Odhisa Bytes
ଗୁରୁଡ଼ିଝାଟିଆ: ଚଳିତ ବର୍ଷ ଶ୍ରାବଣ ମାସରେ ୫ଟି ସୋମବାର ପଡୁଥିବା ବେଳେ ଦୀର୍ଘ ୨୭ ବର୍ଷ ପରେ ଏକ ମହାସଂଯୋଗ ଅନୁଷ୍ଠିତ ହେଉଛି। ଏଥର ପ୍ରତିପଦାରୁ ଶ୍ରାବଣ ମାସର ପ୍ରଥମ ସୋମବାର ଆରମ୍ଭ ହେଉଥିବା ବେଳେ ପୂର୍ଣ୍ଣିମାରେ ଶେଷ ସୋମବାର ପଡୁଛି। ଏଭଳି ମହାସଂଯୋଗ ପାଇଁ ପ୍ରସିଦ୍ଧ ଧବଳେଶ୍ବରଙ୍କ ପୀଠରେ ସ୍ବତନ୍ତ୍ର ପ୍ରସ୍ତୁତି ପାଇଁ ତହସିଲଦାର କ୍ଷେତ୍ରମୋହନ ସ୍ବାଇଁଙ୍କ ପୌରୋହିତ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ବିଭିନ୍ନ ବିଭାଗର ଅଧିକାରୀ ଓ ମନ୍ଦିର ପରିଚାଳନା ସହ ସଂପୃକ୍ତ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ। ଜୁଲାଇ ୨୨, ୨୯, ଅଗଷ୍ଟ ୫, ୧୨ ଓ ୧୯ରେ ପଡୁଥିବା ଶ୍ରାବଣ ମାସର ସୋମବାର ପାଇଁ ପୁଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯିବା ସହ ଏହି ଦିନମାନଙ୍କରେ ପୁଲିସ୍ ଫୋର୍ସ ମୁତୟନ କରାଯାଇ ପୀଠକୁ ଆସୁଥିବା କାଉଡ଼ିଆ ଭକ୍ତମାନଙ୍କୁ ଧାଡ଼ିବାନ୍ଧି ଶାନ୍ତିଶୃଙ୍ଖଳାର ସହିତ ଦର୍ଶନ କରାଇବା ସଂପର୍କରେ ଆଲୋଚନା ହୋଇଛି। ଚଳିତ ବର୍ଷ ପୀଠକୁ ଆସୁଥିବା କାଉଡ଼ିଆମାନଙ୍କୁ ପ୍ଲାଷ୍ଟିକ୍ କଳସ ବଦଳରେ ପିତଳ, ତମ୍ବା କିମ୍ବା ମାଟି କଳସରେ ପାଣି ଆଣିବା ପାଇଁ ପରାମର୍ଶ ଦିଆଯାଇଥିବା ବେଳେ ପୀଠରେ ସମ୍ପୂର୍ଣ୍ଣ ଭାବେ ପ୍ଲାଷ୍ଟିକ୍ କଳସଘଡ଼ିକୁ ନିଷିଦ୍ଧ କରାଯାଇଛି। ଏହାସହ ମଂଚେଶ୍ବର ପଟେ କାଉଡ଼ିଆମାନଙ୍କ ପାଇଁ ବାହୁଙ୍ଗି ରଖାଯିବା ପାଇଛଁ ବ୍ୟବସ୍ଥା କରାଯାଇଥିବା ବେଳେ ସେମାନେ ସେଠରେ ବାହୁଙ୍ଗି ରଖି ଗାମୁଛାରେ କଳସୀ ବାନ୍ଧି ମନ୍ଦିର ଭିତରକୁ ପ୍ରବେଶ କରିବାର ବ୍ୟବସ୍ଥା କରାଯାଇଛି।
କଂକ୍ରିଟ୍ ସେତୁ ଠାରୁ ମନ୍ଦିର ପର୍ଯ୍ୟନ୍ତ ବ୍ୟାରିକେଡ ବ୍ୟବସ୍ଥା କରାଯାଇଥିବା ବେଳେ ରାତିରେ ଲାଇଟ୍ର ସୁବ୍ୟବସ୍ଥା କରିବା ପାଇଁ ବିଦ୍ୟୁତ୍ ବିଭାଗକୁ ନିେର୍ଦ୍ଦଶ ଦିଆଯାଇଛି। ପୁଲିସ୍ ପ୍ରଶାସନ ପକ୍ଷରୁ ଚେକ୍ ପୋଷ୍ଟ୍ କରାଯିବା ସହ ଲୁଟେରା ଓ ଦୁର୍ବୃତ୍ତମାନଙ୍କ ଉପରେ କଡ଼ା ନଜର ରଖିବା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ସେତୁର ଉଭୟ ପଟେ ସ୍ଥାନୀୟ ପୁଲିସ୍ ପ୍ରଶାସନ ପକ୍ଷରୁ ୩ଜଣ ଡିଏସ୍ପି, ୩ଜଣ ଇନସ୍ପେକ୍ଟର, ୧୨ଜଣ ଏସ୍ଆଇ ଓ ଏଏସ୍ଆଇ, ୨୦ଜଣ କନେଷ୍ଟବଳ ଓ ହାବିଲଦାର, ୬୦ଜଣ ହୋମଗାର୍ଡ଼ଙ୍କ ସହ ୪ ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ କରାଯିବାକୁ ନିଷ୍ପତ୍ତି ହୋଇଥିବା ବେଳେ ଆବଶ୍ୟକ ହେଲେ ଶେଷ ଦୁଇପାଳିରେ ଅଧିକ ପୁଲିସ୍ ମୁତୟନ କରାଯିବ ବୋଲି ଗୁରୁଡ଼ିଝାଟିଆ ଥାନା ଅଧିକାରୀ ପରେଶ କୁମାର ମହାନ୍ତି ସୂଚନା ଦେଇଛନ୍ତି। ସେହିପରି ଅଗ୍ନିସେବା ବିଭାଗ, ବିଦ୍ୟୁତ୍ ବିଭାଗ, ସ୍ବାସ୍ଥ୍ୟ ଓ ପରିମଳ ବିଭାଗ ପକ୍ଷରୁ କ୍ୟାମ୍ପ୍ କରାଯିବା ସହିତ ଦେବୋତ୍ତର ବିଭାଗ ପକ୍ଷରୁ ଧବଳେଶ୍ବର ହାଇସ୍କୁଲ ଓ ଫାଣ୍ତି ନିକଟର ଥିବା ପଡ଼ିଆରେ ଗାଡ଼ି ଷ୍ଟାଣ୍ଡ ବ୍ୟବସ୍ଥା କରାଯାଇଛି। ସୂଚନାଯୋଗ୍ୟ ଯେ ଏବେ ଧବଳେଶ୍ବରକୁ ସଂଯୋଗ କରୁଥିବା ଝୁଲା ପୋଲ ବନ୍ଦ ରହିଛି। ଏକ କଂକ୍ରିଟ ସେତୁକୁ ଏବେ ଯିବା ଆସିବା ପାଇଁ ବ୍ୟବହାର କରାଯାଉଛି।
  
 Follow Us