India Whispers
ଯାଜପୁର: ଇସ୍ପାତ ରାଜଧାନୀ କାଳିଙ୍ଗନଗର ଶିଳ୍ପାଞ୍ଚଳରେ ୧୩ଟି ଇସ୍ପାତ କାରଖାନା, ୩ଟି ସିମେଣ୍ଟ କାରଖାନା ଓ ଏକାଧିକ ଜାତୀୟସ୍ତରର ଠିକାସଂସ୍ଥାଙ୍କର ଶହଶହ କୋଟି ଟଙ୍କାର ବ୍ୟବସାୟ ଚାଲିଛି। ବିପର୍ଯ୍ୟସ୍ତ କଳିଙ୍ଗନଗର ପରିବେଶ ମଧ୍ୟରେ ଅତ୍ୟାବଶ୍ୟକ ମୌଳିକ ସୁବିଧାସୁଯୋଗରୁ ହଜାର ହଜାର ଅଞ୍ଚଳବାସୀ ବଞ୍ଚିତ। ଶିଳ୍ପାନୁଷ୍ଠାନରେ କାମ କରୁଥିବା ହଜାରହଜାର ଶ୍ରମିକ ନିଜ ପରିବାର ଜୀବିକା ପାଇଁ ଜୀବନକୁ ବନ୍ଧା ପକାଇଛନ୍ତି। ଶ୍ରମିକମାନଙ୍କ ପାଇଁ ଥିବା ନୀତିନିୟମ ଖୋଲାଖୋଲି ଉଲ୍ଲଂଘନ ହେଉଛି। ଠିକାଦାରଙ୍କ ନିୟନ୍ତ୍ରଣରେ ଶିଳ୍ପାନୁଷ୍ଠାନ। ବାହାର ରାଜ୍ୟର ଠିକାଦାରଙ୍କ ଶୋଷଣରେ ହଜାରହଜାର ଶ୍ରମିକ ନୟାନ୍ତ। ଇପିଏଫ ଓ ଇଏସଆଇ ଭଳି ସର୍ବନିମ୍ନ ସୁବିଧା ମଧ୍ୟ ହଜାରହଜାର ଶ୍ରମିକଙ୍କର ନାହିଁ।
ଶ୍ରମିକମାନଙ୍କର ସୁରକ୍ଷା ମଧ୍ୟ ବିପର୍ଯ୍ୟସ୍ତ। ନିୟମିତ ବିଭିନ୍ନ କଳକାରଖାନାରେ ଦୁର୍ଘଟଣାର ଶିକାର ହୋଇ କେତେକ ଜୀବନ ହରାଉଥିବା ବେଳେ କେତେକ ସବୁ ଦିନ ପାଇଁ ଅକର୍ମଣ୍ୟ ହୋଇଯାଉଛନ୍ତି। ସେମାନଙ୍କ ସୁରକ୍ଷା ପାଇଁ କାମ କରୁଥିବା ଶ୍ରମ ବିଭାଗ ଓ ଫ୍ୟାକ୍ଟ୍ରି ଆଣ୍ଡ ବଏଲର ବିଭାଗର କେତେକ ଅଧିକାରୀ ଠିକାଦାର ଓ ଶିଳ୍ପପତିଙ୍କ ଦ୍ବାରା କବଳିତ। ଶ୍ରମିକଙ୍କ ସ୍ବର ଦିନକୁ ଦିନ ଦବିବାରେ ଲାଗିଛି। ଯାଜପୁର ନିର୍ବାଚନମଣ୍ଡଳୀରେ ଯେପରି ଗୁପ୍ତରେ ସରକାରୀ ଯୋଜନାରୁ ଶହଶହ କୋଟି ଟଙ୍କା ବ୍ୟୟ କରାଯାଇ ପ୍ରକଳ୍ପ ଚାଲିଛି, ଠିକ୍ ସେହିପରି କଳିଙ୍ଗନଗର ଶିଳ୍ପାଞ୍ଚଳରେ ବିନା ପଲ୍ଲୀସଭା ଓ ଜନଶୁଣାଣିରେ ଗୁପ୍ତରେ କାରଖାନାଗୁଡ଼ିକର ନିର୍ମାଣ ଚାଲିଛି। ଯାହାକୁ ନେଇ ବିଭିନ୍ନ ସମୟରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାରେ ଲାଗିଛି।
ପ୍ରକାଶ ଥାଉକି ଯଖପୁରା ନିକଟରେ ବେଟ୍ ଲଜିଷ୍ଟିକ୍ ଖୋଲିଥିଲା। ଏହା ଏବେ ଏକ ଫେବ୍ରିକେସନ କମ୍ପାନିରେ ପରିଣତ ହୋଇଛି। ଏହାର ନାମ ବେଟ୍ ଏଏସକେ ଜେଭି କୁହାଯାଉଛି। ଏହି କମ୍ପାନି ଦୁଇବର୍ଷ ଧାରି କାର୍ଯ୍ୟ କରିଆସୁଛି। ଟାଟାଠାରୁ କଞ୍ଚାମାଲ ଆଣି ତାକୁ ଫେବ୍ରିକେସନ କରି ସ୍ୟାଣ୍ଡ ବ୍ଲାଷ୍ଟିଂ ଏବଂ ପେଣ୍ଟିଂ କରି ଟାଟାକୁ ଫେରସ୍ତ କରୁଛି। ଶ୍ରମିକମାନଙ୍କ ସୁରକ୍ଷା ନିୟମ ଏଠାରେ କାର୍ଯ୍ୟକାରୀ କରାଯାଉନାହିଁ ବୋଲି ଅଭିଯୋଗ ହୋଇଛି। ଶ୍ରମିକମାନଙ୍କୁ ଇପିଏଫ୍ ଓ ଇଏସଆଇ ସୁବିଧା ପ୍ରଦାନ କରାଯାଉନାହିଁ। ଏଠାରେ ସ୍ୟାଣ୍ଡ ବ୍ଲାଷ୍ଟିଂ ହେଉଥିବା ବେଳେ ଶ୍ରମିକମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ଅକାଳରେ ମୃତ୍ୟୁମୁଖରେ ପଡୁଛନ୍ତି। ଆଖପାଖରେ ଥିବା ବସ୍ତିରେ ମଧ୍ୟ ଲୋକେ ରୋଗଗ୍ରସ୍ତ ହେଉଛନ୍ତି। ଶ୍ରମିକମାନଙ୍କ ସୁରକ୍ଷା ଓ ପରିବେଶକୁ ନେଇ ହେଉଥିବା ଅଭିଯୋଗର ଅନୁସନ୍ଧାନ କରି ତୁରନ୍ତ ପଦକ୍ଷେପ ନେବାକୁ ଶ୍ରମିକ ଓ ଅଞ୍ଚଳବାସୀ ଦାବି କରିଛନ୍ତି।
Follow Us