ପ୍ରତ୍ୟାହାର ହେଲା ରପ୍ତାନି ଶୁଳ୍କ: ବଢ଼ିବ ଲୁହାପଥର କାରବାର!

ତିନି ଖଣି ସଂସ୍ଥାକୁ ୩୪୧ କୋଟି ଜରିମାନା

Scroll.in

କେନ୍ଦୁଝର/ଯୋଡ଼ା : କେନ୍ଦ୍ର ସରକାରଙ୍କ ରପ୍ତାନି ଶୁଳ୍କ ବୃଦ୍ଧି ପରେ ଖଣିଖାଦାନ ଭରା କେନ୍ଦୁଝର ଜିଲ୍ଲାର ଅର୍ଥନୀତି ପ୍ରଭାବିତ ହୋଇଥିଲା। କେନ୍ଦ୍ର ସରକାର ଲୁହାପଥରରୁ ରପ୍ତାନି ଶୁଳ୍କ ପ୍ରତ୍ୟାହାର କରିବା ପରେ ଏବେ ଏଥିରେ ସୁଧାର ଆସିବାର ସମ୍ଭାବନା ଦେଖାଦେଇଛି।

ପ୍ରାପ୍ତ ସୂଚନା ଅନୁସାରେ, ଗତ ମେ ମାସଠାରୁ ଶତକଡ଼ା ୫୮ ଗ୍ରେଡ୍‌ରୁ କମ ଥିବା ଲୁହାପଥର ଉପରେ କେନ୍ଦ୍ର ସରକାର ୫୦ ପ୍ରତିଶତ ରପ୍ତାନି ଶୁଳ୍କ ଲାଗୁ କରିଥିଲେ। ଏହାଦ୍ବାରା ଲୁହାପଥର ରପ୍ତାନି ଏକ ପ୍ରକାର ବନ୍ଦ ହୋଇଯାଇଥିଲା। ଖଣି କାରବାର ଠପ୍‌ ହୋଇଯାଇଥିଲା। ବିଶେଷ କରି ଖଣିଖାଦାନ ଭରା କେନ୍ଦୁଝର ଜିଲ୍ଲାରେ ଏହାର ବ୍ୟାପକ ପ୍ରଭାବ ପଡ଼ିଥିଲା। ଏବେ କେନ୍ଦ୍ର ସରକାର ଏହି ରପ୍ତାନି ଶୁଳ୍କ ପ୍ରତ୍ୟାହାର କରିଛନ୍ତି। ସରକାରଙ୍କ ବିଜ୍ଞପ୍ତି ଅନୁସାରେ, ଲୁହାପଥର ଉପରେ ଲାଗୁ ହୋଇଥିବା ରପ୍ତାନି ଶୁଳ୍କକୁ ଗତକାଲିଠାରୁ ପ୍ରତ୍ୟାହାର କରାଯାଇଛି। ଶତକଡ଼ା ୫୮ ଗ୍ରେଡ୍‌ରୁ କମ ଥିବା ଲୁହାପଥର ଲମ୍ପ୍‌ସ, ଫାଇନ୍‌ସ ଉପରେ କୌଣସି ରପ୍ତାନି ଶୁଳ୍କ ଲାଗୁ ହେବ ନାହିଁ। ୫୮ ପ୍ରତିଶତ ଓ ତଦୁର୍ଦ୍ଧ୍ବ ଗ୍ରେଡ୍‌ର ଲୁହାପଥର ଉପରେ ଶତକଡା ୩୦ ପ୍ରତିଶତ ରପ୍ତାନି ଶୁଳ୍କ ଲାଗୁ କରାଯାଇଛି। ସେହିପରି ପିଗ୍‌ ଆଇରନ, ଆଇରନ ଓର୍‌, ପିଲେଟ, ଷ୍ଟିଲ ଦ୍ରବ୍ୟ ଉପରେ କୌଣସି ରପ୍ତାନି କର ଲାଗୁ ହେବ ନାହିଁ ବେଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି। ରପ୍ତାନି ଶୁଳ୍କ ପ୍ରତ୍ୟାହାର କରିବା ପରେ ଖଣି କାରବାର ବଢ଼ିବ ବୋଲି ଆଶା କରାଯାଉଛି।

ପୂର୍ବରୁ ରପ୍ତାନି ଶୁଳ୍କ ବୃଦ୍ଧି ପାଇଁ ଖଣିରେ ଲୁହାପଥର ଉତ୍ପାଦନ କମି ଯାଇଥିଲା। ପିଲେଟ୍‌ ଉତ୍ପାଦନ ବାଧାପ୍ରାପ୍ତ ହେଉଥିଲା। ଏମିତିକି ଅଧିକାଂଶ ପିଲେଟ୍‌ କାରଖାନା ସେମାନଙ୍କ କ୍ଷମତାର ମାତ୍ର ୨୫ ପ୍ରତିଶତ ଉତ୍ପାଦନ କରୁଥିଲେ। ପିଲେଟ୍‌ ଉତ୍ପାଦନ ହ୍ରାସ ଏବଂ କେତେକ କାରାଖାନା ବନ୍ଦ ହୋଇଯିବାରୁ ଏହାର ସିଧାସଳଖ ପ୍ରଭାବ ଖଣି ଏବଂ କାରଖାନାରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ଉପରେ ପଡ଼ିଥିଲା। ଶ୍ରମିକମାନେ କାମ ନପାଇ ହାତବାନ୍ଧି ବସିଥି‌ଲେ। ଏଭଳି କି ଲୁହାପଥର ବିକ୍ରି ପ୍ରଭାବିତ ହେବାରୁ ଏହାର ପ୍ରଭାବ ପରିବହନ ଶିଳ୍ପ ଉପରେ ପଡ଼ିଥିଲା। ଟ୍ରକ୍‌ ମାଲିକ, ଡ୍ରାଇଭର, ହେଲପର୍‌ଙ୍କ ଜୀବିକା ବିପନ୍ନ ହୋଇଥିଲା। ଏଭଳି ସମସ୍ୟା ସଂପର୍କରେ ଶିଳ୍ପ ସଂସ୍ଥାଗୁଡ଼ିକ କେନ୍ଦ୍ର ସରକାରଙ୍କୁ ବାରମ୍ବାର ଅବଗତ କରିଆସୁଥିଲେ। ୬ ମାସ ପରେ ସରକାର ଲୁହାପଥରରୁ ରପ୍ତାନି ଶୁଳ୍କ ପ୍ରତ୍ୟାହାର କରିଛନ୍ତି। ଫଳରେ ଆଗାମୀ ଦିନରେ ସ୍ଥିତିରେ ସୁଧାର ଆସିବ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe