DNA India
କଣ୍ଟାମାଳ: ବ୍ୟାଙ୍କରେ ଜମାଖାତା ଖୋଲିବାକୁ ଯାଇ କଣ୍ଟାମାଳ ବ୍ଲକ୍ ଶିମିଲିପଦର ଗାଁର ସାନ ମିର୍ଦ୍ଧା (୩୫ବର୍ଷ) ଠକେଇର ଶିକାର ହୋଇଛନ୍ତି। ସଦାନନ୍ଦ ଗୁରୁ ନାମକ ଜଣେ ବ୍ୟକ୍ତି ନିଜକୁ ବ୍ୟାଙ୍କ କର୍ମଚାରୀ ବୋଲି ପରିଚୟ ଦେଇ ସାନଙ୍କ ନାମର ୫୦ ହଜାର ଟଙ୍କାର ଋଣ ଉଠାଇ ନେଇଥିବା ଅଭିଯୋଗ ହୋଇଛି। ଏହା ଜଣାପଡ଼ିବା ପରେ ଶନିବାର ସାନ ମନମୁଣ୍ଡା ଥାନାରେ ଏତଲା ଦେଇଛନ୍ତି।
ଅଭିଯୋଗ ଅନୁସାରେ, ସାନ ୨୦୧୭ ମସିହାରେ ସୋନପୁରସ୍ଥିତ ୟୁନାଇଟେଡ ବ୍ୟାଙ୍କରେ ଏକ ଜମାଖାତା ଖୋଲିବାକୁ ଯାଇଥିଲେ। ସେଠାରେ ଥିବା ସଦାନନ୍ଦ ତାଙ୍କୁ ଆବଶ୍ୟକୀୟ କାଗଜପତ୍ର ମାଗିବା ସହ ୧୦ଟି ବ୍ୟାଙ୍କ କାଗଜରେ ୨୦ରୁ ଅଧିକ ଦସ୍ତଖତ କରିବାକୁ କହିଥିଲେ। ପରେ ପାସବୁକ୍, ଏଟିଏମ୍ କାର୍ଡ ଓ ଚେକ୍ବୁକ୍ ହୋଇଗଲା କହି ୪ଟି ଚେକ୍ରେ ଦସ୍ତଖତ କରାଇ ନେଇଥିବା ସାନ ଅଭିଯୋଗ କରିଛନ୍ତି। ଗତ ୧୮ ତାରିଖ ଦିନ ବ୍ୟାଙ୍କରୁ ସାନଙ୍କ ନିକଟକୁ ଏକ ନୋଟିସ ଆସିଥିଲା। ଏନେଇ ବ୍ୟାଙ୍କ ଶାଖା ପରିଚାଳକଙ୍କୁ ପଚାରିବାରୁ ସାନଙ୍କ ନାଁରେ ୫ବର୍ଷ ପୂର୍ବରୁ ୫୦ ହଜାର ଟଙ୍କାର ଋଣ ଉଠାଣ ହୋଇ ବର୍ତ୍ତମାନ ତାହା ସୁଧ ସହ ପରିଶୋଧ କରିବାକୁ ଅଛି ବୋଲି କହିଥିଲେ। ମଜୁରିଆ ସାନ ଏହା ଜାଣିବା ପରେ ମନମୁଣ୍ଡା ଥାନାରେ ଏତଲା ଦେଇଛନ୍ତି। ଥାନାଧିକାରୀ ଅଶ୍ବିନୀ ଭିତିରିଆଙ୍କୁ ପଚାରିବାରୁ ତଦନ୍ତ ଚାଲିଛି, ଖୁବଶୀଘ୍ର ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଥିଲେ।
Follow Us