Advertisment

ଖରାଛୁଟିରେ ବି ହେବ ପାଠପଢ଼ା : ଦୁର୍ବଳ ପିଲାଙ୍କୁ ପଢ଼ାଇବେ ଶିକ୍ଷକ ଶିକ୍ଷୟିତ୍ରୀ, ଜାନୁଆରି ୩୧ ଯାଏ ଚାଲିବ ଦଶମ ପାଠପଢ଼ା

Advertisment
ଏପ୍ରିଲରୁ ରବିବାରିଆ କ୍ଲାସ୍‌ ବନ୍ଦ

thebastion.co.in

ଭୁବନେଶ୍ବର : ଏଥର ଖରା ଛୁଟିରେ ବି ହେବ ପିଲାଙ୍କ ପାଠପଢ଼ା। ଶ୍ରେଣୀରେ ଅପେକ୍ଷାକୃତ ଦୁର୍ବଳ ଥିବା ଛାତ୍ରଛାତ୍ରୀଙ୍କୁ ପଢ଼ାଇବେ ଶିକ୍ଷକ ଶିକ୍ଷୟିତ୍ରୀ। ରାଜ୍ୟର ସମସ୍ତ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ଏହା ଲାଗୁ ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଆଜି ସୂଚନା ଦେଇଛନ୍ତି।

ଶ୍ରୀ ଦାଶ କହିଛନ୍ତି ଯେ ଯେଉଁ ପିଲାମାନେ ଶ୍ରେଣୀଗୃହରେ ଦୁର୍ବଳ ରହିଛନ୍ତି ସେମାନଙ୍କୁ ଭଲ ପିଲାଙ୍କ ସହ ସମକକ୍ଷ କରିବା ଦିଗରେ ଏବର୍ଷ ପଦକ୍ଷେପ ନିଆଯିବ। ଯେଉଁ ପିଲାମାନେ ପାଠପଢ଼ାରେ ପଛୁଆ ରହିଛନ୍ତି ସେମାନଙ୍କୁ ଭଲ ପିଲାଙ୍କ ସହ ଗ୍ରୁପ୍‌ କରି ପାଠପଢ଼ା ଯାଉଛି। ଭଲ କରିପାରୁ ନଥିବା ପିଲାଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଉଜ୍ଜ୍ବଳ, ଉଥ୍ଥାନ ପରି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ତେଣୁ ଶ୍ରେଣୀଗୃହରେ ଅପେକ୍ଷାକୃତ ଦୁର୍ବଳ ଥିବା ପିଲାମାନଙ୍କୁ ଭଲ ପିଲାଙ୍କ ସମକକ୍ଷ କରିବା ଲାଗି ୨୦୨୦-୨୧ ଶିକ୍ଷାବର୍ଷର ଖରା ଛୁଟିରେ ପାଠପଢ଼ା ହେବ। ସେମାନଙ୍କ ପାଇଁ ଅତିରିକ୍ତ କ୍ଲାସ କରାଯିବ। ଏମିତି ବି ଛୁଟି ସମୟରେ ଶିକ୍ଷକ ଶିକ୍ଷୟିତ୍ରୀ ରୋଟେସନ ଭିତ୍ତିରେ ବିଦ୍ୟାଳୟକୁ ଡ୍ୟୁଟି କରିବାକୁ ଆସିଥାନ୍ତି। ତେଣୁ ସେହି ସମୟରେ ଦୁର୍ବଳ ପିଲାମାନଙ୍କ କ୍ଲାସ ନେବେ।

ଶ୍ରୀ ଦାଶ ଆହୁରି କହିଛନ୍ତି ଯେ ମାଟ୍ରିକ୍‌ରେ ଫେଲ୍‌ ହାର କମାଇବା ଏବଂ ପାସ୍‌ ହାର ବୃଦ୍ଧି ଦିଗରେ ପଦକ୍ଷେପ ନିଆଯାଉଛି। ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ଦିଗରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ଏବେ ଅଭିଭାବକଙ୍କୁ ପିଲାଙ୍କ ପାଠପଢ଼ା ସହ ଯୋଡ଼ାଯାଉଛି। କଟକ, କେନ୍ଦ୍ରାପଡ଼ା, କନ୍ଧମାଳ, ଗଞ୍ଜାମ ପରି କିଛି ଜିଲ୍ଲା ମାଟ୍ରିକ୍‌ରେ ‘ମିସନ ଜିରୋ ଫେଲ୍‌ ଓ ‘ମିସନ ଶହେ’କୁ ପ୍ରାଥମିକତା ଦେଉଛନ୍ତି। ସାଧାରଣତଃ ମାଟ୍ରିକ୍‌ ଫର୍ମ ପୂରଣ ପରେ ମାଟ୍ରିକ୍‌ ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଆସନ୍ତି ନାହିଁ। ଏଭଳି ଧାରାକୁ ଏ ବର୍ଷ ଭଙ୍ଗାଯାଇଛି। ଫର୍ମ ପୂରଣ ପରେ ବି ପିଲାଙ୍କ ପାଠପଢ଼ା ଚାଲିଛି। ଜାନୁଆରି ୩୧ ପର୍ଯ୍ୟନ୍ତ ସେମାନଙ୍କ ପାଠପଢ଼ା‌ ହେବ। ପାଠପଢ଼ାକୁ ନେଇ ପିଲାଙ୍କ ମଧ୍ୟରେ ଥିବା ଦ୍ବନ୍ଦ୍ବକୁ ଶିକ୍ଷକ ଶିକ୍ଷୟିତ୍ରୀ ଶ୍ରେଣୀଗୃହରେ ଦୂର କରୁଛନ୍ତି। ପରୀକ୍ଷାର୍ଥୀଙ୍କ ଅଭ୍ୟାସ ପାଇଁ ଡମି ପ୍ରଶ୍ନପତ୍ର ପ୍ରସ୍ତୁତ କରାଯାଇ ଦିଆଯାଉଛି ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ପିଲାଙ୍କ ଶିକ୍ଷାର ମାନ ଯାଞ୍ଚ କରୁଛନ୍ତି। ଏହା ଭିତରେ ବୌଦ୍ଧ, ସୋନପୁର, ବରଗଡ଼ ଆଦି ଜିଲ୍ଲାର ବିଭିନ୍ନ ସ୍କୁଲ ଗସ୍ତ କରି ବିଦ୍ୟାଳୟ ଭିତ୍ତିଭୂମି ଓ ପିଲାଙ୍କ ପାଠପଢ଼ା ଯାଞ୍ଚ କରିଛି ବୋଲି ମନ୍ତ୍ରୀ କହିଛନ୍ତି।

ସୂଚନାଯୋଗ୍ୟ ଯେ ୨୦୨୦ରେ ଗଣଶିକ୍ଷା ବିଭାଗ ପକ୍ଷରୁ ମୋଟ ୮୨ ଦିନ ସ୍କୁଲ ଛୁଟି ଘୋଷଣା କରାଯାଇଛି। ସେଥିମଧ୍ୟରୁ ୩୮ ଦିନ ଖରା ଛୁଟି ରହିବ। ମେ’ ୬ରୁ ଜୁନ୍‌ ୧୮ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମ ଛୁଟି କରାଯିବ। ଏହି ସମୟରେ ପିଲାମାନଙ୍କ ପାଠପଢ଼ା ଜାରି ରଖିବାକୁ ବିଭାଗ ଯୋଜନା ପ୍ରସ୍ତୁତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe