ଦିବାଲୋକରେ ବୈତରଣୀରୁ ବାଲି ଉତ୍ତୋଳନ

Advertisment

ସରକାର ହରାଉଛନ୍ତି କୋଟି କୋଟି ଟଙ୍କାର ରାଜସ୍ୱ

ସରକାର ହରାଉଛନ୍ତି କୋଟି କୋଟି ଟଙ୍କାର ରାଜସ୍ୱ

ଦିବାଲୋକରେ ବୈତରଣୀରୁ ବାଲି ଉତ୍ତୋଳନ

ଭଣ୍ଡାରିପୋଖରୀ: ଭଣ୍ଡାରିପୋଖରୀ ବ୍ଲକ ଦେଇ ଯାଇଥିବା ବୈତରଣୀ ନଦୀ ବାଲି ମାଫିଆଙ୍କ ଭୂସ୍ବର୍ଗ ପାଲଟି ଯାଇଛି। ମାତ୍ର ଗୋଟିଏ ଦୁଇଟି ସ୍ଥାନରେ ପ୍ରଶାସନ ବାର୍ଷିକ ବାଲି ବିକ୍ରୟ ପାଇଁ ନିଲାମ ଡାକୁଥିବା ବେଳେ ନଦୀର ଅନେକ ସ୍ଥାନରୁ ମାଫିଆମାନେ ଦୈନିକ ଶହ ଶହ ଟ୍ରିପ ବାଲି ଚୋରି କରିଥାନ୍ତି। ରାଜସ୍ବ ବିଭାଗର ସମସ୍ତେ ଜାଣିଥିଲେ ବି ବେଆଇନ ବାଲି ଚାଲାଣ ରୋକିବାରେ କେହି ବି ତତ୍ପରତା ପ୍ରକାଶ କରିନାହାନ୍ତି। କେତେବେଳେ ନଦୀ କୂଳବର୍ତ୍ତୀ ଗ୍ରାମର ବାଲି ଚୋର ସକ୍ରିୟ ହେଉଛନ୍ତି ତ ପୁଣି କେତେବେଳେ ନଦୀ ପାର ଅନ୍ୟ ଜିଲ୍ଲାର ମାଫିଆମାନେ ସୀମା ଟପି ବାଲି ଚୋରି କରୁଛନ୍ତି। ପ୍ରଶାସନ ଏ ବାବଦରେ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ହରାଉଛି।

ବ୍ଲକର ସୁନାମୁହିଁ ନିକଟ ବୈତରଣୀ ନଦୀର ନେରଡ଼ା ସୈରାତ ସମେତ ଆଖପାଖ ଅଞ୍ଚଳ ଏବେ ଯାଜପୁର ଜିଲ୍ଲା ମାଫିଆଙ୍କ ହାତରେ। ଭଦ୍ରକ ଜିଲ୍ଲା ସୀମା ଟପି ମାଫିଆମାନେ ପ୍ରତିଦିନ ଶହ ଶହ ଟ୍ରିପ ବାଲି ଚୋରି କରିନେଉଥିବା ବେଳେ ଭଣ୍ଡାରିପୋଖରୀ ତହସିଲ ପ୍ରଶାସନ ନିରବ। ବୈତରଣୀର ଅପରପାର୍ଶ୍ୱ ବ୍ୟାସନଗର ତହସିଲ ପକ୍ଷରୁ ଆର୍ଥିକ ବର୍ଷ ୨୦୨୦-୨୧ରେ ବାଲି ସୈରାତ ପାଇଁ  ନିଲାମ ଡକାଯାଇଥିଲା। ନିଲାମଧାରୀ ଆବଶ୍ୟକୀୟ ଅର୍ଥ ଜମା କରିବା ପରେ ବାଲି ଉତ୍ତୋଳନ ପାଇଁ ଏକ ନିର୍ଦ୍ଧିଷ୍ଟ ସୀମାକୁ ପ୍ରଶାସନ ପକ୍ଷରୁ ଚିହ୍ନଟ ଦିଆଯାଇଥିଲା।

ପରବର୍ତ୍ତୀ ସମୟରେ ନିଲାମଧାରୀ ଅଧିକୃତ ସୈରାତକୁ ଛାଡି ଅନ୍ୟ ଏକ ସୈରାତ ଅତିକ୍ରମ କରିବା ପରେ ଭଣ୍ଡାରିପୋଖରୀ ସୀମାକୁ ପଶି ଆସିଛନ୍ତି। ଏଠାରେ ନେରଡ଼ା ସୈରାତ ଅଞ୍ଚଳର ବିସ୍ତୀର୍ଣ୍ଣ ସ୍ଥାନକୁ ମାଫିଆମାନେ ଦିନ ଦ୍ବିପ୍ରହରରେ ଖନନ କରୁଛନ୍ତି। ଦୈନନ୍ଦିନ ଜେସିବି ମେସିନ ଦ୍ୱାରା ପ୍ରାୟ ୪୦୦ରୁ ୫୦୦ଟ୍ରିପ ବାଲି ଉତ୍ତୋଳନ କରାଯାଇ ବିଭିନ୍ନ ସ୍ଥାନକୁ ଚାଲାଣ କରାଯାଉଛି। ଯାଜପୁର ଜିଲ୍ଲାର ବାଲି ମାଫିଆ ଭଣ୍ଡାରିପୋଖରୀ ସୀମାରୁ ବାଲି ଚୋରି କରୁଥିବା ଜଣାଯାଇଛି। ଏଭଳି ବେଆଇନ କାର୍ଯ୍ୟ ଯୋଗୁ ତହସିଲ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ହରାଉଥିଲେ ବି ଏହାକୁ ରୋକିବାରେ ପ୍ରଶାସନ ବିଫଳ ହୋଇଛି। ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକେ ତହସିଲଦାରଙ୍କୁ ବାରମ୍ବାର ଆପତ୍ତି ଅଭିଯୋଗ କରିଥିଲେ ବି କାର୍ଯ୍ୟାନୁଷ୍ଠାନ କିନ୍ତୁ ଶୂନ। ଏହା ଉପରେ ଜିଲ୍ଲାପାଳଙ୍କ ସମେତ ରାଜସ୍ବ ବିଭାଗର ଅଧିକାରୀମାନେ ଦୃଷ୍ଟି ଦେବାକୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe