ପ୍ରକୋପ ସହ ୨୦୨୧ ବର୍ଷ ଆରମ୍ଭ ହେବ। ଶୀତର ଅବଧି ମଧ୍ୟ ଅଧିକ ରହିବ। ଏହି ବର୍ଷ ଗତ ୬ ବର୍ଷ ଭଳି ଉତ୍ତପ୍ତ ରହିବ ନାହିଁ। ଗରମ ହେବ କିନ୍ତୁ ସ୍ବାଭାବିକ କିମ୍ବା ତା’ଠାରୁ ସାମାନ୍ୟ ଅଧିକ। ଗ୍ରୀଷ୍ମ ଋତୁରେ ରେକର୍ଡ ଗରମ ହେବାର ସମ୍ଭାବନା କମ୍‌। ବିଶ୍ବସ୍ତରରେ ୨୦୨୧ ଗତ ୬ ବର୍ଷ ପରି ଅତ୍ୟଧିକ ଗରମ ବର୍ଷ ନ ହୋଇପାରେ। ବିଶ୍ବ ପାଣିପାଗ ସଂସ୍ଥା (ଡବ୍ଲ୍ୟୁଏମ୍‌ଓ) ପ୍ରକାଶିତ ଖବରରୁ ଜଣାପଡ଼ୁଛି ଯେ ଡିସେମ୍ବରରେ ଲା-ନିନା ମଧ୍ୟମ ଧରଣର ଶକ୍ତିଶାଳୀ ରହିଛି। ଏହାର ପ୍ରଭାବ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରହିବ। ବିଭିନ୍ନ ବୈଜ୍ଞାନିକଙ୍କ ଆକଳନ କହୁଛି, ଡିସେମ୍ବର ୧୫ ସୁଦ୍ଧା ପୂର୍ବ ପ୍ରଶାନ୍ତ ମହାସାଗରର ଜଳପତ୍ତନର ତାପମାତ୍ରା ସ୍ବାଭାବିକଠାରୁ ୧.୨ ଡିଗ୍ରି କମ୍‌ ରହିଥିଲା। ବାୟୁମଣ୍ଡଳର ଚାପ ଓ ଅନ୍ୟାନ୍ୟ ଉପାଦାନ ମଧ୍ୟ ଲା-ନିନା ଅବସ୍ଥାକୁ ସ୍ବୀକୃତି ଦେଉଛି।

ଅଧିକାଂଶ ମଡେଲ କହୁଛି, ୨୦୨୧ ଫେବୃଆରି ପର୍ଯ୍ୟନ୍ତ ଲା-ନିନା ଶକ୍ତିଶାଳୀ ରହିବାର ସମ୍ଭାବନା ୯୦%ରୁ ଅଧିକ। ଏପରିକି ଏପ୍ରିଲ ମାସରେ ଏହାର ସମ୍ଭାବନା ୫୦%ରୁ ଅଧିକ। ଗତ କିଛି ଦିନ ହେଲା ଆମ ରାଜ୍ୟ ସହ ଉତ୍ତର ଭାରତରେ ଲା-ନିନା ଯୋଗୁଁ ଶୀତ ଲହରୀ ଜାରି ରହିଛି। ଏହା ଏବେ ଫେବ୍ରୁଆରି ପର୍ଯ୍ୟନ୍ତ ଜାରି ରହିବ ଓ ମାର୍ଚ୍ଚରେ ବି ଶୀତର ପ୍ରଭାବ ରହିବ ବୋଲି ଜଣାପଡ଼ିଛି। ଆସନ୍ତା ମେ’ମାସ ଆଡ଼କୁ ଲା-ନିନା ଅପସାରିତ ହୋଇ ସ୍ବାଭାବିକ ଅବସ୍ଥାକୁ ଆସିବ। ଜୁନ୍‌ ମାସ ପର୍ଯ୍ୟନ୍ତ ଜଳପତ୍ତନର ତାପମାତ୍ରା ସ୍ବାଭାବିକଠାରୁ କମ୍‌ ରହିବ। ଏ ସବୁ ସୂଚନା ଦେଉଛି ଯେ, ଖରା ଦିନେ ଅତ୍ୟଧିକ ଗରମ ନ ହୋଇପାରେ। ବ୍ରିଟେନସ୍ଥିତ ୟୁକେ ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ ୨୦୧୫ରୁ ୨୦୨୦ ପର୍ଯ୍ୟନ୍ତ ଲଗାତାର ୬ ବର୍ଷ ବିଶ୍ବର ସବୁଠାରୁ ଉତ୍ତପ୍ତ ବର୍ଷ ଥିଲା। ୨୦୨୧ ସେହିଭଳି ଗରମ ବା ଉତ୍ତପ୍ତ ବର୍ଷ ରହିବ ନାହିଁ। ଏଥର ଗରମ ପ୍ରାୟତଃ ସ୍ବାଭାବିକ ରହିବ।

ପ୍ରକାଶଯୋଗ୍ୟ, ଏଲ୍‌-ନି‌ନୋ ବା ଲା-ନିନା ଓ ଦକ୍ଷିଣ ଓସିଲେସନ୍‌ ସମୂହକୁ ଏନ୍‌ସୋ(ଇନ୍‌ଏସ୍‌ଓ) କୁହାଯାଏ। ଏହା ଏକ ପ୍ରାକୃତିକ ଘଟଣା। ଏହା ଦ୍ବାରା କେନ୍ଦ୍ରୀୟ ଓ ପୂର୍ବ ବିଷୁବମଣ୍ଡଳୀୟ ପ୍ରଶାନ୍ତ ମହାସାଗର ଜଳପତ୍ତନର ତାପମାତ୍ରା ଓ ବାୟୁର ଚାପ ସହିତ ଅନ୍ୟ କେତେକ ଉପାଦାନ ପରିବର୍ତ୍ତନ ହୋଇଥାଏ। ଫଳତଃ ବିଶ୍ବର ବିଭିନ୍ନ ଦେଶର ପାଣିପାଗ ପ୍ରଭାବିତ ହୋଇଥାଏ। ଏଲ୍‌-ନିନୋ ଦ୍ବା‌ରା ଅଧିକ ମରୁଡ଼ି ଅଶଙ୍କା ରହୁଥିବା ବେଳେ ଲା-ନି‌ନା ପ୍ରଭାବରେ ଅଧିକ ବର୍ଷାର ସମ୍ଭାବନା ରହିଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe