ରୋଗୀଙ୍କୁ ଏକ୍ସପାରି ସାଲାଇନ୍‌, ଚମ୍ପୁଆ ଡାକ୍ତରଖାନାରେ ଉତ୍ତେଜନା

Advertisment
ରୋଗୀଙ୍କୁ ଏକ୍ସପାରି ସାଲାଇନ୍‌, ଚମ୍ପୁଆ ଡାକ୍ତରଖାନାରେ ଉତ୍ତେଜନା

ଚମ୍ପୁଆ : କେନ୍ଦୁଝର ଜିଲ୍ଲା ଚମ୍ପୁଆ ଉପଖଣ୍ଡ ଡାକ୍ତରଖାନାରେ ରୋଗୀଙ୍କୁ ଏକ୍ସପାରି ସାଲାଇନ ଦେବା ପରି ଚରମ ଅବହେଳା ସାମନାକୁ ଆସିଛି। ଏହାକୁ ନେଇ ଡାକ୍ତରଖାନାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଗତକାଲି ରାତିରେ ଚମ୍ପୁଆ ଏନ୍ଏସି ଅଧୀନ ୭ ନମ୍ୱର୍ ୱାର୍ଡ ଧଳାଡିହିର ମହେନ୍ଦ୍ର ନାଏକଙ୍କ ପତ୍ନୀ ମାଳତୀ ନାଏକ ଅସୁସ୍ଥ ହୋଇପଡ଼ିଥିଲେ। ଘରଲୋକେ ତାଙ୍କୁ ଚମ୍ପୁଆ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତାଙ୍କୁ ଆଡ୍‌ମିସନ କରି ୧୨ ନମ୍ୱର୍ ବେଡ୍‌ ଦିଆଯାଇଥିଲା। ଡାକ୍ତରଙ୍କ ପ୍ରେସକ୍ରିପ୍ସନ ଅନୁସାରେ ଡ୍ୟୁଟିରେ ଥିବା ନର୍ସ ମାଳତୀଙ୍କୁ ଔଷଧ ଓ ସାଲାଇନ ଦେଇଥିଲେ। ସାଲାଇନଟି ଅଧାରୁ ଅଧିକ ସରିବା ପରେ ତାହା ଏକ୍ସପାରି ତାରିଖ ଉପରେ ରୋଗୀଙ୍କ ଜଣେ ସମ୍ପର୍କୀୟଙ୍କ ଦୃଷ୍ଟି ପଡ଼ିଥିଲା। ୨୦୧୯ ଫେବ୍ରୁଆରି ମାସରେ ହିଁ ସାଲାଇନ ଏକ୍ସପାରି ହୋଇଯାଇଥିଲା। ଏହା ଦେଖି ସେ ତୁରନ୍ତ ଡାକ୍ତର ଓ ନର୍ସଙ୍କୁ ଜଣାଇଥିଲେ। ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ନିକଟ ବେଡ୍‌ ରୋଗୀଙ୍କ ସାଲାଇନ ଯାଞ୍ଚ କରିବାରୁ ସେଗୁଡ଼ିକର ମଧ୍ୟ ମିଆଦ ପୂରିଯାଇଥିବା ଦେଖିବାକୁ ମିଳିଥିଲା। ସେହି ପେଟିରେ ଥିବା ଆଉ ଦୁଇଟି ଏକ୍ସପାରି ସାଲାଇନ ଅନ୍ୟ ଦୁଇଜଣ ରୋଗୀଙ୍କୁ ମଧ୍ୟ ଦିଆ ଯାଇଥିଲା। ଏହା ଜଣାପଡ଼ିବା ପରେ ଉତ୍ତେଜନା ବଢ଼ିଥିଲା। ପରିସ୍ଥିତି ନିୟନ୍ତ୍ରଣ ପାଇଁ ଡାକ୍ତରଖାନା ପକ୍ଷରୁ ଚମ୍ପୁଆ ପୁଲିସକୁ ଖବର ଦିଆଯାଇଥିଲା। ପରେ ପୁଲିସ ପହଞ୍ଚି ବୁଝାସୁଝା କରିଥିଲା। ଯେଉଁ ପେଟିରେ ଉକ୍ତ ସଲାଇନ୍ ଥିଲା, ସେଥିରେ ୨୦୨୧ ମସିହା ଫେବ୍ରୁଆରି ମାସ ଲେଖାଥିଲା। ନର୍ସଙ୍କ ଦାୟିତ୍ୱହୀନତା କାରଣରୁ ଏଭଳି ଭୁଲ ହୋଇଥିଲା ବୋଲି କୁହାଯାଇଥିଲା। ଉପଖଣ୍ଡ ଚିକିତ୍ସା ଅଧିକାରୀ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe