କାମ୍ପା ପାଣ୍ଠି ଖର୍ଚ୍ଚରେ ବ୍ୟାପକ ଦୁର୍ନୀତି: ପିସିସି ସଭାପତି

Advertisment

ଏ ଉପରବାଲା କିଏ, ତାଙ୍କ ଭାଗ କେତେ?

ଏ ଉପରବାଲା କିଏ, ତାଙ୍କ ଭାଗ କେତେ?

ଯୁବପିଢ଼ି ସ୍ବାଧୀନତାର ମୂଲ୍ୟବୋଧକୁ ଅକ୍ଷୁଣ୍ଣ ରଖନ୍ତୁ

ଭୁବନେଶ୍ବର : ଜଙ୍ଗଲ ଓ ବନ୍ୟଜନ୍ତୁଙ୍କୁ ଧ୍ବଂସ ମୁଖରୁ ସୁରକ୍ଷା ଦେବା ପାଇଁ କାମ୍ପା ପାଣ୍ଠି ବାବଦରେ କେନ୍ଦ୍ର ସରକାର ହଜାର ହଜାର କୋଟି ଟଙ୍କା ଯୋଗାଇଛନ୍ତି। କିନ୍ତୁ ଏହି ଅର୍ଥ ଖର୍ଚ୍ଚ କରିବାରେ ସରକାର ବିଫଳ ହୋଇଛନ୍ତି। ଏପରିକି କାମ୍ପା ପାଣ୍ଠି ଖର୍ଚ୍ଚରେ ବ୍ୟାପକ ଦୁର୍ନୀତି ହୋଇଛି। ଆଜି ଏକ ପ୍ରେସ୍‌ ବିବୃତି ଜାରି କରି ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ରାଜ୍ୟ ସରକାରଙ୍କୁ ଏପରି ଟାର୍ଗେଟ କରିଛନ୍ତି। ଏକ ଦକ୍ଷ କମିଟି ଗଠନ କରି ନିରପେକ୍ଷ ତଦନ୍ତ କରାଗଲେ ପ୍ରକୃତ ସତ୍ୟ ପଦାକୁ ଆସିବ ବୋଲି ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି।

publive-image

ଶ୍ରୀ ପଟ୍ଟନାୟକ ଦର୍ଶାଇଛନ୍ତି, ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ କାମ୍ପା ଆଇନ ବଳରେ କେନ୍ଦ୍ର ସରକାର ପାଣ୍ଠି ଗଠନ କରିଛନ୍ତି। ରାଜ୍ୟମାନେ ପ୍ରସ୍ତୁତ କରିଥିବା ଯୋଜନା ମୁତାବକ ଏହି ପାଣ୍ଠିରୁ ଅର୍ଥ ଯୋଗାଇ ଦିଆଯାଇଥାଏ। ଯେଉଁଠାରେ ଜଙ୍ଗଲ ସମ୍ପଦ ନଷ୍ଟ ହେଉଛି ସେସବୁ ଅଞ୍ଚଳରେ ଏହି ପାଣ୍ଠି ଅର୍ଥ ଖର୍ଚ୍ଚ କରାଯାଇ ନୂତନ ଜଙ୍ଗଲ ସୃଷ୍ଟି କରାଯିବା ସହ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ବ୍ୟବସ୍ଥା କରାଯିବ। କିନ୍ତୁ ଓଡ଼ିଶା ସରକାର ଅପାରଗତା ଯୋଗୁ ଏବେ ଜଙ୍ଗଲ କ୍ଷୟ ହେବାରେ ଲାଗିଛି। ଫଳରେ ଶହ ଶହ ସଂଖ୍ୟାରେ ହାତୀ ଜଙ୍ଗଲ ଛାଡ଼ି ଏବେ ଜନବସତି ଆଡ଼କୁ ଚାଲି ଆସୁଛନ୍ତି। ହାତୀ-ମଣିଷ ଲଢ଼େଇରେ ଉଭୟଙ୍କ ଜୀବନ ଯାଉଛି। ଗତ ୨ ବର୍ଷ ମଧ୍ୟରେ ରାଜ୍ୟରେ ୮୮୫ ବର୍ଗ କିଲୋମିଟର ଜଙ୍ଗଲ ସୃଷ୍ଟି ହୋଇଥିବା କଥା ଜଙ୍ଗଲ ମନ୍ତ୍ରୀ ବିଧାନସଭାରେ ଉତ୍ତର ରଖିଥିଲେ। କିନ୍ତୁ ଅସଲ କଥା ହେଲା, ସରକାର ଅତିରଞ୍ଜିତ କରି ହଜାର ହଜାର କୋଟି ଟଙ୍କା ଆତ୍ମସାତ୍‌ କରିଛନ୍ତି। ୨୦୧୯ ସେପ୍ଟେମ୍ବରରେ କେନ୍ଦ୍ର ସରକାର କାମ୍ପା ପାଣ୍ଠି ବାବଦରେ ସବୁ ରାଜ୍ୟ ପାଇଁ ୪୭ ହଜାର ୪୩୬ କୋଟି ଟଙ୍କା ଆବଣ୍ଟନ କରିଥିଲେ। ସେଥିରୁ ୫୯୩୯.୯୮ କୋଟି ଟଙ୍କା ଓଡ଼ିଶା ଭାଗରେ ପଡ଼ିଥିଲା। କିନ୍ତୁ ଏଥିରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହସ୍ତଗତ ହୋଇଥିବା ପିସିସି ସଭାପତି କହିଛନ୍ତି।

କେତୋଟି ଉଦାହରଣ ଦେଇ ପିସିସି ସଭାପତି ଅଭିଯୋଗ କରିଛନ୍ତି, ବାଣପୁର ଅଞ୍ଚଳର ସୁରେନ୍ଦ୍ର ଜେନାଙ୍କ ବ୍ୟାଙ୍କ ଖାତାକୁ ୧ ଲକ୍ଷ ୧୯ ହଜାର ଟଙ୍କା ପଠାଯାଇଥିଲା। ପରେ ସେହି ଟଙ୍କାକୁ ଉଠାଇ ଅଣାଯାଇଥିଲା। ସେହିପରି ପ୍ରଭାତ ପ୍ରଧାନଙ୍କ ବ୍ୟାଙ୍କ ଖାତାକୁ ୨ ଲକ୍ଷ ୬୪ ହଜାର ଟଙ୍କା ଓ ମୁନା ମାର୍ଥା ନାମକ ଜଣେ ବ୍ୟକ୍ତିଙ୍କ ଖାତାକୁ ୧ ଲକ୍ଷ ୧୯ ହଜାର ଟଙ୍କା ଆସିବା ପରେ ଉଠାଇ ନିଆଯାଇଥିଲା। ଏସବୁ ବ୍ୟକ୍ତିମାନେ କେହି ଦିନ ମଜୁରିଆ ନୁହଁନ୍ତି କି ଶ୍ରମିକମାନଙ୍କ ଠିକାଦାର ନୁହଁନ୍ତି। ଏମାନଙ୍କୁ ବ୍ୟାଙ୍କ ଖାତାକୁ ଟଙ୍କା ପଠାଇଲା କିଏ? କାହିଁକି ଏତେ ଟଙ୍କା ପଠାଯାଇଥିଲା। ପରେ ଏହିସବୁ ଟଙ୍କା କୁଆଡ଼େ ଗଲା? ଦୁଃଖ ପରିତାପର ବିଷୟ କରୋନା ମହାମାରୀ ସମୟରେ ଶ୍ରମିକଙ୍କ ମଜୁରୀ କାଟି ନେବାର ମଧ୍ୟ ଅଭିଯୋଗ ଆସିଛି। ଦିନକର ମଜୁରୀ ବାବଦରେ ଶ୍ରମିକଙ୍କ ପାଇଁ ଉଦ୍ଦିଷ୍ଟ ୨୯୮ ଟଙ୍କା ମଜୁରୀରୁ ବିଭାଗୀୟ କର୍ମଚାରୀ ଅଧା କାଟି ଦେଇ ଉପର ମହଲକୁ ଦିଆଯିବ ବୋଲି କହୁଛନ୍ତି। ଏହି ଉପରବାଲା କିଏ? ତାଙ୍କର ଭାଗ କେତେ? କାମ୍ପା ପାଣ୍ଠିରୁ ୫ ହଜାର କୋଟି ଟଙ୍କାର ବେନାମି କାରବାର କରାଯାଇ ବିଭାଗୀୟ ଅଫିସର ଓ ମନ୍ତ୍ରୀଙ୍କ ମଧ୍ୟରେ ବଣ୍ଟାକୁଣ୍ଟା ହୋଇଛି। ଏ ନେଇ ବିଧିବଦ୍ଧ ତଦନ୍ତ ହେଲେ ସବୁ କଥା ସାମନାକୁ ଆସିବ ବୋଲି ସେ ଦାବି କରିଛନ୍ତି।

publive-image Frontline - The Hindu

ଶ୍ରୀ ପଟ୍ଟନାୟକ ଆହୁରି ଦର୍ଶାଇଛନ୍ତି, କାମ୍ପା ଓ ଓମ୍‌ବାଡ଼୍‌ସି ପାଣ୍ଠିରୁ ସରକାର ୧୨ ହଜାର କୋଟି ଟଙ୍କା ଋଣ ଆଣିଛନ୍ତି। ଏହି ଅର୍ଥର ସଠିକ୍‌ ବିନିଯୋଗ ନେଇ ମଧ୍ୟ ହିସାବ ନାହିଁ। ମହାନଦୀ ଅବବାହିକାରେ କୋଟି କୋଟି ଗଛ ଲଗାଇବା କଥା ସମସ୍ତେ ଶୁଣିଛନ୍ତି। କେଉଁଠି କେତେ ସଂଖ୍ୟାରେ ଗଛ ଲଗାଗଲା ରାଜ୍ୟବାସୀଙ୍କର ଜାଣିବା ଅଧିକାର ରହିଛି। ଗଛ ଲାଗିଲା ସତ କିନ୍ତୁ ଏବେ ସେହିସବୁ ଗଛ ଉଭାନ ହୋଇଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଜ୍ଞାତସାରରେ କାମ୍ପା ଗାଇଡ୍‌ଲାଇନ୍‌ର ଉଲଂଘନ ହୋଇଛି। ଗାଇଡଲାଇନ୍‌ର ଧାରା ୧୩ ଅନୁସାରେ ଏହି ପାଣ୍ଠି ପରିଚାଳନାର ମୁଖ୍ୟ ଭାବେ ମୁଖ୍ୟମନ୍ତ୍ରୀଙ୍କୁ କ୍ଷମତା ଦିଆଯାଇଛି। ତାଙ୍କ ଅଧ୍ୟକ୍ଷତାରେ ଗୋଟିଏ ୧୦ ଜଣିଆ କମିଟି ଗଠନ ହେବାର ବ୍ୟବସ୍ଥା ରହିଛି। ଏହି ଉଚ୍ଚସ୍ତରୀୟ କମିଟି ପାଣ୍ଠି ବିନିଯୋଗ ନେଇ ପ୍ରସ୍ତୁତ ପୂର୍ଣ୍ଣ ଯୋଜନାକୁ ଅନୁମୋଦନ କରିଥାଏ। କମିଟି ବୈଠକ କେବେ ବସିଥିଲା ଓ ବୈଠକରେ କଣ ସମୀକ୍ଷା ହୋଇଥିଲା ତାକୁ ସର୍ବସାଧାରଣରେ ସରକାର ପ୍ରକାଶ କରନ୍ତୁ। ଧାରା ୧୧ ଓ ୧୨ ଅନୁଯାୟୀ ବିଭିନ୍ନ ପ୍ରକଳ୍ପ ପାଇଁ ଗ୍ରାମସଭାର ଅନୁମୋଦନ ନେବାର ବ୍ୟବସ୍ଥା ରହିଛି। ଯାହା ଆଦୌ ପାଳନ ହୋଇନାହିଁ। କରୋନା ମହାମାରୀ ଯୋଗୁ ସମସ୍ତ ପ୍ରକାର ପ୍ରତିବାଦ ଓ ବିକ୍ଷୋଭକୁ ରାଜ୍ୟ ଓ କେନ୍ଦ୍ର ସରକାର ବନ୍ଦ ରଖିଛନ୍ତି। ରାଜ୍ୟ ଓ ରାଜ୍ୟବାସୀଙ୍କ ସ୍ବାର୍ଥ ଦୃଷ୍ଟିରୁ ଆଗାମୀ ଦିନରେ କଂଗ୍ରେସ ଦଳ ବ୍ୟାପକ ନ୍ୟାୟିକ ପନ୍ଥା ଗ୍ରହଣ କରିବ ବୋଲି ପିସିସି ସଭାପତି ସରକାରଙ୍କୁ ଚେତେଇ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe